Pratidin TV

Odisha's Digital News Platform

ମମିତା ମେହେର ହତ୍ୟା ମାମଲା: ଗୋବିନ୍ଦ ସାହୁକୁ ମିଳିଲା ଜାମିନ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଅନ୍ତରୀଣ ଜାମିନ ମିଳିଛି । ମାତ୍ର ଦୁଇ ସପ୍ତାହ ପାଇଁ ଗୋବିନ୍ଦ ସାହୁଙ୍କୁ ଅନ୍ତରୀଣ ଜାମିନ ଅନୁମତି ହାଇକୋର୍ଟ ଦେଇଛନ୍ତି । ନିଜ ପୁଅ ଏବଂ ପତ୍ନୀଙ୍କ ଅସୁସ୍ଥତାର କାରଣ ଦର୍ଶାଇ ଗୋବିନ୍ଦ ସାହୁ ହାଇକୋର୍ଟଙ୍କ ନିକଟରେ ଜାମିନ ଆବେଦନ କରିଥିଲେ । ତେବେ ଗୋବିନ୍ଦଙ୍କ ଆବେଦନକୁ ଗ୍ରହଣ କରିବା ସହ ମାତ୍ର ଦୁଇ ସପ୍ତାହର ଅନ୍ତରୀଣ ଜାମିନ ହାଇକୋର୍ଟ ମଞ୍ଜୁର କରିଛନ୍ତି । ଜାମିନରେ ଯିବାକୁ ହେଲେ ତାଙ୍କୁ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ହେବାକୁ ପଡିବ ।  ସେ କୌଣସି ପ୍ରମାଣ ନଷ୍ଟ କରିବେ ନାହିଁ , ସାକ୍ଷୀ ମାନଙ୍କୁ ପ୍ରଭାବିତ କରିପାରିବେ ନାହିଁ ବୋଲି କୋର୍ଟ ସର୍ତ୍ତ ରଖିଛନ୍ତି ।

ସୂଚନାଯୋଗ୍ୟ, ଗତ ଅକ୍ଟୋବର ୮ତାରିଖରେ ମହାଲିଙ୍ଗ ସ୍ଥିତ ସନ୍‌ସାଇନ ପବ୍ଲିକ ସ୍କୁଲ୍‌ ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ହୋଇଯାଇଥିଲେ । ଅନେକ ବାଦବିବାଦ ପରେ ଅକ୍ଟୋବର ୧୩ତାରିଖରେ ସିନ୍ଧେକଲା ଥାନାରେ ଅଭିଯୋଗ ଦାଖଲ ହୋଇଥିଲା । ପରେ ପୁଲିସ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦକୁ ଘରୁ ଥାନାକୁ ଉଠାଇ ଆଣି ପଚରାଉଚୁରା କରିଥିଲା । ଗତ ଅକ୍ଟୋବର ୧୭ତାରିଖରେ ଅଟକ ଥିବା ଅବସ୍ଥାରେ ଗୋବିନ୍ଦ ଟିଟିଲାଗଡ଼ ପୁଲିସ ବାରାକରୁ ଚମ୍ପଟ ମାରିଥିଲା । ଏହାପରେ ପୁଲିସ ସ୍ୱତନ୍ତ୍ର ଟିମ ଗଠନ କରି ଗୋବିନ୍ଦକୁ ଖୋଜିବା ସହ ତା’ନାଁରେ ପୁରସ୍କାର ରାଶି ଘୋଷଣା କରିଥିଲା ।

ଅପରପକ୍ଷେ ଅକ୍ଟୋବର ୧୯ତାରିଖରେ ମହାଲିଙ୍ଗସ୍ଥିତ ନିର୍ମାଣାଧିନ ଷ୍ଟାଡ଼ିୟମ ଭିତରୁ ମମିତାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଏବଂ କେତେକ ଅଧପୋଡ଼ା ବ୍ୟବହୃତ ସାମଗ୍ରୀ ଜବତ କରାଯାଇଥିଲା । ଏଣେ ପୁଲିସ ଏକ ଆଖୁକିଆରୀରୁ ଗୋବିନ୍ଦକୁ ଗିରଫ କରି କୋର୍ଟଚାଲାଣ କରିଥିଲା ।

Leave a Reply

Your email address will not be published. Required fields are marked *