ଚ୍ୟାଲେଞ୍ଜ ଜିତିବାର ନିଶାରେ ଗୁଲୁଗଲା ନେଇଗଲା ଜୀବନ..
1 min readଆଜିକାଲିର ପିଲାଙ୍କ ଭିତରେ ନାହିଁ ଧର୍ଯ୍ୟ । କିଛି ପାଇବାର ଜିଦ ତାଙ୍କୁ ଅନେକ ସମୟରେ ବିପଦରେ ପକାଉଛି । ତଥାପି ଯବୁପିଢୀଙ୍କ ଭିତରେ କମୁନି ଜିଦ ପଣିଆ । ସାମାନ୍ୟ ଚ୍ୟାଲେଞ୍ଜ ଜିତିବାକୁ ନିଜ ଜୀବନକୁ ବି ବାଜି ଲଗାଇବାକୁ ପଛାଉ ନାହାନ୍ତି ଆଜିକାଲିର ପିଲା । ଖାଦ୍ୟ ଠାରୁ ଆରମ୍ଭ କରି ଗାଡିରେ ଷ୍ଟଣ୍ଟ କରିବା ପର୍ଯ୍ୟନ୍ତ ପିଲାଙ୍କର ଭିତରେ କିଛି ନୂଆ କରିବାର ଜୋସ ଭରି ରହୁଛି । ସାମାନ୍ୟ ଚ୍ୟାଲେଞ୍ଜରେ ଗୁଲୁଗୁଲା ଖାଇବା ଯୁବକଙ୍କୁ ପଡିଗଲା ମହଙ୍ଗା । ଖାଉଥିବା ବେଳେ ତଣ୍ଟିରେ ଲାଗିଯାଇ ଅଣନିଶ୍ୱାସୀ ହେବାସହିତ ଚାଲିଗଲା ଯୁବକଙ୍କ ଜୀବନ । ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ବଡ଼ଜାମବଣି ଫାଣ୍ଡି ଅଧୀନ ଦାନ୍ତିଆମୁହାଁ ଗ୍ରାମରେ ଦେଖିବାକୁ ମିଳିଛି ଏଭଳିଏକ ଅଭାବନୀୟ ଘଟଣା ।
ମୃତକ ଜଣକ ହେଉଛନ୍ତି ଗ୍ରାମର ସ୍ୱର୍ଗତ ବିଦ୍ୟାଧର ମହାନାୟକଙ୍କ ପୁଅ ଶିରୀଶଚନ୍ଦ୍ର ମହାନାୟକ । ସୂଚନା ମୁତାବକ ଦାନ୍ତିଆମୁହାଁ ସାପ୍ତାହିକ ହାଟରେ ଏକ ଜଳଖିଆ ଦୋକାନକୁ ଶିରୀଶ ଯାଇଥିଲେ । ସେଠାରେ କଥାକଥାରେ ଲାଗିଥିଲା ଚ୍ୟାଲେଞ୍ଜ । ଆଉ ଏହି ବାଜି ମାରିବା ନିଶାରେ ଥରକେ ଚାରିଗୋଟି ଗୁଲୁଗୁଲା ଏବଂ ଗୋଟିଏ ମାଲପୁଆ ଏକସଙ୍ଗେ ପାଟିରେ ପୁରାଇ ଖାଇବାକୁ ଆରମ୍ଭ କରିଥିଲେ । ବାସ ଏତିକି ବେଳେ ଶିରୀଶଙ୍କ ତଣ୍ଟିରେ ଲାଗି ସେସବୁ ଅଟକି ଯାଇଥିଲା । ଫଳରେ ଅଣନିଶ୍ୱାସୀ ହୋଇ ଶିରୀଶ ଗୁରୁତର ହୋଇପଡ଼ିଥିଲେ ।
ତାଙ୍କ ଏଭଳି ଅବସ୍ଥା ଦେଖି ପାଖରେ ଥିବା ଲୋକ ତାଙ୍କୁ ପାଣି ପିଆଇଥିଲେ । ତେବେ ପାଣି ଗୁଡିକ ନାକ ପଟୁ ବାହାରି ଆସିଥିଲା । ଆଉ ତାପରେ ଶିରୀଶ ଛଟପଟ ହୋଇ ତଳେ ପଡ଼ିଯିବା ସହିତ ଗୁରୁତର ହୋଇପଡ଼ିଥିଲେ । ସ୍ଥାନୀୟଲୋକେ ଉଦ୍ଧାରକରି ବାରିପଦା ଡାକ୍ତରଖାନା ନେଇଥିଲେ ସେଠାରେ ଡାକ୍ତର ଶିରୀଶଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ସୋମବାର ମୃତକଙ୍କ ପରିବାରଲୋକ ଙ୍କପକ୍ଷରୁ ଥାନାରେ ମାମଲା ରୁଜୁ କରାଯାଇଥିଲା । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରିବା ସହିତ ଶବ ବ୍ୟବଛେଦ କରାଇଛନ୍ତି । ତେବେ ଚ୍ୟାଲେଞ୍ଜରେ ସାମାନ୍ୟ ଗୁଲୁଗୁଲା ଖାଇବାକୁ ନେଇ ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।