Pratidin TV

Odisha's Digital News Platform

‘ଦାନାର ଦେବଦୂତ ମାନସ’ , ଷ୍ଟ୍ରେଚର ନୁହଁ ରୋଗୀକୁ ନିଜ ହାତରେ ଟେକିନେଇ ବଞ୍ଚାଇଲେ ଜୀବନ ।

1 min read

ଟଳିଯାଇଛି ବଡ ବିପଦ , ଥମିଛି ବାତ୍ୟା ଦାନା । କିନ୍ତୁ ରାଜ୍ୟବାସୀଙ୍କ ମନରୁ ଲିଭିନି ଦାନାର କରାଳ ସମୟର ରୂପ । ସେହି ଗୋଟିଏ ଦିନ ଯେ କାହା କାହାକୁ କେଉଁ ଦିନ ଦେଖାଇଛି ତାହା ଚିନ୍ତା କରିବା କଷ୍ଟ । ହୁଏତ ଆମ ପ୍ରଶାସନ ଫୁଲ ପ୍ରସ୍ତୁତି କରିଥିଲା । ତଥାପି ଏହି ଭୟଙ୍କର ସମୟରେ ଆଗଧାଡିର ଯୋଦ୍ଧା ସାଜିଥିଲେ କେନ୍ଦ୍ରାପଡା ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମାନସ କୁମାର । ଖାଲି ମାନସ କୁମାର କାହିଁକି ତାଙ୍କ ପର୍ବରୁ କେନ୍ଦ୍ରାପଡା ବୋହୂ ଶିବାନୀଙ୍କ କଥାତ ଆପଣମାନେ ପଢିଥିବେ ।
ଏବେ ଆମେ ଆପଣଙ୍କୁ ମାନସଙ୍କ ବାହାଦୂର କାମ ବିଷୟରେ କହିବୁ । ବାତ୍ୟା ଦାନାର ପ୍ରଭାବକୁ ଦେଖି ଯେତେବେଳେ ଗୋଟେ ମା ତା ପୁଅକୁ ଘରୁ ଗୋଡ କାଢିବାକୁ ଦେଇନଥିଲା । ସେତେବେଳେ ନିଜ ମା କି ପରିବାର ନୁହଁ ପୁରା ରାଜ୍ୟବାସୀଙ୍କ କଥା ଭାବି ନିଜ କର୍ମକ୍ଷେତ୍ରକୁ ବାହାରିପଡିଥିଲେ ମାନସ କୁମାର ।

ବାତ୍ୟାର ପ୍ରଭାବ ପ୍ରଖର ଥିବା ସମୟରେ ମାନସ ଗୁରୁତର ରୋଗୀମାନଙ୍କୁ ଘରୁ ହସ୍ପିଟାଲ ସ୍ଥାନାନ୍ତରଣ କରିବାକୁ ପଛଘୁଞ୍ଚା ଦେଇନଥିଲେ । କେବଳ ରୋଗୀଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରିନଥିଲେ ବରଂ ବିଭିନ୍ନ ସ୍ଥାନରେ ସହାୟତା ଦେବା ସହିତ ରାସ୍ତାରେ ପଡ଼ିରହିଥିବା ଗଛକୁ କାଟି ସଫା କରିଥିଲେ। ବାତ୍ୟା ସ୍ଥଳଭାଗ ଛୁଇଁବା ସମୟ ଅର୍ଥାତ ଗୁରୁବାର ରାତି ୧୨ରୁ ଶୁକ୍ରବାର ସକାଳ ୮ଟା ପର୍ଯ୍ୟନ୍ତ ତିନି ଜିଲାରେ ୧୦୮ ଆମ୍ବୁଲାନ୍ସ ୩୨୫ ରୋଗୀଙ୍କୁ ସହାୟତା ପ୍ରଦାନ କରି ହସ୍ପିଟାଲରେ ପହଞ୍ଚାଇଥିଲେ। ଭଦ୍ରକ ଜିଲାରେ ୨୦ ପ୍ରସୂତିଙ୍କ ସହିତ ୬୨ ଅନ୍ୟ ରୋଗୀ, କେନ୍ଦ୍ରାପଡ଼ାରେ ୩୧ ପ୍ରସୂତି ତଥା ଶିଶୁ ଏବଂ ୫୨ ଅନ୍ୟାନ୍ୟ ରୋଗୀଙ୍କୁ ତାଙ୍କ ଘରୁ ନେଇ ହସ୍ପିଟାଲରେ ପହଞ୍ଚାଇଛନ୍ତି। ସେହିପରି ବାଲେଶ୍ବରରେ ୨୪ ପ୍ରସୂତି ସହିତ ୧୫୬ ଅନ୍ୟ ରୋଗୀଙ୍କୁ ସ୍ଥାନାନ୍ତର କରିଛନ୍ତି। ତେବେ ତିନି ଜିଲାରୁ ମୋଟ ୮ ଘଣ୍ଟାରେ ୩୨୫ ରୋଗୀଙ୍କୁ ହସ୍ପିଟାଲରେ ପହଞ୍ଚାଇଛନ୍ତି।
ସେହିପରି ଭଦ୍ରକର ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ମୃଗନୟନୀ ଗ୍ରାମରୁ ଜଣେ ରୋଗୀଙ୍କୁ ଆଣିବାକୁ ଯିବା ସମୟରେ ବାତ୍ୟା ପ୍ରଭାବରେ ଭାଙ୍ଗିଥିବା ଗଛକୁ କାଟି ରୋଗୀ ପାଖରେ ପହଞ୍ଚି ତାଙ୍କୁ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ମୟୂରଭଞ୍ଜ ଉଦଳା ବ୍ଲକ ରଥପୁର ଗ୍ରାମରୁ ଜଣେ ରୋଗୀଙ୍କୁ ଆଣିବାକୁ ଯିବା ସମୟରେ ମଧ୍ୟ ଗଛ କାଟି ରାସ୍ତା ସଫା କରି ରୋଗୀ ପାଖରେ ପହଞ୍ଚିଥିଲେ ଏବଂ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ।

Advertisement

କିନ୍ତୁ ଘଟଣାଟି ସେତେବେଳେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ଯେତେବେଳେ ମାନସ କେନ୍ଦ୍ରାପଡ଼ାର ରାଜନଗର ବ୍ଲକ ଡେରା ପଞ୍ଚାୟତ କାଠୁଆଗଣ୍ଡ ଗ୍ରାମକୁ ରୋଗୀ ଆଣିବାକୁ ଯାଇଥିଲେ । ରାସ୍ତାରେ ଅନେକ ଗଛ କାଟି ସଫା କରି ସେ ଆଗକୁ ବଢିଥିଲେ । କିନ୍ତୁ ଗାଁ ମୁଣ୍ଡରୁ ରୋଗୀ ଘର ପର୍ଯ୍ୟନ୍ତ ଯାଇପାରିନଥିଲା । ଶେଷରେ ୧୦୮ ଆମ୍ବୁଲାନ୍ସ ହେଲପର ମାନସ କୁମାର ମଲ୍ଲିକ ବାତ୍ୟାକୁ ଖାତିର ନକରି ନିଜେ ରୋଗୀ ଇତିଶ୍ରୀ ରାଉତଙ୍କୁ ଟେକି ଟେକି ଆଣିଥିଲେ। ପରେ ତାଙ୍କୁ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ରୋଗୀଙ୍କୁ ଛାଡ଼ିବା ପରେ ହେଲପର ମାନସ ଗାଡ଼ି ଭିତର ସଫା କରୁଥିବା ସମୟରେ ରୋଗୀ ସମ୍ପର୍କୀୟଙ୍କ ପଡ଼ିଯାଇଥିବା ୬,୫୦୦ ଟଙ୍କା ପାଇଥିଲେ ଏବଂ ସମ୍ପର୍କୀୟଙ୍କୁ ଟଙ୍କା ଫେରାଇଥିଲେ। କେନ୍ଦ୍ରାପଡା ପୁଅର ଏଭଳି କାର୍ଯ୍ୟରେ ପୁରା ଜିଲ୍ଲା ତାଙ୍କ ପାଇଁ ଗର୍ବିତ । ଆଉ ପୁରା ରାଜ୍ୟରୁ ତାଙ୍କ ପାଇଁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।

Leave a Reply

Your email address will not be published. Required fields are marked *