ରାତିରେ ହଠାତ ଥରିଲା ନେପାଳ: ଭୁଷିଡିଲା ବିଲ୍ଡିଂ, ଆ୍ଖିବୁଜିଲେଣି ୧୨୯ରୁ ଉର୍ଦ୍ଧ ଏବେ ବି ତଳେ ଚାପି ହୋଇଛନ୍ତି ଅନେକ ଲୋକ..
1 min readକାଠମାଣ୍ଡୁ : ମଧ୍ୟ ରାତ୍ରୀରେ ଥରିଉଠିଲା ନେପାଳ । ଘଟିଗଲା ଭୟଙ୍କର ଭୂମିକମ୍ପ । ଗତକାଲି ବିଳମ୍ବିତ ରାତ୍ରୀରେ ହୋଇଥିବା ବଡ଼ ଧରଣର ଭୂକମ୍ପ ଝଟକାରେ ୧୨୮ରୁ ଉର୍ଦ୍ଧ ଲୋକଙ୍କ ଜୀବନ ଯାଇଛି । ତେବେ ଅଧିକାଂଶ ଲୋକ ଗୁରୁତର ରହିଛନ୍ତି । ୬.୪ ତୀବ୍ରତାସମ୍ପନ୍ନ ଭୂମିକମ୍ପ ଯୋଗୁଁ ନେପାଳର ବହୁ ଅଟ୍ଟାଳିକା ଓ ଘର ଭାଙ୍ଗି ଯାଇଥିବା ବେଳେ ବହୁ ଲୋକ ଧ୍ୱଂସାବଶେଷ ତଳେ ଏବେ ସୁଧା ଚାପି ହୋଇ ରହିଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ସେମାନଙ୍କୁ ଉଦ୍ଧାରକାରୀ ଦଳ ପକ୍ଷରୁ ଉଦ୍ଧାର କରାଯାଉଛି । ଭଗ୍ନାବଶେଷ ତଳେ ଆହୁରି ଲୋକ ମିଳୁଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି ।
ଅଧିକାରୀମାନେ କହିବା ଅନୁସାରେ, ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ହେଉଛି ଜାଜରକୋଟ୍ ଜିଲ୍ଲା ଅନ୍ତର୍ଗତ ଲାମିଡାଣ୍ଡା ଅଞ୍ଚଳରେ ।
ରାତି ପ୍ରାୟଃ୧୧.୩୨ରେ ଭୂଗର୍ଭର ୧୦ କିଲୋମିଟର ଅଭ୍ୟନ୍ତରରେ ଏହି ଭୂମିକମ୍ପ ହୋଇଥିଲା । ରାତିରେ ଲୋକେ ଶୋଇଥିବା ବେଳେ ଶକ୍ତିଶାଳୀ ଝଟକା ଅନୁଭୂତ ହୋଇଥିଲା । ଫଳରେ ଅନେକ ଲୋକ ନିଦରେ ଥିବାରୁ ଜାଣି ପାରି ନଥିଲେ । ଯାହାଫଳରେ ସେମାନେ ହଠାତ୍ ଘରୁ ବାହାରି ପାରି ନଥିଲେ । ଭୂମିକମ୍ପ ହେବା ଫଳରେ ମାଟିରେ ମିଶି ଯାଇଛି ବହୁ ଘରଦ୍ୱାର ଏବଂ ବଡ ବଡ ବିଲଡିଂ । ତେବେ ଏହି ଭୂମିକମ୍ପରେ ଅଧିକ ପ୍ରଭାବିତ ହୋଇଛି ଜାଜରକୋଟ ଜିଲ୍ଲାର ଭେରି, ନାଲଗାଡ଼, କୁଶେ, ବାରେକୋଟ ଓ ଛେଡାଗଦ ।
ସେପଟେ ନେପାଳରେ ହୋଇଥିବା ଭୂକମ୍ପର ପ୍ରଭାବ ମଧ୍ୟ ଦିଲ୍ଲୀ-ଏନସିଆର ସମେତ ଗାଜିଆବାଦ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ହରିୟାଣା, ପଞ୍ଜାବ ଏବଂ ବିହାର ରାଜଧାନୀ ପାଟନାରେ ଅନୁଭୂତ ହୋଇଥିଲା । ଉତ୍ତର ଭାରତର ବିଭିନ୍ନ ଅଞ୍ଚଳରେ ଭୂକମ୍ପର ଝଟକା ଏତେ ଜୋରରେ ଥିଲା ଯେ କିଛି ସମୟ ପାଇଁ ଲୋକେ ଛାନିଆ ହୋଇ ଯାଇଥିଲେ । ରାତି ପ୍ରାୟ ୧୧ଟା ୩୨ରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଏହା ପରେ ଲୋକେ ଘର ଭିତରୁ ବାହାରକୁ ଚାଲି ଆସିଥିବା ଦେଖିବାକୁ ମିଳିଥିଲା ।