ଆଉ ଦିନକ ପରେ ନୂଆ ବର୍ଷ। 2023କୁ ବିଦାୟ ଦେଇ 2024କୁ ସ୍ୱାଗତ କରିବାକୁ ଚାହିଁ ବସିଛି ପୁରା ଦେଶ । ତେବେ କେବଳ ବର୍ଷ ଆଉ ତାରିଖ ବଦଳିବ ନାହିଁ। ନୂଆ ବର୍ଷରେ କିଛି ପୁରୁଣା ନିୟମକୁ ବଦଳ କରାଯାଇଛି । ପୁରୀ ଶ୍ରୀମନ୍ଦିରରେ କାଲି ଠାରୁ କିଛି ନୂଆନିୟମ ଲାଗିବାକୁ ଯାଉଛି।ଶ୍ରୀଜିଉଙ୍କ ଦର୍ଶନ ପାଇଁ ପୁରୀ ଭକ୍ତଙ୍କ ପ୍ରବଳ ଭିଡ ଜମୁଛି।ଏହାକୁ ଆଖିରେ ରଖି ଶ୍ରୀମନ୍ଦିରରେ ଶାନ୍ତି ଶୃଙ୍ଖଳାର ସହ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।ଶ୍ରୀମନ୍ଦିର ଓ ବେଳାଭୂମି ଭିଡ ହୋଇପଡୁଥିବାରୁ ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା କରାଯାଇଛି ।ନୂଆବର୍ଷରେ ସବୁ ଠାରୁ ବଡ କଥା ହେଲା ବଡଦାଣ୍ଡରେ ଆସୁଥିବା ଭକ୍ତମାନେ ଏସି ଟନେଲ ଦେଇ ଶ୍ରୀମନ୍ଦିର କାର୍ଯ୍ୟାଳୟର ଗ୍ରାଉଣ୍ଡ ଫ୍ଲୋରରେ ବିଶ୍ରାମ କରିବେ।ବିଶ୍ରାମ ପାଇଁ ତିଆରି ହେଉଛି ଏସି ଜର୍ମାନ ହ୍ୟାଙ୍ଗର । ୧୦ଟି ଧାଡିରେ ମନ୍ଦିରକୁ ପ୍ରବେଶ କରିବେ ଭକ୍ତ।
ଖାଲି ସେତିକି ନୁହେଁ ଜାଗା ଦର୍ଶନ ଯିବା ବେଳକୁ ପୋଷାକରେ ମଧ୍ୟ ପରିବର୍ତ୍ତନ ହେଇଛି । ଚିରା ଫଟା ଜିନ୍ସ,, ହାଫ୍ ପ୍ୟାଣ୍ଟ ଏବଂ ଅଶାଳୀନ ପୋଷାକ ପିନ୍ଧିଥିଲେ ମିଳିବନି ଶ୍ରୀମନ୍ଦିର ପ୍ରବେଶ ଅନୁମତି। ଉଭୟ ପୁରୁଷ ମହିଳାଙ୍କ ଉପରେ ଏହି ନିୟମ ଲାଗୁ ହୋଇଛି । ତା ଛଡା ମନ୍ଦିର ପରିସରରେ ନା ପାନ ଗୁଟଖା ଖାଇପାରିବେ ନା ଭିତରକୁ ପଲିଥିନରେ ଫୁଲ ଓ ଭୋଗ ନେଇପାରିବେ। ପୁରୀ କୁ ସ୍ୱଚ୍ଛ ରଖିବାକୁ ଏହି ନିୟମ କରାଯାଇଛି । କେବଳ ନୂଆ କଟକଣା ଲାଗିବନି, ଜଗା ଦର୍ଶନ ପାଇଁ ନୂଆ ବ୍ୟବସ୍ଥା ବି ହୋଇଛି। ବଡ଼ଦାଣ୍ଡ ଦେଇ ଆସୁଥିବା ଭକ୍ତ ମରିଚିକୋଟ୍ ଛକରୁ ଏସି ସେଡ୍ ବ୍ୟାରିକେଡରେ ପ୍ରବେଶ କରିବେ। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଦେଇ ନବନିର୍ମିତ ସେଡ୍ରେ ସିଂହଦ୍ୱାର ଯାଏଁ ଆସିବେ। ଠାକୁରଙ୍କ ନୀତିକାନ୍ତି ଚାଲୁଥିଲେ ଭକ୍ତମାନେ ବ୍ୟାରିକେଡ୍ ଭିତରେ ହିଁ ରହିବେ। ସେଡ୍ ଭିତରେ ଏସି ଲାଗିଛି, ଅସ୍ଥାୟୀ ଟୟଲେଟ୍ ଓ ପିଇବା ପାଣିର ସୁବିଧା ବି କରାଯାଉଛି। ଘଣ୍ଟା ଘଣ୍ଟା ଧରି ଠିଆ ହେବା ଯନ୍ତ୍ରଣାରୁ ମୁକ୍ତି ଦେବାକୁ ସେଡ୍ ଭିତରେ ବସିବା ବ୍ୟବସ୍ଥା ମଧ୍ୟ ହୋଇଛି। ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କ ପାଇଁ କରାଯାଉଛି ସ୍ୱତନ୍ତ୍ର ବ୍ୟବସ୍ଥା। ନୂଆବର୍ଷ ପାଇଁ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୁରୀରେ ହୋଇଛି କଡ଼ା ସୁରକ୍ଷା ବ୍ୟବସ୍ଥା। ମୁତୟନ ହେବେ ୯୦ ପ୍ଲାଟୁନ ପୋଲିସ ଫୋର୍ସ । ଆସନ୍ତାକାଲି ରାତି ୧୨ଟାରୁ ଲାଗୁ ହେବ ଟ୍ରାଫିକ କଟକଣା। ମରଚିକୋଟ ଛକରୁ ହେବ ନୋ ଭେଇକିଲ୍ ଜୋନ୍। ଆମ୍ବୁଲାନ୍ସ ପାଇଁ ଗ୍ରୀନ୍ କରିଡର ହେବ।