ମେକାନିକ ବିଜୟଙ୍କ ଅର୍ଦ୍ଭୂତ କାରିଗରୀ , ସଢେଇରେ ନିର୍ମାଣ କରିଦେଲେ ଡାକୋଟା ବିମାନ
1 min readମୟୁରଭଞ୍ଜ : ମଣିଷର ଅର୍ନ୍ତନିହିତ କଳା ଯେବେ ପ୍ରସ୍ପୁଟିତ ହୁଏ ସେତେବେଳେ ଏଭଳି କିଛି ଚିତ୍ର ସାମ୍ନାକୁ ଆସେ ଯାହା ଦେଖିଲେ ସହଜରେ ବିଶ୍ୱାସ କରି ହୁଏ ନାହିଁ । ସେଭଳି ଏକ କଳାକୃତି କରିଛନ୍ତି ମୟୁରଭଞ୍ଜର ଜଣେ ଯୁବକ । ଅଦରକାରୀ ନଡିଆ ଖୋଳପା ବା ସଢେଇରୁ ତିଆରି କରିଛନ୍ତି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଡାକୋଟା ବିମାନ ।
‘ଡାକୋଟା ‘ ଏହି ନାମ ହିଁ ବୟାନ କରେ ପୁରା କାହାଣୀ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ବିଶ୍ୱଯୁଦ୍ଧ ସମୟରେ ଏହି ବିମାନ ଚଳାଇ କିଭଳି ନିଜର ପରାକାଷ୍ଠା ଦେଖାଇଥିଲେ । ଏହି ଡାକୋଟାକୁ ନେଇ ଏବେ ସବୁଠି ଚର୍ଚ୍ଚା । ହେଲେ ଏହି ଡାକୋଟାର ଅବିକଳ ନକଲ ତିଆରି କରି ଏବେ ଚର୍ଚ୍ଚାରେ ଜଣେ ଯୁବକ । ତାହା ପୁଣି ଅଦରକାରୀ ନଡିଆ ଖୋଳପା ବା ସଢେଇରେ ତିଆରି କରାଯାଇଛି ଏହି ଡାକୋଟା ବିମାନ । ଉଦଳା ଏନଏସି ୭ ନମ୍ବର ୱାର୍ଡର ଯୁବକ ବିଜୟ କମିଳା। ଯିଏ କି ପେଶାରେ ଜଣେ ଗାଡି ମେକାନିକ୍ । ହେଲେ ନିଶା ତାଙ୍କର ଅଦରକାରୀ ନଡିଆ ଖୋଳପାରୁ ବିଭିନ୍ନ ସୂକ୍ଷ୍ମ କାରୁକାର୍ଯ୍ୟ କରିବା । ଯାହାକୁ ନେଇ ସେ ଏବେ ଚର୍ଚ୍ଚାରେ । କାରଣ ନଡିଆ ଖୋଳପାରେ ତିଆରି କରିଛନ୍ତି ବିଜୁ ବାବୁଙ୍କ ଡାକୋଟା ବିମାନ । ଆଉ ଏହି ବିମାନର ପାଇଲଟ ବି ସଜାଇଛନ୍ତି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ।
ଦୁଇରୁ ଅଢେଇ ମାସ ହେବ ସେ ଏହି ଡାକୋଟା ନିର୍ମାଣରେ ନିଜକୁ ନିୟୋଜିତ କରିଛନ୍ତି । ନିଜର ପେଶା ଗାଡି ମେକାନିକ୍ କାର୍ଯ୍ୟରୁ ସମୟ ବାହାର କରି ସେ ଏହି ଡାକୋଟା ବିମାନ ନିର୍ମାଣ ଆରମ୍ଭ କରିଥିଲେ । ଡାକୋଟା ବିମାନକୁ କେବେ ହେଲେ ପାଖରୁ ଦେଖି ନ ଥିବା ବିଜୟ କେବଳ ଫଟୋରୁ ହିଁ ଡାକୋଟା ବିମାନର ଚିତ୍ର ଦେଖି ଏହି ବିମାନ ତିଆରି କରିଛନ୍ତି । ଏପରିକି କଳିଙ୍ଗ ଏୟାରଲାଇନସ ନାମ ଲେଖାଯିବା ସହିତ ଡାକୋଟା ବିମାନର ନମ୍ବର ମଧ୍ୟ ଉଲ୍ଲେଖ କରାଯାଇଛି । ଏହି ଡାକୋଟା ବିମାନର ନିର୍ମାଣ ହୋଇଥିବା ଚକ ମଧ୍ୟ ନଡିଆ ଖୋଳପାରେ ତିଆରି ଯାହାକି ପୁରା ଡାକୋଟା ବିମାନ ଚାଲିବାରେ ବେଶ ସହଜ ହେଉଥିବା ଦେଖିବାକୁ ମିଳିଛି । ଏପରିକି ବିଜୟ କମିଳାଙ୍କୁ ସୁଯୋଗ ମିଳିଲେ ସେ ଏହି ନଡିଆ ଖୋଳପାରେ ତିଆରି ଡାକୋଟାକୁ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିବେ ବୋଲି କହିଛନ୍ତି ବିଜୟ । ମନରେ ରହିଛି ଅନେକ ଉତ୍ସାହ ଏବଂ ଉତ୍କଣ୍ଠା ।
ତେବେ ବିଜୟ କମିଳାଙ୍କ ଏପରି ଏକ ନିଆରା ପ୍ରଚେଷ୍ଟା ସମସ୍ତଙ୍କ ପାଇଁ ପ୍ରେରଣାପ୍ରଦ । କେବଳ ଆଜି ନଡିଆ ଖୋଳପାରେ ସେ ଡାକୋଟା ବିମାନ ତିଆରି କରିଛନ୍ତି ତାହା ନୁହେଁ, ସେ ଅଦରକାରୀ ନଡିଆ ଖୋଳପାରେ ବିଭିନ୍ନ ପ୍ରକାର ଆସବାବପତ୍ର, ଘର ସାଜସଜ୍ଜା ଉପକରଣ ତିଆରି ମଧ୍ୟ କରନ୍ତି । ନିଜ ପେଶାକୁ ଆପଣାଇ ଜୀବନ ଆଗେଇ ଚାଲିଥିବା ବେଳେ କେବେ ହେଲେ ନିଜ ନିଶାକୁ ସେ ପାଶୋରି ଦେଇନାହାନ୍ତି । ତେବେ ସବୁପରେ ବିଜୟଙ୍କୁ ଯଦି ସରକାରୀ ସ୍ତରରେ କୌଣସି ସହାୟତା ମିଳିପାରନ୍ତା ଏବଂ ତାଙ୍କର ଏହି ସୂକ୍ଷ୍ମ କାରୁକାର୍ଯ୍ୟ ଯଦି ଶିଖାଇବା ନିମନ୍ତେ କୌଣସି ପ୍ରୋତ୍ସାହନ ମିଳିପାରନ୍ତା ତେବେ ଆଗାମୀ ଦିନରେ ଏହାକୁ ସେ ବିଭିନ୍ନ ପ୍ରଦର୍ଶନୀରେ ଦେଖାଇପାରନ୍ତେ । ତତସହିତ ବିଶେଷକରି ଅନୁମତି ମିଳିଲେ ବିଜୁ ବାବୁଙ୍କ ଏହି ଡାକୋଟା ବିମାନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ ଉପହାର ଦେବେ ବୋଲି କହିଛନ୍ତି ।