Pratidin TV

Odisha's Digital News Platform

୯୨ ବର୍ଷରେ ବିବାହ କରିବେ ମିଡିଆ ସମ୍ରାଟ ରୁପର୍ଟ ମର୍ଡୋକ, ସରିଲା ନିର୍ବନ୍ଧ ହେବ ବାହାଘର

1 min read

ପ୍ରେମ ମାନେ ନାହିଁ ଜାତି ଧର୍ମ । ପ୍ରେମ ମାନେ ନାହିଁ ବୟସର ବନ୍ଧବାଡ । ଏକଥାକୁ ପ୍ରମାଣ କରିଦେଖାଇଛନ୍ତି ମିଡିଆ ଟାଇକୁନ୍ ରୁପର୍ଟ ମର୍ଡୋକ । ୯୨ ବର୍ଷ ବୟସରେ ପଞ୍ଚମ ଥର ପାଇଁ ବିବାହ କରିବାକୁ ଘୋଷଣା କରିଛନ୍ତି ଏହି ବିଶିଷ୍ଟ ବ୍ୟକ୍ତି । ସେ ତାଙ୍କ ଗାର୍ଲଫ୍ରେଣ୍ଡ ଏଲେନା ଜୁକୋଭାଙ୍କ ବିବାହ କରିବାକୁ ଯାଉଛନ୍ତି । ତେବେ ବିବାହ ପୂର୍ବରୁ ଉଭୟଙ୍କ ନିର୍ବନ୍ଧ ହେବ । ରୁପର୍ଟଙ୍କ ଏହି ଘୋଷଣା ଏବେ ସମସ୍ତଙ୍କୁ ଚକିତ କରିଦେଇଛିି । ରିପୋର୍ଟ ଅନୁସାରେ ଆସନ୍ତା ଜୁନ୍ ମାସରେ ରୁପର୍ଟ ହାତକୁ ଦି ହାତ ହେବାକୁ ଯାଉଛନ୍ତି । ଏନେଇ ସେ ନିଜେ ଏହି ଘୋଷଣା କରିଛନ୍ତି ।

ଏଲେନା ହେଉଛନ୍ତି ଜଣେ ଅବସରପ୍ରାପ୍ତ ବୈଜ୍ଞାନିକ । ତୃତୀୟ ପତ୍ନୀ ୱେଣ୍ଡି ଡେଙ୍ଗଙ୍କ ଦ୍ୱାରା ଆୟୋଜିତ ଏକ ପାରିବାରିକ ସମାବେଶରେ ମର୍ଡୋକ ଜୁକୋଭାଙ୍କୁ ଭେଟିଥିଲେ । ପ୍ରଥମ ଦେଖାରେ ହିଁ ସେ ଏଲେନାଙ୍କ ପ୍ରେମରେ ପଡିଯାଇଥିଲେ । ଗତ ବର୍ଷ ଏପ୍ରିଲ ମାସରେ ରୁପର୍ଟ ଏଲେନାଙ୍କୁ ଡେଟ୍ କରୁଥିବା ଖବର ସାମ୍ନାକୁ ଆସିଥିଲା । ଏହି ଖବର ସାମ୍ନାକୁ ଆସିବାର ୪ ମାସ ପୂର୍ବରୁ ହିଁ ମର୍ଡୋକ ରେଡିଓ ହୋଷ୍ଟ ଏନ୍ ଲେସଲି ସ୍ମିଥଙ୍କ ସହ ନିର୍ବନ୍ଧକୁ ଭାଙ୍ଗି ଦେଇଥିଲେ । ମର୍ଡୋକ ଓ ଲେସ୍‌ଲି ସ୍ମିଥଙ୍କ ନିର୍ବନ୍ଧ ହେବାର ଦୁଇ ସପ୍ତାହ ପରେ ପରେ ହିଁ ବ୍ରେକ୍‌ଅପ୍ ହୋଇ ଯାଇଥିଲା । କୁହାଯାଉଛି ଯେ, କାଲିଫର୍ଣ୍ଣିଆରେ ଏଲେନାଙ୍କୁ ବିବାହ କରିବେ ମର୍ଡୋକ । ତାଙ୍କ ଅଙ୍ଗୁର ବଗିଚା ମୋରଗାରେ ଏହି ଗ୍ରାଣ୍ଡ ୱେଣ୍ଡିଂ ଅନୁଷ୍ଠିତ ହେବ । ଏଥିପାଇଁ ପୂର୍ବରୁ ହିଁ ସମସ୍ତଙ୍କୁ ନିମନ୍ତ୍ରଣା ପଠା ସରିଛି ।

Advertisement


ରୁପର୍ଟ ମର୍ଡୋକ ହେଉଛନ୍ତି ଅଷ୍ଟ୍ରେଲିଆର ମୂଳ ବାସିନ୍ଦା । କିନ୍ତୁ ତାଙ୍କୁ ଆମେରିକାର ମିଡିଆ ସମ୍ରାଟ ବୋଲି କୁହାଯାଏ । ସେ ଦୀର୍ଘଦିନ ଧରି ଆମେରିକାରେ ରହି ଆସୁଛନ୍ତି । ମର୍ଡକ ଫକ୍ସ କର୍ପୋରେସନର ଫକ୍ସ ବ୍ରୋଡକାଷ୍ଟିଂ, ଫକ୍ସ ସ୍ପୋର୍ଟସ, ଫକ୍ସ ବିଜନେସ୍ ଏବଂ ଫକ୍ସ ନ୍ୟୁଜର ଚେୟାରମ୍ୟାନ୍ ଭାବେ କାର୍ଯ୍ୟ କରୁଛନ୍ତି ।ଏଥିସହ ନ୍ୟୁଜ୍ କର୍ପୋରେସନର ମୁଖ୍ୟ ଭାବରେ ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍‌, ଦି ସନ୍ ଏବଂ ପ୍ରକାଶନ ସଂସ୍ଥା ହାରପର୍ କଲିନ୍ସଙ୍କ ବ୍ୟତୀତ ସେ ନ୍ୟୁୟର୍କ ପୋଷ୍ଟରର ମଧ୍ୟ ମାଲିକ ଅଟନ୍ତି । ରୁପୋର୍ଟ ଚାରି ଥର ବିବାହ କରିଛନ୍ତି । ୨୦୨୨ ଅଗଷ୍ଟରେ ସେ ତାଙ୍କର ଚତୁର୍ଥ ପତ୍ନୀ ଜେରୀ ହଲଙ୍କଠାରୁ ଛାଡ଼ପତ୍ର ନେଇ ବିବାହ ବନ୍ଧନରୁ ମୁକ୍ତ ହୋଇଥିଲେ ।

Leave a Reply

Your email address will not be published. Required fields are marked *