ଭାରତରେ ମେଟାକୁ ଲାଗିଲା ବଡ ଝଟ୍କା, CCI ଲଗାଇଲା ୨୧୩ କୋଟିର ଜୋରିମାନା…
1 min readସୋସିଆଲ ମିଡିଆ କମ୍ପାନୀ ମେଟାକୁ ଲାଗିଲା ବଡ଼ ଝଟକା । ଭାରତ ଲଗାଇଲା ମୋଟା ଅଙ୍କର ଫାଇନ। ୨୧୩.୧୪ କୋଟି ଟଙ୍କାର ଏବେ ଗଣିବ ଜୋରିମାନା । ମେଟା ଉପରେ ଏହି ଜୋରିମାନା ଲଗାଇଛି ସିସିଆଇ । ବାସ୍ତବରେ, ଏହା ସହ ଜଡିତ ପ୍ରାଇଭେସି ପଲିସିର ଅପବ୍ୟବହାର କରାଯାଇଥିବା ଅଭିଯୋଗରେ ଭାରତର କମ୍ପିଟିସନ୍ କମିସନ ଅଫ୍ ଇଣ୍ଡିଆ ଯଥା CCI ମେଟା ଉପରେ ୨୧୩.୧୪ କୋଟି ଟଙ୍କାର ଜରିମାନା ଲଗାଇଛି। ହ୍ୱାଟସ୍ଆପ୍ ୨୦୨୧ର ପ୍ରାଇଭେସି ପଲିସି ଅପଡେଟ୍ ସମ୍ପର୍କରେ ଅନୈତିକ ବ୍ୟବସାୟିକ ତରିକା ଆପଣାଇଥିବାରୁ ଏହି ଜରିମାନା ଲାଗୁ ହୋଇଛି।
କେବଳ ସେତିକି ନୁହେଁ ୟୁଜର୍ସଙ୍କ ଡାଟା ଚୋରି ଅଭିଯୋଗ ଉପରେ ମଧ୍ୟ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପ୍ରତିଯୋଗିତା ବିରୋଧୀ ଆଚରଣରୁ ନିବୃତ୍ତ ହେବା ଏବଂ ବନ୍ଦ କରିବାକୁ CCI ମେଟାକୁ ନିର୍ଦ୍ଦେଶ ଦେଇଛି । ସେହିପରି CCI ହ୍ବାଟସ୍ ଆପ୍କୁ ମଧ୍ୟ ଏହାର ପ୍ଲାଟଫର୍ମରେ ସଂଗୃହୀତ ଉପଭୋକ୍ତା ତଥ୍ୟକୁ ଅନ୍ୟ ମେଟା ଉତ୍ପାଦ କିମ୍ବା କମ୍ପାନୀଗୁଡିକ ସହିତ ବିଜ୍ଞାପନ ଉଦ୍ଦେଶ୍ୟରେ ପାଞ୍ଚ ବର୍ଷ ପାଇଁ ଅଂଶୀଦାର ନକରିବାକୁ ନିର୍ଦ୍ଦେଶ ଦେଇଛି ।
CCI ର ଏହି ନିଷ୍ପତ୍ତି ଫଳରେ ମେଟା ହ୍ବାଟସ୍ ଆପ୍କୁ ବଡ ଝଟକା ଲାଗିଛି । ହ୍ୱାଟସ୍ ଆପ୍ ବ୍ୟବହାରକାରୀଙ୍କ ଗୋପନୀୟତା ନୀତି ସହିତ ଟାମ୍ପରିଂ ପାଇଁ ମାର୍କ ଜୁକରବର୍ଗଙ୍କ କମ୍ପାନୀ ଉପରେ ଜରିମାନା ଓ ତଥ୍ୟ ବାଣ୍ଟିବା ଉପରେ ନିଷେଧାଦେଶ ଲାଗୁ କରାଯିବା ସହ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ କମ୍ପାନୀ ଏହାକୁ ଉନ୍ନତ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛି।ହ୍ୱାଟସ୍ ଆପ୍ରେ ଦେଶରେ ମାସିକ ୫୦୦ ମିଲିୟନରୁ ଅଧିକ ସକ୍ରିୟ ଉପଭୋକ୍ତା ଅଛନ୍ତି । ସାଢେ ତିନି ବର୍ଷରୁ ଅଧିକ ଅନୁସନ୍ଧାନ ପରେ, ସିସିଆଇ ଜାଣିବାକୁ ପାଇଛି ଯେ ହ୍ବାଟସ୍ ଆପ୍ରେ ‘ନିଆଯିବା କିମ୍ବା ଛାଡିବା’ ନୀତି ଅପଡେଟ୍ ଠିକ୍ ନୁହେଁ । ଏହା ସମସ୍ତ ଉପଭୋକ୍ତାଙ୍କୁ ବିସ୍ତାରିତ ତଥ୍ୟ ସଂଗ୍ରହ ସର୍ତ୍ତାବଳୀ ଗ୍ରହଣ କରିବାକୁ ଏବଂ କୌଣସି ଅପ୍ଟ-ଆଉଟ୍ ବିନା ମେଟା ଗ୍ରୁପ୍ ମଧ୍ୟରେ ତଥ୍ୟ ଅଂଶୀଦାର କରିବାକୁ ବାଧ୍ୟ କରିଥିଲା ।