Pratidin TV

Odisha's Digital News Platform

ପୁଣି ନିର୍ଯ୍ୟାତିତ ଦାଦନ : ଗୋଡ ଓ ହାତ ପାପୁଲି କାଟି ବିଦାକରିଦେଲେ

ଗଜପତି : ପୁଣି ନିର୍ଯ୍ୟାତିତ ଦାଦନ । ଏଥର ସବୁ ସୀମା ଡେଇଁଲା ନିର୍ଯ୍ୟାତନା । ଗୋଡ ଏବଂ ହାତ ପାପୁଲି କାଟି ବିଦାକରିଦେଲେ । ଆପଣମାନଙ୍କୁ ଚଳଚିତ୍ରର ଏକ କାହଣୀ ପରି ଲାଗୁଥିଲେ ମଧ୍ୟ ଏହା ଏକ ନିରାଟ ସତ । ଏଭଳି ଏକ ବିଭତ୍ସ ଅଭିିଯୋଗ ଗଜପତି ଅଡବା ଥାନାକୁ ଆସିଛି । ସୂଚନା ଅନୁଯାୟୀ ଗଜପତିର କଳବା ଗ୍ରାମର ଶାଙ୍କ ମୁର୍ମୁ ନାମକ ଜଣେ ବ୍ୟକ୍ତି ୟୁପିକୁ ଦାଦନ ଖଟିବାକୁ ଯାଇଥିଲେ ।

ଗତ ୧୩ ତାରିଖ ୪ ଜଣ ସ୍ଥାନୀୟ ଦଲାଲ୍ ତାଙ୍କୁ କାମ ଦେବା ସହ ମାସିକ ୨୦ ହଜାର ଟଙ୍କା ମିଳିବାର ପ୍ରଲୋଭନ ଦେଖାଇ ୟୁପି ନେଇ ଯାଇଥିଲେ । ସେଠାରେ ତାଙ୍କୁ ଏକ ସିମେଣ୍ଟ କମ୍ପାନୀରେ ହାଡଭଙ୍ଗା ପରିଶ୍ରମ ମଧ୍ୟ କରାଉଥିଲେ । ତେବେ ସପ୍ତାହେ କାମ କରିବା ପରେ ଶାଙ୍କ ତାଙ୍କର ପାରିଶ୍ରମିକ ମାଗିଥିଲେ।

ଶାଙ୍କ ଟଙ୍କା ମାଗିବାରୁ ଦଲାଲ ଉତ୍ତ୍ୟକ୍ତ ହୋଇ ପଡ଼ିଥିଲେ। ତାଙ୍କୁ ମାରପିଟ୍ କରିଥିଲେ। ପରେ ତାଙ୍କୁ ମଦ ପିଆଇ ଅଚେତ କରି ବାମ ଗୋଡ଼ ଓ ଡାହାଣ ହାତ ପାପୁଲି କାଟି ଦେଇଥିଲେ। ଏହାପରେ ଝାଂସିର ଏକ ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରେ ୨ଦିନ ଚିକିତ୍ସା କରିବା ପରେ ୩୦ ତାରିଖରେ ଶାଙ୍କଙ୍କୁ ନିଜ ଘରେ ଆଣି ଛାଡ଼ି ପଳାଇଥିଲେ ଦଲାଲ। ଆଉ ଗଲା ବେଳେ ଏହି କଥା ପୁଲିସକୁ ନଜଣାଇବାକୁ ଚେତାବନୀ ଦେଇଥିଲେ। ପୁଲିସ୍କୁ ଜଣାଇଲେ ମାରିଦେବାକୁ ଧମକ ଦେଇଥିଲେ। ଏମିତିକି ତାଙ୍କ ସହ ତାଙ୍କ ପିଲାଛୁଆଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ ଦଲାଲ।

Leave a Reply

Your email address will not be published. Required fields are marked *