Pratidin TV

Odisha's Digital News Platform

୨୩ ବର୍ଷ ଆନ୍ତର୍ଜାତୀୟ କ୍ରିକେଟକୁ ଅଲ୍‌ବିଦା: ଭାବବିହ୍ୱଳ ପୋଷ୍ଟ ସହିତ ବିଦାୟ ଜଣାଇଲେ ମିଥାଲି ରାଜ୍‌

1 min read

ନୂଆଦିଲ୍ଳୀ: ଭାରତୀୟ ମହିଳା କ୍ରିକେଟର ତଥା ପୂର୍ବତନ ଅଧିନାୟିକା ମିଥାଲି ରାଜ କ୍ରିକେଟରୁ ସନ୍ନ୍ୟାସ ଗ୍ରହଣ କରିଛନ୍ତି । ଦୀର୍ଘ ୨୩ ବର୍ଷ ଧରି କ୍ରିକେଟରେ ସକ୍ରିୟ ରହିବା ପରେ ଅଲବିଦା ଜଣାଇଛନ୍ତି ମିଥାଲି । ଏକ ଟ୍ୱିଟ୍ଟର ପୋଷ୍ଟ ଜରିଆରେ ସେ ନିଜର ଅବସର ଘୋଷଣା କରିଛନ୍ତି । ସବୁ ଯାତ୍ରା ପରି ଏହା ମଧ୍ୟ ଶେଷ ହୋଇଛି, ମୁଁ ଆନ୍ତର୍ଜାତୀୟ କ୍ରିକେଟକୁ ଟାଟା କହୁଛି । ପ୍ରତିଥର ପଡିଆକୁ ଓହ୍ଲାଇଲେ ମୋର ଶ୍ରେଷ୍ଠ ପ୍ରଦର୍ଶନ ଦେଇ ଭାରତକୁ ଜିତେଇବାକୁ ପ୍ରୟାସ କରିଥାଏ । ଭାରତୀୟ ଦଳର ଭବିଷ୍ୟତ ଏବେ ସୁରକ୍ଷିତ ହାତରେ ରହିଛି । ଦୀର୍ଘ ବର୍ଷ ଧରି ଭାରତୀୟ ଦଳର ସେବା କରିବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି । ଜଣେ ଖେଳାଳି ଏବଂ ଭାରତୀୟ ମହିଳା ଦଳର ଅଧିନାୟକ ଭାବରେ ମିଳିଥିବା ସୁଯୋଗ ପାଇଁ ମୁଁ ବିସିସିଆଇ ଏବଂ ଜୟ ଶାହଙ୍କ ନିକଟରେ କୃତଜ୍ଞ ।

ଏହା ସହିତ ଖେଳାଳି ଭାବରେ ଯାତ୍ରା ଶେଷ ହୋଇଥିଲେ ହେଁ ସେ କ୍ରିକେଟ ସହିତ ଜଡିତ ରହିବେ ବୋଲି କହିଛନ୍ତି ମିଥାଲି । ସର୍ବଦା ମହିଳା କ୍ରିକେଟର ଉନ୍ନତି ପାଇଁ କାର୍ଯ୍ୟ କରିବେ ବୋଲି କହିବା ସହତିତ ସପୋର୍ଟ ପାଇଁ ନିଜ ଫ୍ୟାନ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ୧୯୯୯ରେ ଭାରତ ପାଇଁ ପଦାର୍ପଣ କରିଥିବା ମିଥାଲି ୧୨ଟି ଟେଷ୍ଟ, ୨୩୨ଟି ଦିନିକିଆ ଏବଂ ୮୯ଟି ଟି-୨୦ ମୁକାବିଲା ଖେଳିଛନ୍ତି । ୧୨ଟି ଟେଷ୍ଟରୁ ୨୧୪ର ସର୍ବାଧିକ ସ୍କୋର ସହିତ ୬୯୯ ରନ୍ କରିଥିବା ବେଳେ ୨୩୨ଟି ଦିନିକିଆରୁ ୭ଶତକ ଓ ୨୫ ଅର୍ଦ୍ଧଶତକ ସହିତ ୭୮୦୫ ରନ କରିଛନ୍ତି । ଏହା ସହିତ ୮୯ଟି ଟି-୨୦ ମୁକାବିଲାରୁ ୧୭ଟି ଅର୍ଦ୍ଧଶତକ ସହିତ ୨୩୬୪ ରନ କରିଛନ୍ତି । ଏହା ସହ ୨୦୨୨ରେ ଚାର୍ଲୋଟ୍ ଏଡୱାର୍ଡସଙ୍କ ୧୦୨୭୩ ରନକୁ ଅତିକ୍ରମ କରି ସର୍ବାଧିକ ରନ୍ ହାସଲକାରୀ ମହିଳା ଖେଳାଳିର ମାନ୍ୟତା ହାସଲ କରିଛନ୍ତି ମିଥାଲି । ସର୍ବାଧିକ ବର୍ଷ ଧରି ଅନ୍ତର୍ଜାତୀୟ କ୍ରିକେଟ ଖେଳିବାର ରେକର୍ଡ ନିଜ ନାମରେ ରଖିଛନ୍ତି ମିଥାଲି । ସଚିନ୍ ତେନ୍ଦୁଲକର ଏବଂ ସନଥ ଜୟସୁରିୟାଙ୍କୁ ପଛରେ ପକାଇଛନ୍ତି । ଭାରତ ସରକାରଙ୍କ ପକ୍ଷରୁ ୨୦୦୩ରେ ଅର୍ଜୁନ, ୨୦୧୫ରେ ପଦ୍ମଶ୍ରୀ ଏବଂ ୨୦୨୧ରେ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ପ୍ରଦାନ କରାଯାଇଛି ।

Advertisement

Leave a Reply

Your email address will not be published. Required fields are marked *