Pratidin TV

Odisha's Digital News Platform

ବିଧାୟକ ବିଜୟଶଙ୍କରଙ୍କୁ ଝଟକା, ଖାରଜ ହେଲା ତାଙ୍କର ବିବାହ ଆବେଦନ..

ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କୁ ମିଳିଲା ବଡ ଝଟକା। ସେ କରିଥିବା ବିବାହ ଆବେଦନକୁ କଟକ ସବରେଜିଷ୍ଟ୍ରାର କୋର୍ଟ ଖାରଜ କରିଦେଇଛନ୍ତି। ଯାହାଫଳରେ ବାନ୍ଧବୀ ସୋମାଲିକା ଦାଶଙ୍କୁ ମିଳିଛି ଆଶ୍ୱସ୍ତି । ବିବାହ ଆବେଦନରେ ଭୁଲ ତଥ୍ୟ ଦେଇଥିବା ଆଧାରରେ ବିଜୟଶଙ୍କରଙ୍କ କୋର୍ଟ ଆବେଦନକୁ ଖାରଜ କରିଛନ୍ତି। ଭୁଲ ତଥ୍ୟ ଦେଇ ବିବାହ କରିବାକୁ ବିଜୟ ଆବେଦନ କରିଥିବା ନେଇ ପୂର୍ବତନ ବାନ୍ଧବୀ ସୋମାଲିକା ଅଭିଯୋଗ କରିଥିଲେ। ଆବେଦନରେ ବିଜୟଶଙ୍କର ବିବାହ କରିବାକୁ ଥିବା ଯୁବତୀ ଅବିବାହିତା ବୋଲି ଦର୍ଶାଇଥିଲେ। କିନ୍ତୁ ସଂପୃକ୍ତ ଯୁବତୀ ବିବାହିତା ଓ ବିଜୟଶଙ୍କର କୋର୍ଟରେ ଭୁଲ ତଥ୍ୟ ଦେଇଛନ୍ତି ବୋଲି ସୋମାଲିକା ତଥ୍ୟ ଦାଖଲ କରିଥିଲେ।

ସୋମାଲିକାଙ୍କ ଦ୍ୱାରା ହୋଇଥିବା ଅଭିଯୋଗକୁ ଗୁରୁତର ସହ ନେଇଥିଲେ ବିବାହ ପଞ୍ଜୀକରଣ ଅଧିକାରୀ। ସେ ପ୍ରମାଣ ଦାଖଲ ପାଇଁ ସୋମାଲିକାକୁ ନିର୍ଦ୍ଦେଶ ଦେଇଥିଲେ । ସୋମାଲିକା ଏ ନେଇ ତଥ୍ୟ ପ୍ରମାଣ ଦାଖଲ କରିଥିଲେ। ତଥ୍ୟ ପ୍ରମାଣ ଯାଂଚ କରିବା ପରେ ବିଜୟ ଶଙ୍କର ଓ ସଂପୃକ୍ତ ଯୁବତୀଙ୍କ ସ୍ୱାମୀଙ୍କୁ ହାଜର ପାଇଁ ନୋଟିସ ଦିଆଯାଇଥିଲା । ହେଲେ ବିଜୟ ଶଙ୍କର ହାଜର ହୋଇନଥିଲେ । ସଂପୃକ୍ତ ଯୁବତୀଙ୍କ ସ୍ୱାମୀ ହାଜର ହୋଇ ତଥ୍ୟ ପ୍ରମାଣ ଦାଖଲ କରିଥିଲେ । ଆଉ ଏହି ପ୍ରମାଣ ଆଧାରରେ କୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଆବେଦନରେ ତ୍ରୁଟି ଦର୍ଶାଇ ବିଜୟଶଙ୍କରଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି କଟକ ସବରେଜିଷ୍ଟ୍ରାର କୋର୍ଟ । ତେବେ ଆଇନ୍‌ଜୀବୀଙ୍କ କହିବା ଅନୁସାରେ ବିଜୟ ଶଙ୍କର ଚାହିଁଲେ, ଆଉ ଥରେ ବିବାହ ପାଇଁ ଆବେଦନ କରିପାରିବେ । ସେ ଠିକ୍ ସତ୍ୟପାଠ ଦାଖଲ କରି ବିବାହ ଆବେଦନ କରିପାରିବେ ।

Leave a Reply

Your email address will not be published. Required fields are marked *