Pratidin TV

Odisha's Digital News Platform

ମହିଳା ସଂରକ୍ଷଣ ବିଲ୍ ପାସ ପରେ ବିଜେଡି ନେଲା ବଡ ନିଷ୍ପତ୍ତି; ବାଚସ୍ପତି ପଦଲାଗି ପ୍ରାର୍ଥୀ ହେଲେ ପ୍ରମିଳା ମଲ୍ଲିକ

ଭୁବନେଶ୍ୱର : ଆଜି ଓଡିଶା ବିଧାନସଭାର ବାଚସ୍ପତି ପଦ ପାଇଁ ପ୍ରାର୍ଥୀମାନେ ନାମାଙ୍କନ ଭରିବେ । ତେବେ ଓଡିଶାର ବିଧାସଭାରେ ଚଳିତ ବର୍ଷ ସୃଷ୍ଟି ହେବ ଇତିହାସ । ପ୍ରଥମ ଥର ଜଣେ ମହିଳା ବାଚସ୍ପତି ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବେ । ଆଜି ନାମାଙ୍କନ ଭରିବେ ବିଧାୟିକା ପ୍ରମିଳା ମଲ୍ଲିକ । ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ଗତକାଲି ବିଜେଡି ପ୍ରାର୍ଥୀ ଘୋଷଣା କରିଥିଲା । ଆସନ୍ତାକାଲି ସକାଳ ସାଢ଼େ ୯ଟାରେ ବାଚସ୍ପତି ନିର୍ବାଚନ ହେବ । ଆଜି ସେ ନାମାଙ୍କନ ଦାଖଲ କରିବେ । ତାପୂର୍ବରୁ ମନ୍ତ୍ରୀ ଭାବରେ ଇସ୍ତଫାପତ୍ରକୁ ରାଜ୍ୟପାଳ ଗ୍ରହଣ କରିବେ । ବିକ୍ରମ କେଶରୀ ଆରୁଖଙ୍କୁ ମନ୍ତ୍ରୀ କରାଯିବା ପରେ ଦୀର୍ଘ ଦିନ ଧରି ଖାଲି ପଡ଼ିଥିଲା ବିଧାନସଭାର ବାଚସ୍ପତି ପଦ । ବିଜେଡିର ୫ମ ପାଳି ସରକାରରେ ରାଜସ୍ୱ ମନ୍ତ୍ରୀ ଥିବା ପ୍ରମିଳା ମଲ୍ଲିକ ୬ ଥର ବିଧାୟିକା ହୋଇଛନ୍ତି । ସେହିଭଳି ବିଜେଡି ସରକାରରେ ଏକାଧିକ ଥର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ମନ୍ତ୍ରୀ ଭାବେ ଅଭିଜ୍ଞ ଓ ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ ଦଳର ଦାୟିତ୍ୱ ତୁଲାଇଛନ୍ତି ।

ପ୍ରମିଳା ବାଚସ୍ପତି ହେଲେ ସେ ହେବେ ଓଡ଼ିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି ।ତେବେ ପ୍ରମିଳାଙ୍କୁ କାହିଁକି ବାଚସ୍ପତି ନିର୍ବାଚନ ପାଇଁ ପ୍ରାର୍ଥୀ କଲା ବିଜେଡି ? ସପ୍ଟେମ୍ବର ୧୯ରେ ସାରା ଦେଶରେ ମହିଳା ସଂରକ୍ଷଣ ବିଲ ବିତର୍କ ଚାଲିଥିବା ବେଳେ ତା ଭିତରେ ବିଜେଡି ପ୍ରମିଳା ମଲ୍ଲିକଙ୍କୁ ବାଚସ୍ପତି ପ୍ରାର୍ଥୀ କରିଛି । ମହିଳାଙ୍କୁ ଫୋକସ କରିଛନ୍ତି ବିଜେଡି ସୁପ୍ରିମୋ । ଅନୁସୂଚିତ ଜାତି ବର୍ଗରୁ ପ୍ରତିନିଧିତ୍ୱ କରୁଛନ୍ତି ପ୍ରମିଳା ମଲ୍ଲିକ । ସେ ହେବେ ବିଧାନସଭାର ପ୍ରଥମ ମହିଳା ବାଚସ୍ପତି ଓ ଅନୁସୂଚିତ ଜାତିରୁ ବି ପ୍ରଥମ । ଉପବାଚସ୍ପତି ରଜନୀକାନ୍ତ ସିଂଙ୍କଠାରୁ ସେ ସିନିଅର । ରଜନୀକାନ୍ତ ୪ ଥର ବିଧାୟକ ହୋଇଥିବା ବେଳେ ପ୍ରମିଳା ୬ ଥର ବିଧାୟିକା ରହିଛନ୍ତି । ସେହିପରି ନବୀନଙ୍କ କ୍ୟାବିନେଟରେ ମନ୍ତ୍ରୀ ଥିଲେ ପ୍ରମିଳା ।

ସରକାରୀ ଦଳ ମୁଖ୍ୟ ସଚେତକ ଦାୟିତ୍ୱ ବି ସେ ତୁଲାଇଛନ୍ତି । ଏହି ଅଭିଜ୍ଞତା ତାଙ୍କୁ ଗୃହ କାର୍ଯ୍ୟକୁ ସୁରୁଖୁରୁରେ ଚଳାଇବା ଦିଗରେ ସହାୟକ ହେବ । ସବୁ ଦଳର ବିଧାୟକଙ୍କ ସମ୍ମାନ ତାଙ୍କ ପ୍ରତି ଅତୁଟ ରହିବ । ବିଞ୍ଝାରପୁରରୁ ୬ ଥର ବିଧାୟିକା ହୋଇଛନ୍ତି ପ୍ରମିଳା ମଲ୍ଲିକ ।୧୯୯୦, ୨୦୦୦, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ରେ ବିଞ୍ଝାରପୁର ଆସନରୁ ହୋଇଛନ୍ତି ବିଧାୟିକା । ୧୯୯୦ରେ ପ୍ରଥମେ ଜନତା ଦଳରୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ ପ୍ରମିଳା । ୨୦୦୦ ମସିହାରୁ କ୍ରମାଗତ ଭାବେ ସେ ବିଜେଡିରୁ ବିଧାୟିକା ଭାବେ ଜିତି ଆସୁଛନ୍ତି । ବିଭିନ୍ନ ସମୟରେ ସେ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ମନ୍ତ୍ରୀ ଦାୟିତ୍ୱରେ ରହିଛନ୍ତି ପ୍ରମିଳା ମଲ୍ଲିକ ।

Leave a Reply

Your email address will not be published. Required fields are marked *