Pratidin TV

Odisha's Digital News Platform

ପୁରୀ ବେଳାଭୂମିରେ ମିଳିବ ବିୟର ମଜା ! ଚେତାଇଲେ ବୁଦ୍ଧିଜୀବୀ ..

ଗୋଆ ଭଳି ପୁରୀ ବେଳାଭୂମରେ ବିଚ୍ ସ୍ୟାକ୍ସ । ରାଜ୍ୟ ସରକାର ଆଣିଛନ୍ତି ନୂଆ ଅବକାରୀ ନୀତି । ଗୋଆ ଓ ଥାଇଲାଣ୍ଡ ଢାଞ୍ଚା ଭଳି ସମୁଦ୍ର ବେଳା ଭୂମିରେ ମଦ ବାର୍‌ ଓ ରେସ୍ତୋରାଁ ଖୋଲିବାକୁ ନୂଆ ନୀତିରେ ଲାଗୁ କରାଯାଇଛି । ପୂର୍ବରୁ ଏପରି ଯୋଜନା କରି ଅକଳରେ ପଡିଥିଲେ ପୂର୍ବତନ ବିଜେଡି ସରକାର । ହେଲେ ନୂଆ ସରକାର ପୁଣି ଏହି ବ୍ୟବସ୍ଥାକୁ ଲାଗୁ କରିଛନ୍ତି । ଯାହାକୁ ନେଇ ଏବେ ଆରମ୍ଭ ହୋଇଛି ତ୍ରୀବ ବିରୋଧ । ବିଭିନ୍ନ ସଂଗଠନ ପକ୍ଷରୁ ପୁରୀ ସିଂହଦ୍ବାର ସମ୍ମୁଖରେ ଦୀପ ଦାନ କରି ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଖାଲି ସେତିକି ନୁହେଁ ବୁଦ୍ଧିଜୀବି, ସେବାୟତ ଓ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ସମସ୍ତେ ମହୋଦଧି ଛାତିରେ ମଦ ବିକ୍ରିକୁ ନିନ୍ଦା କରିଛନ୍ତି । ଗ୍ରାମାଞ୍ଚଳରେ ମଦ ଦୋକାନ ଖୋଲିବନି, ହେଲେ ବେଳାଭୂମିରେ ମିଳିବ ମଦ, ଏହାକୁ ବିରୋଧ କରି ମଦମୁକ୍ତ ଓଡିଶା ଓ ବେଳାଭୂମିରେ ମଦ କୁଡିଆ ତିଆରି ଯୋଜନାକୁ ବନ୍ଦ କରିବା ପାଇଁ ଦାବି କରିଛନ୍ତି ।

ବେଳାଭୂମିରେ ଛୋଟ ଛୋଟ ଷ୍ଟଲ ବା ଚାଳିଆ, ମଦ ବାର୍‌ ନିର୍ମାଣ ସହ ଗ୍ରାହକଙ୍କୁ ମଦ ସହ ଖାଦ୍ୟ ପରସା ଯାଇଥାଏ । ତାହାକୁ ବିଚ୍‌ ସାକ୍ସ କୁହାଯାଏ । ଗୋଆ ଓ ଥାଇଲାଣ୍ଡରେ ଏଭଳି ବ୍ୟବସ୍ଥା ଅଛି । ବେଳାଭୂମିରେ ଅସ୍ଥାୟୀ ଭାବେ କୁଡିଆ କରି ମଦ ବାର୍‌ ଓ ରେସ୍ତୋରାଁ କରାଯାଏ । ସେଠାରେ ପର୍ଯ୍ୟଟକଙ୍କୁ ଖାଦ୍ୟ ସହ ମଦ ମଧ୍ୟ ପରସା ଯାଇଥାଏ । ମୁଖ୍ୟତଃ ଏହା ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଠ କରିବା ଲକ୍ଷ୍ୟ କରାଯାଏ । ତେବେ ଏଭଳି ବ୍ୟବସ୍ଥା ଓଡ଼ିଶାରେ ନାହିଁ । ବିଚ୍‌ ସାକ୍ସ ବ୍ୟବସ୍ଥା କରିବାକୁ ପୂର୍ବରୁ ଅର୍ଥାତ୍‌ 2021ରେ ବିଜେଡି ସରକାରରେ ଥିବା ସମୟରେ ଏହାକୁ ଲାଗୁ କରିବାକୁ ଯୋଜନା କରିଥିଲା । ହେଲେ ପ୍ରବଳ ବିରୋଧ ପରେ ଏଥିରୁ ନିବୃତ୍ତ ରହିଥିଲା । । ତେବେ କହିରଖୁଛୁ, ନୂଆ ସରକାର ପୁଣି ବେଳାଭୂମିରେ ମଦ ବିକ୍ରି କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଯାହାକୁ ନେଇ ତୀବ୍ର ବିରୋଧ ଦେଖାଦେଇଚି । ଏନେଇ ଜିଲ୍ଳାପାଳ କହିଛନ୍ତି, ସରକାରଙ୍କ ନିର୍ଦ୍ଦେଶ ରହିଲେ ହେଲେ ଲୋକଙ୍କ ସମସ୍ୟା ଓ ପାରିପାର୍ଶ୍ବିକ ଅବସ୍ଥାକୁ ଦୃଷ୍ଟିରେ ରଖି ଏନେଇ ପଦକ୍ଷେପ ନିଆଯିବ ।ପୁରୀ ଏକ ପବିତ୍ର ଧର୍ମକ୍ଷେତ୍ର । ପଞ୍ଚତୀର୍ଥ ମଧ୍ୟରେ ମହୋଦଧି ହେଉଛି ଅନ୍ୟତମ ପବିତ୍ର ସ୍ଥାନ। ଏଠାରେ ମହାପ୍ରଭୁଙ୍କର ଅନେକ ନୀତି କାନ୍ତି ଅନୁଷ୍ଠିତ ହେଉଥିବା ବେଳେ ଭକ୍ତ ମାନେ ମଧ୍ୟ ଏଠାକୁ ଆସି ଅସ୍ଥି ବିସର୍ଜନ ସହିତ ମହୋଦଧିରେ ସ୍ନାନ କରି ନିଜକୁ ପବିତ୍ର ମନେ କରିଥାନ୍ତି। ପୁରୀ ଏକ ତୀର୍ଥକ୍ଷେତ୍ର ହୋଇଥିବା ବେଳେ ହଜାର ହଜାର ଭକ୍ତ ପ୍ରତିଦିନ ବେଳାଭୂମିକୁ ଆସିଥାନ୍ତି। ତେଣୁ ବେଳାଭୂମିରେ ମଦ ଦୋକାନ ଖୋଲିଲେ ଏହାର ପବିତ୍ରତା ନଷ୍ଟ ହେବା ସହ ଅନେକ ବିଶୃଙ୍ଖଳା ପରିସ୍ଥିତି ସହ ଅପରାଧ ମଧ୍ୟ ବଢ଼ିବ। ଏଣୁ ଏହି ତୀର୍ଥସ୍ଥଳୀକୁ ରାଜ୍ୟ ସରକାର ଭୋଗ ସ୍ଥଳୀରେ ପରିଣତ ନକରିବା ପାଇଁ ଅନୁରୋଧ କରିଛନ୍ତି ସେବାୟତ ଓ ବୁଦ୍ଧିଜୀବୀ।

Leave a Reply

Your email address will not be published. Required fields are marked *