ସମୀର ଦେ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ, ଅମର ଆତ୍ମାର ସଦ୍ଗତି କାମନା କଲେ ମୋହନ..
1 min readଦୁଃଖରେ ବୁଡିଗଲା ସାରା ରାଜ୍ୟ।କାରଣ ଅଫେରା ରାଇଜରେ ବରିଷ୍ଠ ବିଜେପି ନେତା କଟକର ଟାଣୁଆ ନେତା ତଥା ପୂର୍ବତନ ନଗର ଉନ୍ନୟନ ଓ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ସମୀର ଦେ। କଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ୬୭ ବର୍ଷ ବୟସରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ସମୀର ଦେ ପ୍ରାଣତ୍ୟାଗ କରିଛନ୍ତି। ବରିଷ୍ଠ ବିଜେପି ନେତା ସମୀର ଦେ’ଙ୍କ ମୃତ୍ୟୁ ଖବର ପରେ ରାଜ୍ୟ ରାଜନୀତିରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିନ୍ତି।
ଟ୍ୱିଟ କରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେ’ଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ତାଙ୍କର ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଉଛି। ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ। କେବଳ ମୁଖ୍ୟମନ୍ତ୍ରୀ ନୁହନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ସାଂସଦ ବୈଜୟନ୍ତ ପଣ୍ଡା, ସାଂସଦ ଭର୍ତ୍ତୃହରି ମହତାବ, ବରିଷ୍ଠ ନେତା ସମୀର ମହାନ୍ତି ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।
ସୂଚନାଥାଉକି, ନଭେମ୍ବର ୧ ତାରିଖରୁ ପୂର୍ବତନ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତାଙ୍କୁ ଛାତିରେ ଯନ୍ତ୍ରଣା ଅନୁଭବ କାରଣରୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ତାଙ୍କ ଦେହାନ୍ତ ହୋଇଛି। କିଛି ଦିନ ତଳେ ତାଙ୍କର ସଫଳ କିଡନି ପ୍ରତିରୋପଣ କରାଯାଇଥିଲା। ସମୀର ଦେ ତିନି ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ଭାଜପା ଟିକେଟରେ କଟକ ସିଟି ବିଧାନସଭା ଆସନରୁ ଲଗାତାର ତିନି ଥର ବିଜୟୀ ହୋଇଥିଲେ।୧୯୯୫, ୨୦୦୦ ଓ ୨୦୦୪ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିଲେ ସମୀର ଦେ। ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ସେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ମେଣ୍ଟ ସରକାରରେ ନଗର ଉନ୍ନୟନ ମନ୍ତ୍ରୀ ଥିଲେ। ସେହିପରି ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ସେ ଉଚ୍ଚଶିକ୍ଷା ମନ୍ତ୍ରୀ ହୋଇଥିଲେ।