Pratidin TV

Odisha's Digital News Platform

ଅସୁସ୍ଥ ଅଛନ୍ତି ପୂର୍ବତନ ରାଜ୍ୟପାଳ , ମେଡିକାଲ ଯାଇ ଭେଟିଲେ ମୋହନ , ନବୀନ ବି କରିଲେ ଆଶୁ ଆରୋଗ୍ୟ କାମନା…

ଅସୁସ୍ଥ ଅଛନ୍ତି ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ରର ପୂର୍ବତନ ରାଜ୍ୟପାଳ ତଥା ବରିଷ୍ଠ ରାଜନେତା ବିଶ୍ବଭୂଷଣ ହରିଚନ୍ଦନ । ବିଶ୍ୱଭୂଷଣ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଏବେ ଚିକିତ୍ସିତ ହେଉଛନ୍ତି । ଗତକାଲି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ   ବିଶ୍ୱଭୂଷଣ ହରିଚନ୍ଦନଙ୍କୁ  ଭେଟିଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିବା ସହିତ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।   ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବିଶ୍ବଭୂଷଣଙ୍କ ଆସୁ ଆରୋଗ୍ୟ କାମନା କରିଛନ୍ତି ।

ବିଶ୍ୱଭୂଷଣ ହରିଚନ୍ଦନ ହେଉଛନ୍ତି ଓଡ଼ିଶାର ବରିଷ୍ଠ ରାଜନେତା ତଥା ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ର ପୂର୍ବତନ ରାଜ୍ୟପାଳ  । ବର୍ତ୍ତମାନ  ବୟସାଧିକ କାରଣରୁ ବିଶ୍ବଭୂଷଣଙ୍କ ବିଭିନ୍ନ ସ୍ୱାସ୍ଥ୍ୟ ଗତ ସମସ୍ୟା ଦେଖାଦେଇଛି । ତେଣୁ ତାଙ୍କୁ ପରିବାର ପକ୍ଷରୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅସୁସ୍ଥତାବଶତଃ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବିଶ୍ବଭୂଷଣଙ୍କୁ ହସ୍ପିଟାଲରେ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଶ୍ୱଭୂଷଣଙ୍କ ସହ ହାତ ମିଳେଇବା ସହ ମୁଖ୍ୟମନ୍ତ୍ରୀ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ବିଶ୍ୱଭୂଷଣଙ୍କୁ ଏକ ଡାକ୍ତରୀ ଟିମ୍‌ ଚିକିତ୍ସା କରୁଛନ୍ତି ।

ବିଶ୍ୱଭୂଷଣଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନଙ୍କ ସହିତ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି । ତାଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ଆଲୋଚନା କରିବା ସହ ସେ ଯେପରି ଶୀଘ୍ର ଆରୋଗ୍ୟ ଲାଭ କରିବେ ସେଥିପାଇଁ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି । ସାକ୍ଷାତ ସମୟରେ ବିଶ୍ୱଭୂଷଣଙ୍କ ପୁଅ ତଥା ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ମଧ୍ୟ ଉପସ୍ଥିତ ଥିଲେ । ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ବିଶ୍ଵଭୂଷଣ ହରିଚନ୍ଦନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି । ବିଶ୍ୱଭୂଷଣଙ୍କ ଅସୁସ୍ଥତା ଖବର ପାଇ ନବୀନ ଆଜି ପୁଅ ତଥା ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନଙ୍କୁ ଫୋନ କରିଥିଲେ । ବିଶ୍ୱଭୂଷଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ପଚାରି ବୁଝିବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।  ଏହାସହିତ ସୋସିଆଲ ମିଡିଆରେ ନବୀନ  ଲେଖିଛନ୍ତି, “ପୂର୍ବତନ ରାଜ୍ୟପାଳ ତଥା ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ ଅସୁସ୍ଥତା କାରଣରୁ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜାଣିବାକୁ ପାଇଲି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପୁଅ ପୃଥ୍ୱୀରାଜ ହରିଚନ୍ଦନଙ୍କ ସହ କଥା ହୋଇ ବୁଝିଲି । ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ଏବଂ ଦୀର୍ଘାୟୁ ଜୀବନ କାମନା କରୁଛି ।”

Leave a Reply

Your email address will not be published. Required fields are marked *