Pratidin TV

Odisha's Digital News Platform

ଭୁସୁଡିଲା ଝୁଲା ପୋଲ : ୧୪୧ ମୃତ୍ୟୁ, ଅନେକ ନିଖୋଜ

ନୂଆଦିଲ୍ଲୀ : ଗୁଜୁରାଟରେ ହୃଦୟଥରା ଦୁର୍ଘଟଣା । ନିର୍ମାଣଧିନ ଝୁଲା ପୋଲ ସାଜିଲା କାଳ । ବ୍ରିଜ ଦେଖିବା ସାଜିଲା କାଳ । ରବିବାର ସନ୍ଧ୍ୟାରେ ମୋର୍ବିର ମାଚ୍ଛୁ ନଦୀରେ ଝୁଲା ପୋଲ ଛିଡି ଯିବାରୁ ଏହି ଅଘଟଣ ଘଟିଛି।ବର୍ତ୍ତମାନ ସୁର୍ଦ୍ଧା ପ୍ରାୟ ୧୪୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ । ଏହି ମୃତ୍ୟୁ ସଂଖ୍ୟା ଆଗକୁ ଆହୁରି ବଢ଼ିବାରେ ବୋଲି ଆଶଙ୍କା କରାଯାଉଛି।
ଅନ୍ୟପଟେ ଦୁର୍ଘଟଣା ପରେ ୧୭୭ ଜଣଙ୍କୁ ଉଦ୍ଧାର କରାଯାଇଛି। ୧୯ ଜଣ ଏବେବି ଚିକିତ୍ସାଧୀନ ଅଛନ୍ତି। ଉଦ୍ଧାର କାର‌୍ୟ୍ୟରେ ଆର୍ମି, ନେଭି ଓ ଏୟାରଫୋର୍ସ ତିନି ସେନାର ଶତାଧିକ ଯବାନ ସାମିଲ ଅଛନ୍ତି। ବାୟୁସେନା ପକ୍ଷରୁ ଗରୁଡ଼ କମାଣ୍ଡୋଙ୍କୁ ନିୟୋଜିତ କରାଯାଇଛି। ଏନ୍ଡିଆର୍ଏଫ୍ ଓ ଅଗ୍ନିଶମ ବିଭାଗ କର୍ମଚାରୀ ମଧ୍ୟ ରାତିସାରା ଉଦ୍ଧାର କାର‌୍ୟ୍ୟରେ ନିୟୋଜିତ ଅଛନ୍ତି।
ନିକଟରେ ଏହି ଝୁଲା ପୋଲର ମରାମତି ପରେ ଯାତାୟତ ଆରମ୍ଭ ହୋଇଥିଲା।

ଗତକାଲି ଛଠ୍ ପର୍ବ ପାଳନ ପାଇଁ ଏଠି ଲୋକେ ଏକାଠି ହୋଇଥିଲେ। ଏକାସଙ୍ଗେ ଶତାଧିକ ଲୋକ ପୋଲ ଉପରେ ପ୍ରବେଶ କରିବାକୁ ଏହି ଅଘଟଣ ଘଟିଛି । ପୋଲ ତଳେ ନଦୀରେ ୧୫ ଫୁଟରୁ ଅଧିକ ଉଚ୍ଚର ପାଣି ପ୍ରବାହିତ ହେଉଥିଲା। ନଦୀକୁ ଖସିପଡ଼ିଥିବା ଏବଂ ପୋଲରେ ଅଟକି ରହିଥିବା ଲୋକମାନେ ସେମାନଙ୍କୁ ଉଦ୍ଧାର ପାଇଁ ଚିତ୍କାର କରିବାର ଦୃଶ୍ୟ ଅତ୍ୟନ୍ତ ହୃଦୟ ବିଦାରକ ଥିଲା। ପୋଲ ଭୁଶୁଡ଼ିବା ବେଳେ ବ୍ରିଜ୍ ଉପରେ ପ୍ରାୟ ୫୦୦ ଲୋକେ ଥିଲେ। ମୃତକଙ୍କ ମଧ୍ୟରେ ୫୦ରୁ ଅଧିକ ମହିଳା ଓ ଶିଶୁ ଥିବା ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡ଼ିଛି।


ମୋର୍ବି ମୁନିସିପାଲ କମିଶନର ସନ୍ଦିପ ସିଂ ଝାଲା କହିଛନ୍ତି ଯେ, ଉକ୍ତ ପୋଲ ସର୍ବସାଧାରଣଙ୍କ ପାଇଁ ଗତ ୨୬ ତାରିଖ ଖୋଲା ଯାଇଥିଲା। କିନ୍ତୁ କୌଣସି ସରକାରୀ ଅନୁମତି ନିଆଯାଇନଥିଲା। ଫଳରେ ଏଭଳି ଅଘଟଣା ଘଟିଥିଲା ବୋଲି ସେ କହିଛନ୍ତି।

ଆହତଙ୍କୁ ଚିକିତ୍ସା କରିବା ଲାଗି ରାଜକୋଟ ସିଭିଲ୍ ହସ୍ପିଟାଲରେ ସ୍ୱତନ୍ତ୍ର ଓ୍ୱାର୍ଡ କରାଯାଇଛି। ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଘଟଣାସ୍ଥଳ ଅନୁଧ୍ୟାନ ପରେ ହସ୍ପିଟାଲରେ ପହଞ୍ଚି ଆହତଙ୍କୁ ଭେଟିଛନ୍ତି। ମୃତକଙ୍କ ପରିବାରକୁ ରାଜ୍ୟ ସରକାର ୪ ଲକ୍ଷ ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଥିବା ବେଳେ କେନ୍ଦ୍ର ସରକାର ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି। ଆହତଙ୍କୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ୫୦ ହଜାର ଲେଖାଏଁ ଟଙ୍କା ଦେବେ।

Leave a Reply

Your email address will not be published. Required fields are marked *