Pratidin TV

Odisha's Digital News Platform

ତୁର୍କୀ ଓ ସିରିୟାର ଭୂକମ୍ପ ଡାଣ୍ଡବ ; ୧୦୦ ବର୍ଷ ପରେ ଏଭଳି କରାଳ ସ୍ଥିତି, ୭୦ ଲକ୍ଷରୁ ଉର୍ଦ୍ଧ ଶିଶୁ ପ୍ରଭାବିତ ..

ନୂଆଦିଲ୍ଲୀ : ତୁର୍କୀ, ସିରିଆରେ ଭୟଙ୍କର ଭୂମିକମ୍ପକୁ ୯ ଦିନ ବିତିଯାଇଛି । ଭଗ୍ନାବଶେଷ ତଳେ ଫସିଥିବା ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ମଧ୍ୟ ଜାରି ରହିଛି । ପାଖାପାଖି ୨୦୦ ଘଂଟାର ଅପରେଶନ୍ ପରେ ମଙ୍ଗଳବାର ୪ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଭୂମିକମ୍ପରେ ବର୍ତମାନ ସୁଦ୍ଧା ୩୮,୦୦୦ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ତୁର୍କୀରେ ୩୧,୯୭୪ ଏବଂ ସିରିଆରେ ୫,୭୧୪ ଜଣଙ୍କ ମୃତ୍ୟୁ ଘଟିଛି । ଉଭୟ ତୁର୍କୀ ଓ ସିରିଆରେ ୭୦ ଲକ୍ଷରୁ ଊର୍ଦ୍ଧ୍ୱ ଶିଶୁ ପ୍ରଭାବିତ ହୋଇଥିବା ଜାତିସଂଘ ପକ୍ଷରୁ ସୂଚନା ମିଳିଛି । ଭୂମିକମ୍ପ ଫଳରେ ତୁର୍କୀର ୧୦ ସହର କ୍ଷତିଗ୍ରସ୍ତ ହୋଇଛି ।

ତୁର୍କୀରେ ୪୬ ଲକ୍ଷ ଏବଂ ସିରିଆରେ ମୋଟ ୨୫ ଲକ୍ଷ ଶିଶୁ ଭୂମିକମ୍ପ ଦ୍ୱାରା ପ୍ରଭାବିତ ହୋଇଥିବା ଜାତିସଂଘ ଚିଲ୍‌ଡ୍ରେନ୍ସ ଏଜେନ୍ସି ୟୁନିସେଫ୍ ମୁଖପାତ୍ର ଜେମ୍ସ ଏଲ୍‌ଡର କହିଛନ୍ତି । ଅନେକ ଶିଶୁ ସେମାନଙ୍କ ଅଭିଭାବକଙ୍କୁ ହରାଇଥିବାବେଳେ ବହୁ ଲୋକଙ୍କଠାରୁ ଭୟଙ୍କର ଭୂମିକମ୍ପ ସେମାନଙ୍କ ସନ୍ତାନମାନଙ୍କୁ ଛଡ଼ାଇ ନେଇଥିବା ସେ କହିଛନ୍ତି । ଅନେକେ ବାସହରା ଲୋକ ଏବେବି ଖାଦ୍ୟ ଓ ଆଶ୍ରୟସ୍ଥଳୀ ପାଇଁ ସଂଘର୍ଷ କରୁଛନ୍ତି । ଅନ୍ୟପକ୍ଷେ ମଲ୍‌, ସ୍କୁଲ, ରାସ୍ତାକଡ଼, ମସ୍‌ଜିଦ୍ ଏବଂ ବସ୍ ଷ୍ଟେସନ୍‌ଗୁଡ଼ିକରେ ଲୋକେ ଆଶ୍ରୟ ନେଇଛନ୍ତି ।

ତୁଷାରପାତ ହେବା ଯୋଗୁ ସ୍ଥାନୀୟ ଅଂଚଳରେ ସର୍ବନିମ୍ନ ତାପମାତ୍ରା ଅନୁଭୂତ ହେଉଛି । ଫଳରେ ଛୋଟପିଲାମାନେ ଶ୍ୱାସକ୍ରିୟା ଜନିତ ସଂକ୍ରମଣ ଏବଂ ହାଇପୋଥେମିଆ ରୋଗରେ ଆକ୍ରାନ୍ତ ହେବାରେ ଲାଗିଛନ୍ତି । ସପ୍ତାହରେ ତୁର୍କୀରେ ହୋଇଥିବା ପ୍ରଳୟଙ୍କରୀ ଭୂକମ୍ପ ସବୁଠାରୁ ଭୟଙ୍କର ପ୍ରାକୃତିକ ବିପଯ୍ୟୟ ବୋଲି ୱାର୍ଲଡ ହେଲ୍‌ଥ ଅର୍ଗାନାଇଜେଶନ୍ ପକ୍ଷରୁ କୁହାଯାଇଛିି । ୧୦୦ ବର୍ଷରେ ପ୍ରଥମ ଥର ପାଇଁ ପ୍ରକୃତିର ଏପ୍ରକାର କରାଳ ରୂପ ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *