(ଭିଡିଓ) ‘ଭିକ ଦିଅ ମୁଠେ ମାଁ ,ବୋହୂର ଶୁଦ୍ଧିକ୍ରିୟା କରିବି’
1 min readଜଳେଶ୍ୱର : ୬ବର୍ଷ ତଳେ ହଠାତ ହୃଦଘାତରେ ଆରପାରିକୁ ଚାଲିଯାଇଥିଲା ପୁଅ। ଆଉ କର୍କଟ ରୋଗରେ ପୀଡିତ ଥିବା ବୋହୁ ବି ଗତ ୩ ତାରିଖରେ ମୃତ୍ୟୁବରଣ କରିଛି। ସୂଚନାନୁଯାୟୀ ଜଳେଶ୍ଵର ବ୍ଲକ ଶିଖରପୁର ପଞ୍ଚାୟତ ମଥୁରାନାଥ ଗ୍ରାମର ଜେଜେମା ଓ ନାତି ଙ୍କ ଏହି ଦୁର୍ବିସହ ଜୀବନ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ମଥୁରାନାଥ ଗ୍ରାମର ସରସ୍ଵତୀ ଗିରିଙ୍କ ପୁଅ ବୋହୁ ହେଉଛନ୍ତି ମଧୁସୂଦନ ଓ ନିରୁପମା । ଛଅବର୍ଷ ତଳେ ହୃଦଘାତରେ ପୁଅ ଓ ଏବେ କର୍କଟ ରୋଗରେ ବୋହୁ ର ଜୀବନ ଚାଲି ଯାଇଛି।
ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁଁ ଅଣ୍ଟା ସଳଖି ଛିଡ଼ା ହୋଇ ପାରୁନାହାନ୍ତି ସରସ୍ଵତୀ। ବହୁ କଷ୍ଟରେ ନଇଁ ନଇଁ ଚାଲୁଛନ୍ତି। ଏପରି ଅବସ୍ଥାରେ ଆଗେ ପୁଅ ତାପରେ ବୋହୁ ଆରପାରିକୁ ଚାଲିଯିବା ସରସ୍ଵତୀ ଙ୍କ ଉପରେ ସତେ ଯେମିତି ଆକାଶ ଛିଡି ପଡ଼ିଛି। ଦୁଇ ବର୍ଷ ତଳେ ବଡ଼ ଧାର ଉଧାର କରି ବହୁ କଷ୍ଟରେ ବଡ଼ ନାତୁଣୀର ବିବାହ କରାଯାଇଥିଲା। ନାତୁଣୀର ବିବାହ ତଥା କର୍କଟ ପୀଡିତ ବୋହୁ ର ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କାର ଋଣ ରହିଛି। ସରସ୍ଵତୀଙ୍କ ଏକମାତ୍ର ନାତି ଦେବାଶିଷ(୧୬) ରାଇବଣିଆ ସ୍ଥିତ ସାଧୁଚରଣ କଲେଜରେ ଯୁକ୍ତ ଦୁଇ କଲେଜରେ ପାଠ ପଢୁଛି।ଭଉଣୀ ବିବାହ ଓ ମା’ଙ୍କ କର୍କଟ ରୋଗର ଚିକିତ୍ସା ପାଇଁ କରାଯାଇଥିବା ଋଣ ଶୁଝିବାକୁ ଗତ କିଛି ସପ୍ତାହ ହେଲା ଦେବାଶିଷ ଜଳେଶ୍ଵରର ଏକ ଗ୍ୟାରେଜରେ ମଧ୍ୟ କାମ କରି ଆସୁଛି।ହେଲେ ନିରୁପମାଙ୍କ ମୃତ୍ୟୁ ସବୁକିଛି ବିଗାଡି ଦେଇଛି।
ବାପା ମା’ଙ୍କ ଆଗରେ ଅଳି ଅର୍ଦ୍ଦଳି କରିବା,ଅବୁଝା ଅଝଟ ହୋଇ ମା’ର ପଣତ କାନିରେ ମୁହଁ ଲୁଚାଇବା ବୟସରେ ଦେବାଶିଷ ଏବେ ବାପାମା ଛେଉଣ୍ଡ। ସବୁଠାରୁ ବଡ଼କଥା ହେଉଛି ଗତ ୩୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ପୁଅ ବୋହୁଙ୍କ ସହାୟତାରେ ଜୀବନ ଜିଇଁ ଥିବା ରୋଗାକ୍ରାନ୍ତ ସରସ୍ଵତୀଙ୍କ ଆଖି ସାମ୍ନାରେ ପୁଅ ବୋହୁ ଏମିତି ଆରପାରିକୁ ଚାଲିଯିବା ପରେ ୪ ଦିନ ହେଲା ତାଙ୍କ ପେଟକୁ ଦାନା ଯାଇନାହିଁ।ପରିବାରର କୌଣସି ଆୟ ନଥିବା ବେଳେ ସମ୍ପତି କହିଲେ ଅଳ୍ପ କିଛି ଘରବାଡ଼ି।ଏବେ ପରିବାରର ଭରଣପୋଷଣ,ମା’ଙ୍କ କ୍ରିୟାକାମ,ନିଜର ପାଠପଢ଼ା,ବୁଢ଼ିମା ଙ୍କ ସେବା ଶୁଶ୍ରୁଷା ପାଇଁ କିଛି ବୁଦ୍ଧି ଦିଶୁନି କହି କାନ୍ଦି ପକାଇଛି ଦେବାଶିଷ।ଏହି ପରିବାରକୁ ସହାୟତାର ହାତ ବଢାଇବାକୁ ଦାବି ହୋଇଛି।