ରହସ୍ୟମୟ ଘାଟି , ଯେଉଁଠି ପକ୍ଷୀ ହାରିଥାନ୍ତି ଜୀବନ ..
1 min readମଣିଷ ଜୀବନ ହାରିବା ସମସ୍ତେ ଜାଣନ୍ତି । ହେଲେ କେବେ ଶୁଣିଛନ୍ତି ପକ୍ଷୀ ଜୀବନ ହାରିବାର । ତାହା ପୁଣି ଏକାସାଙ୍ଗରେ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁ ଥିଲେ ମଧ୍ୟ ଆମ ଦେଶରେ ହିଁ ଏପରି ଏକ ସ୍ଥାନ ଅଛି ଯେଉଁଠି ଏପରି ହୋଇଥାଏ । ଆଜ୍ଞା ହଁ ଦକ୍ଷିଣ ଆସାମର ଦିମା ହାସୋ ଜିଲ୍ଲାରେ ଥିବା ଘାଟି ଗାଁ ଜାତିଙ୍ଗା ରେ ଏପରି ଦେଖା ଯାଇଥାଏ । ଅଞ୍ଚଳବାସୀ ଏହାକୁ ଭୂତ ପ୍ରେତଙ୍କ କାମ ବୋଲି କହିଥାନ୍ତି । ହେଲେ ହଜାର ହଜାର ସଂଖ୍ୟାରେ ପକ୍ଷୀ ଏକକାଳୀନ ଏପରି ଜୀବନ ହାରିବା କାରଣ ଆଜି ବି ରହସ୍ୟ ମଧ୍ୟରେ ରହିଛି ।
ସେପ୍ଟେମ୍ବର ମାସ ଆସିଗଲେ ଅଞ୍ଚଳକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଏ । ଶୁଣିବାକୁ ମିଳେ ବାହାର ଅଞ୍ଚଳର କୌଣସି ପକ୍ଷୀ ଏହି ସମୟରେ ଏଇ ଅଞ୍ଚଳକୁ ଆସିଗଲେ ଆଉ ଫେରି ନ ଥାଏ । କାରଣ ଏଠାରେ ତା’ର ମୃତ୍ୟୁ ସୁନିଶ୍ଚିତ । ଖାସ୍ କରି ଅକ୍ଟୋବର ଓ ନଭେମ୍ୱେର ମାସରେ ଏଠାରେ ପକ୍ଷୀମାନେ ଏକାଠି ଜୀବନ ହାରନ୍ତି । ଏହି ଦୁଇ ମାସରେ ଏଠାରେ ରାତି ସମୟରେ ମୌସୁମୀ ବର୍ଷା ସମେତ ବହୁତ କୁହୁଡି ହୋଇଥାଏ । ଏହି ସମୟରେ ପକ୍ଷୀମାନେ ସାମୂହିକ ଜୀବନ ହାରିଥାନ୍ତି । ଭୂତ, ପ୍ରେତଙ୍କ ଯୋଗୁଁ ଘାଟିରେ ଏପରି ପକ୍ଷୀମାନେ ମୃତ୍ୟୁବରଣ କରିଥାନ୍ତି ବୋଲି ଗ୍ରାମବାସୀ କହୁଛନ୍ତି । ଅନ୍ୟପକ୍ଷରେ ଏପରି ଘଟଣା ପଛରେ ଥିବା କାରଣକୁ ନେଇ କିଛି ବୈଜ୍ଞାନିକ ଭିନ୍ନ ମତ ଦେଉଛନ୍ତି । ବୈଜ୍ଞାନିକଙ୍କ କହିବା ଅନୁସାରେ ବର୍ଷା ହେଲେ ଘାଟିରେ ଥିବା ପକ୍ଷୀମାନେ ଅନ୍ୟ ସ୍ଥାନକୁ ଉଡି ପଳାଇବାକୁ ଚେଷ୍ଟା କରିଥାନ୍ତି ।
ହେଲେ ବର୍ଷାର ପ୍ରକୋପ ଏତେ ଅଧିକ ଥାଏ ଯେ, ଉଡି କି ଅନ୍ୟ ସ୍ଥାନକୁ ଯିବା ସେମାନଙ୍କ ପକ୍ଷେ ସମ୍ଭବ ହୋଇ ନ ଥାଏ । ପକ୍ଷୀମାନେ ଉଡିବାକୁ ଚେଷ୍ଟା କଲେ ସେମାନଙ୍କ ପର ଓ ଡେଣା ଭିଜି ଯାଇଥାଏ । ଫଳରେ ଉଡିବାକୁ ସମସ୍ୟା ହୋଇଥାଏ ଓ ସେମାନଙ୍କ ମୃତ୍ୟୁ ଘଟିଥାଏ । ଏହାସହ ଘାଟି ଅଞ୍ଚଳରେ ବର୍ଷା ସମୟରେ ବହୁତ ଜୋରରେ ପବନ ବୋହିଥାଏ । ଏହି ସମୟରେ ପକ୍ଷୀଗୁଡିକ ଉଡିବାକୁ ଚେଷ୍ଟା କରି ନିଜ ସନ୍ତୁଳନ ହରାଇ ବସନ୍ତି ଓ ଗଛରେ ପିଟି ହୋଇ ସେମାନଙ୍କ ମୃତ୍ୟୁ ଘଟିଥାଏ । ବର୍ଷାଦିନେ ପକ୍ଷୀଙ୍କ ଏପରି ମୃତ୍ୟୁ ପାଇଁ ଏ ଗାଁ ଏବେ ପ୍ରସିଦ୍ଧ । ପ୍ରତିବର୍ଷ ଏଠାରେ ହଜାର ହଜାର ସଂଖ୍ୟାରେ ପକ୍ଷୀଙ୍କ ମୃତ୍ୟୁ ଘଟୁଛି । ବିଜ୍ଞାନ ଗୋଟେ କଥା କହୁଥିବା ବେଳେ ଅଞ୍ଚଳବାସୀଙ୍କ ଠାରୁ ଶୁଣିବାକୁ ମିଳୁଛି ଭିନ୍ନ କଥା । ତେବେ ଏଠାରେ ଏକ ନିର୍ଦ୍ଦିଷ୍ଟ ସମୟରେ ଏତେ ସଂଖ୍ୟାରେ କାହିଁକି ପକ୍ଷୀଙ୍କ ମୃତ୍ୟୁ ଘଟୁଛି ତାହା ତଦନ୍ତ ସାପେକ୍ଷ ।