Pratidin TV

Odisha's Digital News Platform

ରହସ୍ୟମୟ ମନ୍ଦିର ଯେଉଁଠାକୁ ଗଲେ ପଥର ହୋଇଯାନ୍ତି ମଣିଷ ..

1 min read

ଭାରତ ରେ ରହିଛି ଅନେକ ରହସ୍ୟମୟ ସ୍ଥାନ । ତେବେ ଏହାରି ମଧ୍ୟରୁ ରାଜସ୍ଥାନ ଅନ୍ୟତମ । ଦୁର୍ଗଠାରୁ ଆରମ୍ଭ କରି ମନ୍ଦିର ପର୍ଯ୍ୟନ୍ତ, ଏହି ରାଜ୍ୟରେ ଅନେକ ଆକର୍ଷଣ ରହିଛି ଯେଉଁଥିପାଇଁ ଲୋକମାନେ ଦୂର ଦୂରାନ୍ତରୁ ଆସନ୍ତି । କିନ୍ତୁ ଏପରି କିଛି ସ୍ଥାନ ଅଛି ଯାହା ରହସ୍ୟର ଭରପୁର । ରାଜସ୍ଥାନରେ ଏପରି ଏକ ରହସ୍ୟମୟ ମନ୍ଦିର ରହିଛି ଯେଉଁଠାରେ କୌଣସି ଭକ୍ତ ସନ୍ଧ୍ୟା ପରେ ରହିବାକୁ ସାହସ କରନ୍ତି ନାହିଁ । ଏହି ରହସ୍ୟମୟ ମନ୍ଦିର ରାଜସ୍ଥାନର ବାରମର୍ ଜିଲ୍ଲାରେ ଅଛି । ଏହି ମନ୍ଦିରର ନାଁ ‘କିରାଡୁ ମନ୍ଦିର’ । ଏହାର କାରିଗରୀ ବେଶ ଉଚ୍ଚକୋଟିର । ହେଲେ ଏ ମନ୍ଦିର ଯେତିକି ସୁନ୍ଦର ସେତିକି ଭୟଙ୍କର । ଯେଉଁଥିପାଇଁ ଦୀର୍ଘ ୯୦୦ ବର୍ଷ ଧରି ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି ।

ଦିନରେ ଏହି ମନ୍ଦିରରେ କିଛି ଲୋକ ଦେଖାଯାଏ, କିନ୍ତୁ ସନ୍ଧ୍ୟା ପାଖେଇ ଆସିଲେ ମଦିର ହୋଇଯାଏ ଶୂନଶାନ ଖେଳିଯାଏ ନିରବତା । କୁହାଯାଏ ଯେ ଯିଏ ରାତିରେ ଏଠାରେ ରହେ ସେ ପଥରରେ ପରିଣତ ହୁଏ । ଏହି ବିଶ୍ୱାସ ବର୍ଷ ବର୍ଷ ଧରି ଚାଲିଆସୁଛି ଏବଂ ଏହି କାରଣରୁ ରାତିରେ ଏଠାରେ ରହିବାକୁ କେହି ସାହସ କରନ୍ତି ନାହିଁ । ତେବେ ଏହାପଛରେ ବି ରହିଛି ଏକ ବଡ କାରଣ , ଶତାବ୍ଦୀ ପୂର୍ବରୁ ଏଠାରେ ପରିଦର୍ଶନ କରିଥିବା ଜଣେ ସାଧୁଙ୍କ ଅଭିଶାପ ବୋଲି କୁହାଯାଏ । ତାଙ୍କର କେତେକ ଶିଷ୍ୟ ମଧ୍ୟ ତାଙ୍କ ସହିତ ଏଠାକୁ ଆସିଥିଲେ । କିଛି ଦିନ ରହିବା ପରେ ସେ ଦେଶ ଭ୍ରମଣ କରିବାକୁ ଯାଇ ନିଜ ଶିଷ୍ୟମାନଙ୍କୁ ସେଠାରେ ଛାଡିଦେଲେ । କିଛି ଦିନ ପରେ ଶିଷ୍ୟମାନଙ୍କର ଅବସ୍ଥା ଖରାପ ହେବାକୁ ଲାଗିଲା । ହେଲେ ଏଠାରେ ଥିବା ଲୋକେ ତାଙ୍କର ସାହାଯ୍ୟ କରିନଥିଲେ , କେବଳ ଗାଁରେ ରହୁଥିବା ଜଣେ ମହିଳାଙ୍କ ବ୍ୟତୀତ କେହି ସେମାନଙ୍କୁ ସାହାଯ୍ୟ କରିନଥିଲେ ।

Advertisement

ଯେତେବେଳେ ସେହି ସାଧୁ ଦେଶ ଭ୍ରମଣ ରୁ ଫେରିଲେ, ଦେଖିଲେ ଯେ ତାଙ୍କ ଶିଷ୍ୟମାନଙ୍କ ଅବସ୍ଥା ଖରାପ ଥିବା ସ୍ୱତ୍ତ୍ୱେ ସେମାନଙ୍କୁ କେହି ସାହାଯ୍ୟ କରି ନାହାଁନ୍ତି । ଯେତେବେଳେ ସାଧୁ ଏହା ଜାଣିଥିଲେ ସେ କ୍ରୋଧିତ ହୋଇ ଗ୍ରାମବାସୀଙ୍କୁ ଅଭିଶାପ ଦେଇଥିଲେ ଯେ ସନ୍ଧ୍ୟା ପରେ ସମସ୍ତେ ପଥରରେ ପରିଣତ ହେବେ । ଲୋକକଥା ଅନୁଯାୟୀ, ଜଣେ ମହିଳା ଶିଷ୍ୟମାନଙ୍କୁ ସାହାଯ୍ୟ କରିଥିଲେ । ସାଧୁ ଏଥିରେ ସନ୍ତୁଷ୍ଟ ହୋଇ ମହିଳାଙ୍କୁ କହିଥିଲେ ଯେ ସେ ସନ୍ଧ୍ୟା ପୂର୍ବରୁ ଗାଁ ଛାଡି ଚାଲି ଯାଆନ୍ତୁ ଓ ପଛକୁ ଅନାଇବାକୁ ମଧ୍ୟ ବାରଣ କରିଥିଲେ । ଯେତେବେଳେ ମହିଳା ଜଣକ ଯାଉଥିଲେ, ସେ କୌତୁହଳ ପୂର୍ବକ ପଛକୁ ଚାହିଁ ଦେଇଥିଲେ । ଯେଉଁଥିପାଇଁ ସେ ମଧ୍ୟ ପଥରରେ ପରିଣତ ହୋଇଥିଲେ । ସେହି ମହିଳାଙ୍କ ମୂର୍ତ୍ତି ଏବେ ମଧ୍ୟ ମନ୍ଦିର ନିକଟରେ ସ୍ଥାପିତ ହୋଇଛି । ଏହି ଅଭିଶାପ ଯୋଗୁଁ ନିକଟସ୍ଥ ଗାଁର ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଯେଉଁଥିପାଇଁ ଆଜି ବି ଲୋକଙ୍କ ମଧ୍ୟରେ ଏକ ବିଶ୍ୱାସ ଅଛି ଯେ ଯିଏ ସନ୍ଧ୍ୟାରେ ଏହି ମନ୍ଦିରରେ ପାଦ ରଖେ କିମ୍ବା ରହେ ସେ ମଧ୍ୟ ପଥରରେ ପରିଣତ ହେବ । ଏହି କାରଣରୁ ସନ୍ଧ୍ୟା ପରେ କେହି ଏହି ମନ୍ଦିରରେ ରହିବାକୁ ସାହସ କରନ୍ତି ନାହିଁ ।

Leave a Reply

Your email address will not be published. Required fields are marked *