Pratidin TV

Odisha's Digital News Platform

ନବଯୌବନ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧା ମୂର୍ତ୍ତି: ଜାଣନ୍ତୁ କଣ ରହିଛି ସାଧାରଣ ଦର୍ଶନର ସମୟ

1 min read

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଜି ପବିତ୍ର ନେତ୍ରୋତ୍ସବ ଏବଂ ନବଯୌବନ ବେଶ ଅବସରରେ ପୁରୀରେ ଦର୍ଶନ ନିମନ୍ତେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ପୂର୍ବାହ୍ନରୁ ଶ୍ରଦ୍ଧାଳୁମାନେ ଧାଡିରେ ଆସି ଶୃଙ୍ଖଳିତ ଦର୍ଶନ କରୁଛନ୍ତି । ୧୫ଦିନ ପରେ ଶ୍ରୀଜୀଉଙ୍କ ଦର୍ଶନର ସୁଯୋଗ ପାଇଛନ୍ତି ଶ୍ରଦ୍ଧାଳୁ । ଏଥିପାଇଁ ଚତୁର୍ଦ୍ଧା ବିଗ୍ରହଙ୍କ ଶ୍ରୀମୁଖ ସିଂହାର କରାଯାଇଛି । ମଙ୍ଗଳବାର ଚତୁର୍ଦଶୀ ତିଥିରେ ଦତ୍ତମହାପାତ୍ର ସେବକ ଭିତରକୁ ଯାଇ ମହାପ୍ରଭୁ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା ଏବଂ ଚକ୍ରରାଜ ଶ୍ରୀସୁଦର୍ଶନଙ୍କ ବନକଲାଗି (ଶ୍ରୀମୁଖ ସିଂହାର) କରିଥିଲେ। ରଥଯାତ୍ରା ପାଇଁ ପ୍ରସ୍ତୁତ ହୋଇଛନ୍ତି ମହାପ୍ରଭୁ ।

ସକାଳ ୮ରୁ ରାତି ୧୨ଟା ୩୦ ମଧ୍ୟରେ ୫ଟି ପର୍ଯ୍ୟାୟରେ ସାଢ଼େ ୫ଘଣ୍ଟା ଦର୍ଶନ ସମୟ ନିର୍ଦ୍ଧାରଣ କରାଯାଇଛି । ସକାଳ ୭ଟା ୩୦ରେ ଦଶ ଅବତାର ଠାକୁର ବାହୁଡ଼ା ବିଜେ କରିଥିଲେ । ୮ଟାରେ ଅଣସର ତାଟି ଫିଟାଯିବା ପରେ ସକାଳ ୮ରୁ ୯ଟା ପର୍ଯ୍ୟନ୍ତ ପରିମାଣିକ ଦର୍ଶନ ଅନୁଷ୍ଠିତ ହୋଇଥିଲା। ଦିନ ୯ରୁ ୧୦ଟା ୩୦ ପର୍ଯ୍ୟନ୍ତ ସର୍ବସାଧାରଣ ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି । ପ୍ରଶାସନ ପକ୍ଷରୁ ବଡ ଦାଣ୍ଡରେ ଭକ୍ତଙ୍କ ଉପରେ ଜଳ ସିଞ୍ଚନ କରାଯିବା ସହ ପାନୀୟଜଳ ଯୋଗାଣ ବ୍ୟବସ୍ଥା କରାଯାଇଛି । ସେହିପରି ଅପରାହ୍ଣ ୨ଟାରୁ ୩ଟା, ସନ୍ଧ୍ୟା ୬ଟାରୁ ୬ଟା ୩୦, ରାତି ୯ରୁ ୧୦ଟା ୩୦ ଏବଂ ରାତି ୧୧ଟା ୩୦ରୁ ୧୨ଟା ୩୦ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ପାଇଁ ଭକ୍ତଙ୍କୁ ଅନୁମତି ଦିଆଯିବ। ରାତିରେ ସର୍ବସାଧାରଣ ଦର୍ଶନ ବନ୍ଦ ପରେ ମହାପ୍ରଭୁଙ୍କ ଚନ୍ଦନଲାଗି, ବଡ଼ସିଂହାର ବେଶ, ବଡ଼ସିଂହାର ଭୋଗ ଏବଂ ପହୁଡ଼ ଆଳତି କରାଯିବ।

Advertisement

Leave a Reply

Your email address will not be published. Required fields are marked *