Pratidin TV

Odisha's Digital News Platform

ବାରଦାଣ୍ଡ ଶୁଣ୍ଢିପିଣ୍ଡା ପରେ ଗଛ ମୂଳେ ପଲିଥିନ ଟାଙ୍ଗି ଆଶ୍ରୟ ନେଇଛନ୍ତି ସିଲନ୍ଦ୍ରି ମାଝୀ ଦମ୍ପତି

1 min read

ନବରଙ୍ଗପୁର : ଛଅ ବର୍ଷ ତଳେ ଥିଲା ମାଟି କାନ୍ଥ ଚାଳ ଛପର ଘର ଖଣ୍ଡେ। ବର୍ଷା ପବନରେ ମାଟିରେ ମିଶିଗଲା ମାଟି କୁଡିଆ। ଗରିବ ମାଝୀ ଦମ୍ପତିଙ୍କ ଆର୍ଥିକ ସକ୍ଷମତା ନଥିବାରୁ ଗୃହ ମରାମତି କରିବାକୁ ଅକ୍ଷମ। ସେବେ ଠାରୁ ବାରଦାଣ୍ଡ ଶୁଣ୍ଡି ପିଣ୍ଡା ହୋଇ ବୁଲୁଥିବା ବେଳେ ବର୍ତ୍ତମାନ ଆଶ୍ରୟ ନେଇଛନ୍ତି ଗଛ ମୂଳେ। ଏହି ଦମ୍ପତି ଙ୍କ ଗାଁ କହିଲେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍, ସଦର ମହକୁମା ଠାରୁ ମାତ୍ର ୫ କି.ମି ଦୂରରେ ରହିଛି କୁଟ୍ରି ଛାପର ପଞ୍ଚାୟତ ଅନ୍ତର୍ଗତ ସରିପଡ଼ା ଗାଁ। ସ୍ଵାମୀ ଧନୀରାମ୍ ମାଝୀ( ୫୬) ପତ୍ନୀ ସିଲନ୍ଦ୍ରି ମାଝୀ(୪୮)ଙ୍କ ବୈବାହିକ ଜୀବନ ମଧ୍ୟରେ ଦୀର୍ଘ ତିରିଶ ବର୍ଷ ସମୟ ଗଡିଯାଇଛି।

ହେଲେ ନିସନ୍ତାନ ହୋଇ ରହିଛନ୍ତି ପତି ପତ୍ନୀ। ଆତ୍ମୀୟ ସ୍ୱଜନ ବନ୍ଧୁ ପରିଜନ ସମ୍ପର୍କୀୟ ଭାଇ ବନ୍ଧୁ ଅଛନ୍ତି ସତ କିନ୍ତୁ ସାହାଯ୍ୟ ସହଯୋଗର ହାତ ବଢ଼ାଇବାକୁ କେହି ନାହାନ୍ତି, ଜମିବାଡ଼ି କିଛି ନାହିଁ । ଘର ଡିହ ଭୂମି ଖଣ୍ଡେ ରହିଛି । ଦୈନଦିନ କୁଲି ମଜୁରୀ କଲେ ଦୁଇଜଣଙ୍କ ପେଟକୁ ଦାନା ମିଳେ। ଆବାସ ଯୋଜନାରେ ଘର ଖଣ୍ଡେ ପାଇବାକୁ ଏକାଧିକଥର ପଞ୍ଚାୟତକୁ ଦୌଉଡ଼ିଛନ୍ତି। ଅଶିକ୍ଷିତ ଆଦିବାସୀ ଦମ୍ପତି ଆବାସ ଯୋଜନାରେ କିପରି ଅନଲାଇନ୍ ଆବେଦନ କରାଯିବ ଜାଣି ନାହାଁନ୍ତି । ବର୍ଷା ଶୀତରେ ପର ବାରଣ୍ଡା ରେ ଆଶ୍ରୟ ନେବାକୁ ପଡୁଛି । ଅନୁକମ୍ପା ଦେଖାଇ କେହି କେବେ ଦୁଃଖ ବୁଝନ୍ତି। ଦିନେ ଓଳେ ଜାଗା ଦିଅନ୍ତି।

Advertisement

ବାର ଦୁଆର ବୁଲି ବୁଲି ଦିନ ମାସ ବର୍ଷ ବିତାଇ ଚାଲିଛନ୍ତି। ବର୍ତ୍ତମାନ ଗ୍ରୀଷ୍ମ ଋତୁ ଚାଲିଥିବା ବେଳେ ଘରଡିହକୁ ଲାଗି ରହିଥିବା ଗଛ ମୂଳେ ପଲିଥିନ୍ ଟାଙ୍ଗି ଆଶ୍ରୟ ନେଇଛନ୍ତି। ଏପରି ଅସହାୟ ବାସଗୃହ ନଥିବା ସ୍ଵାମୀ ସ୍ତ୍ରୀ ଙ୍କୁ ସ୍ୱେଚ୍ଛାକୃତ ଭାବେ ନିଜସ୍ଵ ଖର୍ଚ୍ଚରେ ଏମାନଙ୍କ ରହିବା ପାଇଁ ଏକ ବାସଗୃହ ନିର୍ମାଣ କରୁଛନ୍ତି ଗୌଡ଼ ଗୁଡା ର କମଳଚନ ଗୌଡ଼। କମଳଚନ ଗୌଡ଼ ଙ୍କ ମଣିଷ ପଣିଆ ଏବଂ ତାଙ୍କର ବାଦ୍ୟାନତା ରେ ଦୁଇ ବଖରା ଘର ଟିଏର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି। ଫାଉଣ୍ଡେସନ ପଡ଼ିଥିବା ଦେଖିବାକୁ ମିଳିଛି। ଇଟା ବାଲି ପଥର ଗଦା ହୋଇଛି। କମଳଚନ ଙ୍କ ପୋରଉପକାରି ଗୁଣ ସ୍ଥାନୀୟ ଲୋକେ ଉଚ୍ଚ ପ୍ରଶଂସା କରୁଥିବାବେଳେ ପ୍ରଶାସନ ତରଫରୁ ଆବାସ ଯୋଜନାରେ ଘର ଖଣ୍ଡେ ଯୋଗାଇଦେବାକୁ ଦାବୀ କରିଛନ୍ତି। ବର୍ଷା ପୂର୍ବରୁ ଯେମିତି ହେଲେବି ଘର ନିର୍ମାଣ ସାରିବାକୁ ପ୍ରୟାସ ଜାରି ରହିଥିବା କହିଛନ୍ତି କମଳଚନ। ବର୍ତ୍ତମାନ ମଧ୍ୟ ଖରା ଦାଉରୁ ରକ୍ଷା ପାଇବାକୁ କମଳଚନ ପଲିଥିନ୍ ମଧ୍ୟ କିଣି ଦେଇଥିବା କହିଛନ୍ତି ଧନିରାମ ।

ମୁଣ୍ଡରେ ଚାଳ ନଥିବା ଗରିବ ଖଟିଖିଆ ଦମ୍ପତି ପ୍ରସଙ୍ଗରେ କୁଟ୍ରୀ ଛାପର ପଞ୍ଚାୟତ ସରପଂଚ ଶ୍ରୀମତୀ ବୃନ୍ଦି ସାନ୍ତା ଙ୍କୁ ପଚାରିବାରୁ ଗଣମାଧ୍ୟମ ଠାରୁ ଧନିରାମ୍ ଏବଂ ତାଙ୍କ ପତ୍ନୀଙ୍କ ବିଷୟରେ ବର୍ତ୍ତମାନ ଜାଣିବାକୁ ପାଇଛି। ନିଜ ପଞ୍ଚାୟତ ରେ ଆବାସ ଗୃହ ନିର୍ମାଣ ପାଇଁ ହିତାଧିକାରୀଙ୍କ ଚୟନ ତାଲିକା ପ୍ରସ୍ତୁତ କରାଯାଉଛି। ଏମାନଙ୍କ ଆବାସ ଗୃହ ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସରପଂଚ ନିଜ ପ୍ରତିକ୍ରିୟା ରଖିଛନ୍ତି। କାର୍ଯ୍ୟଭାର ଗ୍ରହଣ କରି ବର୍ଷେ ହୋଇଥିବାରୁ ଧନିରାମ ଙ୍କ ଘର ବିଷୟରେ ନିଜ ଦୃଷ୍ଟିକୁ ଆସିନଥିବା କହିଛନ୍ତି।

Leave a Reply

Your email address will not be published. Required fields are marked *