Pratidin TV

Odisha's Digital News Platform

ସମସ୍ତଙ୍କ ପାଇଁ ଉଦାହରଣ ସାଜିଲେ, ମେଡିକାଲ ବେଡ୍ ରୁ ଉଠି ଭୋଟ୍ ଦେଲେ ନାରାୟଣ ମୂର୍ତ୍ତି ..

1 min read

ଲୋକସଭା ନିର୍ବାଚନ ୨୦୨୪ର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଆରମ୍ଭ ହୋଇଛି ମତଦାନ । ୧୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୋଟ ୮୮ଟି ଆସନରେ ମତଦାନ ଚାଲିଛି । ଦ୍ୱିତୀୟ ପର୍ଯ୍ୟାୟରେ ମୋଟ ୧୨୦୨ ପ୍ରାର୍ଥୀ ମୈଦାନରେ ଅଛନ୍ତି । ତେବେ ଏହି ଅବସରରେ ଗଣତନ୍ତ୍ରର ମହାପର୍ବରେ ସାମିଲ ହେବାକୁ ମତଦାନ କେନ୍ଦ୍ରରେ ପହଞ୍ଚିଲେ ଆଇଟି ଇଣ୍ଡଷ୍ଟ୍ରିର ବରିଷ୍ଠ ବ୍ୟକ୍ତିତ୍ୱ ତଥା ଇନ୍‌ଫୋସିସ୍‌ର ପ୍ରତିଷ୍ଠାତା ଏନ ଆର ନାରାୟଣ ମୂର୍ତ୍ତି । ତାଙ୍କ ସହିତ ତାଙ୍କ ପତ୍ନୀ ସୁଧା ମୂର୍ତ୍ତି ମଧ୍ୟ ପହଞ୍ଚିଥିଲେ । ଭୋଟ୍ ଦେବାକୁ ଆସିଥିବା ନାରାୟଣ ମୂର୍ତ୍ତି ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି, ‘‘ଆମେ ପ୍ରତି ପାଞ୍ଚ ବର୍ଷରେ ଥରେ ଭୋଟ୍ ଦେବାର ଅଧିକାର ପାଇଥାଉ । ଆମକୁ ଏହି ଅଧିକାରକୁ ଦାୟିତ୍ୱବୋଧ ଭାବେ ବ୍ୟବହାର କରିବାକୁ ପଡ଼ିବ । ଏହି ସୁଯୋଗକୁ କେହି ହାତଛଡ଼ା କରନ୍ତୁ ନାହିଁ ।”

ସେହିପରି ନାରୟଣ ମୂର୍ତ୍ତିଙ୍କ ପତ୍ନୀ ସୁଧା ଗଣମାଧ୍ୟମରେ କହିଛନ୍ତି ଯେ ୭୭ ବର୍ଷୀୟ ଇନ୍‌ଫୋସିସ୍ ପ୍ରତିଷ୍ଠାତା ତାଙ୍କର ଦେହ ଖରାପ ସତ୍ତ୍ୱେ ନିଜର ଅଧିକାର ସାବ୍ୟସ୍ତ କରିବାକୁ ଆସିଛନ୍ତି । ସେ ହସ୍ପିଟାଲ୍‌ରେ ଭର୍ତ୍ତି ଥିଲେ । ନିକଟରେ ତାଙ୍କ ଡିସ୍‌ଚାର୍ଜ କରାଯାଇଛି ଓ ସେ ଭୋଟ୍ ଦେବା ପରେ ତାଙ୍କୁ ଘରକୁ ନିଆଯିବ ବୋଲି ସୁଧା ମୂର୍ତ୍ତି କହିଛନ୍ତି । ସେହିପରି ସୁଧା ମୂର୍ତ୍ତିଙ୍କର ବି କିଛି ଭ୍ରମଣ ଯୋଜନା ରହିଥିବା ସତ୍ତ୍ୱେ ମଧ୍ୟ ସେ ଭୋଟ୍ ଦେବାକୁ ପହଞ୍ଚିଥିଲେ । ତାଙ୍କ ମତରେ ‘ମତଦାନ ହେଉଛି ଶ୍ରେଷ୍ଠ ଦାନ’ ।

ସେ କହିଛନ୍ତି କି ଖାଲି ବସିକି ଆଲୋଚନା କରିବାଠାରୁ ଭଲ ଆସି ଭୋଟ୍ ଦେବା । ଅଧିକରୁ ଅଧିକ ଲୋକ ସେମାନଙ୍କ ମତଦାନ କରନ୍ତୁ ବୋଲି ସୁଧା ମୂର୍ତ୍ତି କହିଛନ୍ତି । ସେ କହିଛନ୍ତି ଆମ ଭଳି ବରିଷ୍ଠ ନାଗରିକ ମାନେ ଧାଡିରେ ଠିଆ ହୋଇ ଭୋଟ ଦେଉଛୁ , ଠିକ ସେମିତି ଯୁବକ ଯୁବତୀ ମାନେ ଆସନ୍ତୁ ଗଣତନ୍ତ୍ରର ମହାପର୍ବରେ ସାମିଲ ହୁଅନ୍ତୁ । ନାରାୟଣ ମୂତ୍ତି ଓ ସୁଧା ମୂର୍ତ୍ତିଙ୍କ ବ୍ୟତୀତ ମତଦାନ କେନ୍ଦ୍ରରେ ଜଣାଶୁଣା କ୍ରିକେଟ୍ ତାରକା ରାହୁଲ ଦ୍ରାବିଡ଼ ବି ପହଞ୍ଚିଥିଲେ । ରାହୁଲ ଦ୍ରାବିଡ ଲୋକଙ୍କୁ, ବିଶେଷ କରି ଯୁବକମାନଙ୍କୁ ବହୁ ସଂଖ୍ୟାରେ ଭୋଟ୍ ଦେବାକୁ ଅନୁରୋଧ କରିଥିଲେ ।

Leave a Reply

Your email address will not be published. Required fields are marked *