ଆକାଶମାର୍ଗରୁ ଓ୍ବାୟନାଡର ଧ୍ୱଂସର ଦୃଶ୍ୟ ଦେଖିଲେ ନରେନ୍ଦ୍ର ମୋଦି..
1 min readକେରଳର ୱାୟନାଡ୍ରେ ପ୍ରକୃତିର କୋପ। କେଇ ମିନିଟ୍ରେ ମାଟିରେ ମିଶିଗଲା ସବୁକିଛି। ଛାର୍ଖାର୍ ହୋଇଗଲା ସ୍ୱପ୍ନ, ବାସହରା ହୋଇଗଲେ ଲୋକେ। ଆଜିବି ମାଟି ତଳେ ପୋତି ହୋଇ ରହିଛି ମୃତଦେହ । ପଥର ତଳୁ ଜୀବନ ସାଉଁଟା ଆଜି ବି ଶେଷ ହୋଇନି । ନିଜର ପ୍ରିୟଜନକୁ ହରାଇ ଦୁଃଖରେ ମ୍ରିୟମାଣ ସମସ୍ତେ। ଯେଉଁଠି ଘର ଥିଲା ଆଜି ସେଠି ବିରାଟକାୟ ପଥର। ଆଉ ଏହାରି ତଳେ ଦବିଯାଇଛି ସବୁକିଛି। ଦୀର୍ଘ ଦଶ ଦିନ ପରେ ବି ସରୁନି ଉଦ୍ଧାରକାର୍ଯ୍ୟ। ମହାବିପର୍ଯ୍ୟୟର ସାମନା କରିଛି କେରଳ। ତେବେ ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର କେରଳର ଓ୍ବାୟନାଡ ଜିଲା ଗସ୍ତ କରିଛନ୍ତି । ଓ୍ବାୟନାଡ ଜିଲା ଗସ୍ତ କରି ଭୂସ୍ଖଳନ ଦ୍ଵାରା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି।
ପ୍ରଧାନମନ୍ତ୍ରୀ ବାୟୁସେନା ହେଲିକପ୍ଟର ଯୋଗେ ଭୂସ୍ଖଳନରେ ଧ୍ବଂସ ହୋଇଯାଇଥିବା ଚୁରଲମାଲା, ମୁଣ୍ଡକ୍କଇ ଏବଂ ପଞ୍ଚିରିମଟ୍ଟମ ବସ୍ତିଗୁଡ଼ିକୁ ଆକାଶମାର୍ଗରୁ ନିରୀକ୍ଷଣ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ସହିତ କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ, ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ଏବଂ କେନ୍ଦ୍ରୀୟ ପର୍ଯ୍ୟଟନ ତଥା ତୈଳ ଓ ପ୍ରାକୃତିକ ବାଷ୍ପ ରାଷ୍ଟ୍ରମନ୍ତ୍ରୀ ସୁରେଶ ଗୋପୀ ମଧ୍ୟ ସାମିଲ ଥିଲେ। ଆକାଶମାର୍ଗରେ ନିରୀକ୍ଷଣ ପରେ ପ୍ରଧାନମନ୍ତ୍ରୀ କଲପେଟ୍ଟାସ୍ଥିତ ଏସକେଏମଜେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପଡ଼ିଆରେ ଓହ୍ଲାଇ ସଡ଼କ ମାର୍ଗରେ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିଥିଲେ। ଭୂସ୍ଖଳନରେ କ୍ଷତିଗ୍ରସ୍ତ ଅଞ୍ଚଳ ପାଇଁ କେରଳ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ୨ ହଜାର କୋଟି ଟଙ୍କାର ସହାୟତା ମାଗିଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ ନିଜେ ଅଞ୍ଚଳ ପରିଦର୍ଶନ କରିବାକୁ ଆସିଛନ୍ତି। ସୂଚନାନୁଯାୟୀ ଜୁଲାଇ ୩୦ରେ ପ୍ରବଳ ବର୍ଷା ହେତୁ କେରଳର ୱାୟାନାଡ ଜିଲ୍ଲାରେ ଭୂସ୍ଖଳନ ଘଟିଥିଲା । ଯେଉଁଥିରେ ବର୍ତ୍ତମାନ ସୁଦ୍ଧା ୪୦୦ରୁ ଅଧିକ ଜୀବନ ଯାଇଛି । ୨ ଶହରୁ ଅଧିକ ଲୋକ ନିଖୋଜ ଅଛନ୍ତି । ଅନେକ ଆହତ ହୋଇ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ଏହି ଉଦ୍ଧାରକାର୍ଯ୍ୟ ରେ ନିୟୋଜିତ ଥିବା ସେନା କର୍ମଚାରୀ, ଓସଓଜି ଅଧିକାରୀ ଏବଂ ଜଙ୍ଗଲ ଅଧିକାରୀଙ୍କ ଏକ ସ୍ୱତନ୍ତ୍ର ଟିମ୍ ସୁଜିପାରାସ୍ଥିତ ସୂର୍ଯ୍ୟୋଦୟ ଉପତ୍ୟକାର ଜଙ୍ଗଲ ଭିତରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ।