ନବୀନ କଲେ ମୋହନଙ୍କୁ ଟାର୍ଗେଟ୍: କହିଲେ ବାର ବର୍ଷର ତପସ୍ୟା ଶୁଖୁଆ ପୋଡ଼ାରେ ଗଲା…
1 min readବିକାଶ ଓ କଲ୍ୟାଣ ହେଉଛି, ଆମର ଲକ୍ଷ୍ୟ । ଆମ ସରକାର ଆରମ୍ଭ କରିଥିବା ବିକାଶ ଓ କଲ୍ୟାଣ ଯୋଜନା ଲୋକଙ୍କୁ ସ୍ୱାଭିମାନର ସହ ବଞ୍ଚିବାକୁ ଶକ୍ତି ଦେଇଥିଲା । ଏବେ ବିନା କାରଣରେ ଗରିବ ଆଦିବାସୀ ଭାଈ ଭଉଣୀମାନଙ୍କ ଚାଉଳକୁ ବିଜେପି ସରକାର ବନ୍ଦ କରିଦେଇଛନ୍ତି। ତେଣୁ ସେମାନଙ୍କୁ ଆମ୍ବ ଟାକୁଆ ଖାଇବାକୁ ପଡୁଛି । ବହୁତ ଦୁଃଖର କଥା ଏଥିପାଇଁ ଦୁଇଜଣ ଆଦିବାସୀ ମହିଳା ପ୍ରାଣ ହରାଇଛନ୍ତି ଓ ଅନ୍ୟମାନଙ୍କ ଚିକିତ୍ସା ଜାରି ରହିଛି । ଆମର ବାର ବର୍ଷର ତପସ୍ୟାକୁ ଏମାନେ ଶୁଖୁଆ ପୋଡାରେ ସାରିଦେଲେ । ବିଜେଡି ସରକାର ସମୟରେ ନଫାସାରୁ ବାଦ ପଡ଼ିଥିବା ସବୁ ଗରିବ ଲୋକଙ୍କ ପାଇଁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଆରମ୍ଭ ହୋଇଥିଲା। ଆଶା କରୁଛି ବର୍ତମାନର ସରକାର ଲୋକଙ୍କୁ ଅବହେଳା ନ କରି ଏହାକୁ ଚାଲୁ ରଖିବେ। ଗରିବ ଲୋକଙ୍କ ଖାଦ୍ୟ ନିରାପତ୍ତା ସହ କୌଣସି ସାଲିସ କରାଯାଇପାରିବ ନାହିଁ। ପ୍ରତି ଜୀବନ ମୂଲ୍ୟବାନ। ଏଭଳି କିଛି କହି ସରକାରଙ୍କୁ ଟାର୍ଗେଟ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ।
ଆଜି ଛାତ୍ର ମାନଙ୍କ ପାଇଁ ବିଜୁ ଜନତା ଦଳର ସ୍ୱତନ୍ତ୍ର ସଭ୍ୟ ସଂଗ୍ରହ ଅଭିଯାନକୁ ଆରମ୍ଭ କରି ଏହି କାର୍ଯ୍ୟକ୍ରମରେ ସେ ଏଭଳି ପ୍ରକାଶ କରିଛନ୍ତି। ସେ ଆହୁରି କହିଛନ୍ତି, ବିଜୁ ଜନତା ଦଳ ସରକାର ସମୟରେ, ବହୁତ ଭଲ କାମ ହୋଇଛି । ଆମ ସରକାରଙ୍କ ଯୋଜନା, ଅନ୍ୟ ମାନଙ୍କ ପାଇଁ ଆଦର୍ଶ ହୋଇଛି । ଭାରତ ସରକାର ବି, ଆମର ଅନେକ ଯୋଜନା, ଗ୍ରହଣ କରିଛନ୍ତି । ଭୋଟ ବ୍ୟାଙ୍କ ସୃଷ୍ଟି କରିବା, କେବେ ବି ଆମର ଲକ୍ଷ୍ୟ ନ ଥିଲା ।
ବିଜେଡି ସରକାର ଅମଳରେ ଛାତ୍ରଛାତ୍ରୀଙ୍କ ପାଇଁ ଆରମ୍ଭ ହୋଇଥିବା ବିଭିନ୍ନ ଭଲ ଭଲ ଯୋଜନାକୁ ବନ୍ଦ କରି ଦିଆଯାଇଥିବାରୁ ପିଲାମାନଙ୍କ ଭିତରେ କ୍ରୋଧ ଓ ଅସନ୍ତୋଷ ସୃଷ୍ଟି ହୋଇଛି।