Pratidin TV

Odisha's Digital News Platform

ଦିଲ୍ଳୀ ଗସ୍ତରେ ନବୀନ: ଜାଣନ୍ତୁ କଣ ରହିଛି ବିଦେଶ ଗସ୍ତର ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ

1 min read

Odisha, June 25 (ANI): Odisha Chief Minister Naveen Patnaik inaugurating the Product Application and Development Centre, set up by Indian Oil Corporation Ltd (IOCL), via video conferencing, in Paradip on Thursday. (ANI Photo)

ଭୁବନେଶ୍ୱର : ଦଶ ବର୍ଷ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଦେଶ ଗସ୍ତରେ ଯିବେ  । ଆସନ୍ତା ୨୦ରେ ସେ ପାଂଚଜଣିଆ ପ୍ରତିନିଧିମଣ୍ଡଳ ସହ ଦିଲ୍ଲୀରୁ ଇଟାଲୀ ଅଭିମୁଖେ ଯାତ୍ରା କରିବେ  । ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ (ଡବ୍ଲ୍ୟୁଏଫପି) ପକ୍ଷରୁ ନବୀନଙ୍କୁ ନିମନ୍ତ୍ରଣ ମିଳିଥିବାବେଳେ ରୋମର ମୁଖ୍ୟ କାର୍ଯ୍ୟାଳୟରେ ଓଡ଼ିଶା କିଭଳି ଖାଦ୍ୟ ସୁରକ୍ଷାରେ ସଶକ୍ତ ହୋଇପାରିଛି ଏବଂ କିଭଳି ଭାବେ ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା କରିପାରିଛି ସେ ସମ୍ପର୍କରେ ନବୀନ ଆଲୋକପାତ କରିବାର କାର୍ଯ୍ୟକ୍ରମ ରହିଛି  ।

ଏକଦା ଓଡ଼ିଶା ଖାଦ୍ୟ ପାଇଁ ଅନ୍ୟ ଉପରେ ନିର୍ଭରଶୀଳ ଥିବାବେଳେ ଏବେ କିନ୍ତୁ ଖାଦ୍ୟ ବଳକା ରାଜ୍ୟରେ ପରିଣତ ହେବା ସହ ଆତ୍ମନିର୍ଭରଶୀଳ ହୋଇପାରିଛି  । ୧୯୯୯ରେ ମହାବାତ୍ୟାର ସାମ୍ନା କରିଥିବା ଓଡ଼ିଶା ଏବେ ବିପର୍ଯ୍ୟୟ ପରିଚାଳନାରେ ଏକ ମଡେ଼ଲ ପାଲଟିଯାଇଛି  । ଜାତିସଂଘ ପକ୍ଷରୁ ମଧ୍ୟ ଏହା ସ୍ୱୀକାର କରାଯାଇଛି  ।

Advertisement

ରୋମ ଗସ୍ତକାଳରେ ନବୀନ ଡବ୍ଲ୍ୟୁଏଫପିର କାର୍ଯ୍ୟକାରୀ ନିର୍ଦ୍ଦେଶକ ଡାଭିଡ଼ ବିସଲେ ଓ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହ ସାକ୍ଷାତ ଆଲୋଚନା କରିବେ  । ଏହାଛଡ଼ା ଆଗାମୀ ଦିନରେ ଡବ୍ଲ୍ୟୁଏଫପିର ସହଭାଗୀତାରେ ରାଜ୍ୟରେ କିଭଳି ଖାଦ୍ୟ ସୁରକ୍ଷା ଦୀର୍ଘମିଆଦୀ ଭାବେ ବଳବତର ରହିପାରିବ ସେନେଇ ମଧ୍ୟ ଆଲୋଚନା କରାଯିବ ବୋଲି ଜଣାପଡ଼ିଛି  । ରୋମରେ ରହଣୀକାଳରେ ନବୀନ ଭାଟିକାନର ହୋଲି ସି’ଠାରେ ପୋପ ଫ୍ରାନ୍ସିସଙ୍କୁ ଭେଟିବେ  । ସେହିପରି ୟୂରୋପର ବିଭିନ୍ନ ଅଂଚଳରେ ରହୁଥିବା ପ୍ରବାସୀ ଓଡ଼ିଆମାନଙ୍କ ସହ ନବୀନ ମଧ୍ୟ ଆଲୋଚନା କରିବେ  । ଆମ ରାଜ୍ୟର କଳା ଓ ସଂସ୍କୃତିର ପ୍ରଚାର ପ୍ରସାର ସହ ରାଜ୍ୟର ବିକାଶରେ ପ୍ରବାସୀ ଓଡ଼ିଆଙ୍କ ସହଭାଗୀତା ନେଇ ମଧ୍ୟ ନବୀନ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି  । 

ରୋମରୁ ଫେରିବା ବେଳ ନବୀନ ଦୁବାଇ ତଥା ମଧ୍ୟପ୍ରାଚ୍ୟର କେତେକ ନିବେଶକଙ୍କ ସହ ସାକ୍ଷାତ ଆଲୋଚନା କରିବେ  । ନିବେଶକମାନଙ୍କୁ ଓଡ଼ିଶାରେ ନିବେଶ ପାଇଁ ସେ ଆମନ୍ତ୍ରଣ କରିବେ  । କେତେକ ବଡ଼ ବଡ଼ ନିବେଶକଙ୍କ ସହ ନବୀନଙ୍କର ୱାନ-ଟୁ-ୱାନ ଆଲୋଚନାର କାର୍ଯ୍ୟକ୍ରମ ରହିଛି  । ଏହି ଅବସରରେ ବିଦେଶୀ ନିବେଶକଙ୍କ ସହ ସହଭାଗୀତା ନିମନ୍ତେ ଓଡ଼ିଶାର ଏକ ଉଚ୍ଚସ୍ତରୀୟ ଶିଳ୍ପ ପ୍ରତିନିଧି ଦଳ ମଧ୍ୟ ନିବେଶକ ସମ୍ମିଳନୀରେ ସାମିଲ ହେବେ  । ସେହିପରି ଦୁବାଇ ଓ ମଧ୍ୟପ୍ରାଚ୍ୟରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କୁ ଭେଟି ଓଡ଼ିଶାର ଦୁଇ ଦଶନ୍ଧିର ଯାତ୍ରା ସମ୍ପର୍କରେ ଆଲୋକପାତ କରିବା ସହ ରାଜ୍ୟ ବିକାଶରେ ସହଭାଗୀତା ପାଇଁ ମଧ୍ୟ ନବୀନ ଆମନ୍ତ୍ରଣ କରିବେ  ।

ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଫାଇଭ ଟି ସଚିବ ଭିକେ ପାଣ୍ଡିଆନ, ଖାଦ୍ୟ ଓ ଯୋଗାଣ ବିଭାଗର ପ୍ରମୁଖ ସଚିବ ଭିଭି ଯାଦବ, ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା ଓ ନୂଆଦିଲୀ ଆବାସିକ କମିଶନର ରବି କାନ୍ତ ମଧ୍ୟ ଇଟାଲୀ ଓ ରୋମ ଗସ୍ତ କରିବେ  ।

Leave a Reply

Your email address will not be published. Required fields are marked *