ମା ନୁହେଁ ସେ ପିଶାଚୀ , ନବଜାତ ଶିଶୁକୁ ୨୦ ଫୁଟ୍ର ବୋରୱେଲରେ ଫିଙ୍ଗି ଚାଲିଗଲା …….
1 min readଭୁବନେଶ୍ୱର ; ମା’ ଦୁନିଆ କଣ ମୁଁ ଜାଣିନି , କି ଭୁଲ ମୁଁ କରିଥିଲେ ଯେ ଆଖି ଖୋଲି ଦୁନିଆ ନଦେଖୁଣୁ ତୁ ମୋତେ ଅନ୍ଧାର ଗର୍ତରେ ଫିଙ୍ଗିଦେଇ ଚାଲିଗଲୁ । କଣ ମୋର ଭୁଲ ଥିଲା , ମୁଁ ଝିଅ ବୋଲି କଣ ମୋର ବଞ୍ଚିବାର ଅଧିକାର ନାହିଁ । ହାଡ ଭଙ୍ଗା ଶୀତକୁ ଅନ୍ଧାର ବୋରୱେଲରୁ ଗତକାଲି ବିକଳ ଚିତ୍କାର ଛାଡିଥିଲା ନବଜାତ ଶିଶୁ। ମଙ୍ଗଳବାର ମଧ୍ୟହ୍ନ ୩ ଟା ସମୟରେ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ନିକଟ ଲାରିପାଲି ଜଙ୍ଗଲରେ ଏକ ପରିତ୍ୟକ୍ତ ବୋରୱେଲ ମଧ୍ୟରୁ ଶୁବିଥିଲା ବିକଳ ଚିତ୍କାର । ସ୍ଥନୀୟ ଲୋକ ସେଠାରେ ପହଞ୍ଚି ଜାଣିବାକୁ ପଇଥିଲେ ଯେ ଏକ ପରିତ୍ୟକ୍ତ ବୋରୱେଲରେ କେହିଜଣେ ନବଜାତ ଶିଶୁକୁ ଫିଙ୍ଗି ବୋରୱେଲ ମୁହଁରେ ପଥର ଥୋଇ ଚାଲିଯାଇଚି ।
ଖବର ପହଞ୍ଚିଲା ପୁଲିସ ଓ ପ୍ରଶାସନ ପାଖରେ। ଏହା ପରେ ଆରମ୍ଭ ହୋଇଥିଲା ରେସ୍କ୍ୟୁ ଅପରେସନ୍। ଘଟଣାସ୍ଥଳରେ ପହଞ୍ଚିଥିଲା ତିନିଟି ଜେସିବି। ପୁଲିସ, ଓଡ୍ରାଫ୍ ଓ ଅଗ୍ନିଶମ ଟିମ୍ ବି ପହଞ୍ଚିଥିଲେ। ପରେ ପରେ ଅକ୍ସିଜେନ୍ ଓ ଆମ୍ବୁଲାନ୍ସ ସହ ଡାକ୍ତର ଆସିଥିଲେ। ବିଳମ୍ବ ନକରି ପ୍ରଥମେ ପାଇପରେ ବୋରୱେଲ ଭିତରକୁ ଅକ୍ସିଜେନ୍ ଦିଆଯାଇଥିଲା। ପାଇପ ଭିତରେ ଜାକି ହୋଇ ରହିଥିବା ଛୁଆଟିର ମୁଣ୍ଡ ତଳକୁ ଥିଲା। ବୋରୱେଲର ଫୁଟେ ଦୂରରେ ସମାନ୍ତରାଳ ଭାବେ ମାଟି ଖୋଳିଥିଲା ଜେସିବି। ରାତି ହୋଇଯିବାରୁ ଜେନେରେଟର ଆଣି ଲାଇଟ୍ ଲଗାଯାଇଥିଲା।
ଶୀତ ହେଉଥିବାରୁ ଏକ ଶହେ ୱାଟ ବଲ୍ ବୋରୱେଲରେ ଲଗାଯାଇଥିଲା, ଯେମିତି ଛୁଆଟିକୁ ଶୀତ ହେବ ନାହିଁ। ଜେସିବି ମାଟି ଖୋଳିବା ପରେ ଶାବଳ ଓ କୋଦାଳ ମାଟି ଖୋଳାଯାଇଥିଲା।ମାଟି ଖୋଳା ଶେଷହେବା ପରେ ଲୁହା ପାଇପକୁ କାଟିବା କାମ ଆରମ୍ଭ କରାଯାଇଥିଲା। ବିଦ୍ୟୁତ୍ ଚାଳିତ କଟର ସାହାଯ୍ୟରେ ଲୁହା ପାଇପକୁ କଟା ଯାଇଥିଲା। ତା’ ଭିତରେ ଆରିରେ ମଧ୍ୟ ଲୁହା ପାଇପକୁ କଟାଯାଇଥିଲା। ସେଥିପାଇଁ ଅତି ସତର୍କତା ଅବଲମ୍ବନ କରଯାଇଥିଲା । ଏହା ସହ ଭୁବନେଶ୍ୱରରୁ ଏକ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଘଟଣାସ୍ଥଳକୁ ଏକ ଭିକ୍ଟିମ ଲୋକେସନ କ୍ୟାମେରା ପଠାଯାଇଥିଲା। କ୍ୟାମେରା ସହ ଜଣେ ଟେକ୍ନିସିଆନଙ୍କୁ ପଠାଯାଇଥିଲା। ଶିଶୁଟି କେମିତି ଅଛି ତାହା ଜାଣିବାରେ ଭିକ୍ଟିମ ଲୋକେସନ କ୍ୟାମରା ସାଜାର୍ଯ୍ୟ କରିଥିଲା । ଦୀର୍ଘ ୬ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଶିଶୁଟିକୁ ବୋରୱେଲରୁ ଉଦ୍ଧାର କରାଯାଇଥିଲା । କିନ୍ତୁ ଏହି ଶିଶୁଟିକୁ କିଏ କାହିଁକି କେଉଁ ଅବସ୍ଥାରେ ଏଭଳି ମୃତ୍ୟୁ ମୁଖରେ ଫିଙ୍ଗି ଚାଲିଯାଇଛି ତାହା ଜଣାପଡିନାହିଁ ।