କରୋନା ପରେ ଚାଇନାରେ ସୃଷ୍ଟି ହେଲା ଆଉ ଏକ ମହାମାରୀ, ପ୍ରଭାବିତ ହେଉଛନ୍ତି ପିଲା…
1 min readକରୋନା ପରେ ଚାଇନାରେ ବ୍ୟାପିଲା ଆଉ ଏକ ମାରାତ୍ମକ ରୋଗ । ଏହି ରୋଗରେ ଅଧିକ ପ୍ରଭାବିତ ହେଉଛନ୍ତି ଛୋଟଛୁଆ । ଯେଉଁଥିପାଇଁ ସେମାନେ ଶ୍ୱାସକ୍ରିୟାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ରୋଗରେ ଆକ୍ରାନ୍ତ ହୋଇ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଅନେକ ପିଲା । ଏହି ରୋଗକୁ ନେଇ ବର୍ତ୍ତମାନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ମଧ୍ୟ ଉଦବେଗ ପ୍ରକାଶ କରିଛି । ତେବେ ଚାଇନାରେ ରହସ୍ୟମୟ ନିମୋନିଆ ସୃଷ୍ଟି କରିଥିବା ପରିସ୍ଥିତି ପୁଣିଥରେ ଲୋକଙ୍କୁ କରୋନା ମହାମାରୀର ଯୁଗକୁ ମନେ ପକାଇ ଦେଇଛି ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏକ ବିବୃତ୍ତି ଜାରି ଲୋକଙ୍କୁ ସତର୍କ ରହିବାକୁ କହିଛି । ଏଥିସହ ଚାଇନାର ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ପିଲାମାନଙ୍କ ମଧ୍ୟରେ ବ୍ୟାପିଥିବା ଏହି ରୋଗ ବିଷୟରେ ଅଧିକ ସୂଚନା ଦେବାକୁ କୁହାଯାଇଛି । ତେବେ ଛୁଆଙ୍କ ଠାରେ ଦେଖାଯାଉଥିବା ଏହି ରୋଗ ପ୍ରାୟତଃ ନିମୋନିଆ ସହ ସମାନ । କିନ୍ତୁ ଏଠାରେ ଛୁଆଙ୍କ ଠାରେ ଏଭଳି କିଛି ଲକ୍ଷଣ ପ୍ରକାଶ ପାଇଛି ଯାହା ନିମୋନିଆ ଠାରୁ ଭିନ୍ନ । ଏହି ରୋଗରେ ଆକ୍ରାନ୍ତ ଛୁଆଙ୍କ ଫୁସଫୁସରେ କଣା ସୃଷ୍ଟି ହେଉଛି । ଛୁଆଙ୍କୁ ଜୋରରେ ଜ୍ୱର ଆସିବା ସହ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ହେଉଛି । ଏହି ରହସ୍ୟମୟ ରୋଗ ବ୍ୟାପିବା ପରେ ସ୍ଥାନୀୟ ପ୍ରଶାସନ ସ୍କୁଲ୍ ଓ କଲେଜ ବନ୍ଦ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବି ଏହାକୁ ନେଇ ଆଲର୍ଟରେ ଅଛି ।