ହତ୍ୟା ଧମକ ଘଟଣାରେ ନୂଆ ଟ୍ଵିଷ୍ଟ; ଶାହରୁଖଙ୍କ ନାଁରେ ପୂର୍ବରୁ ଅଭିଯୋଗ କରିଥିଲେ ଅଭିଯୁକ୍ତ
1 min readବଲିଉଡ ବାଦଶାହ ଶାହରୁଖ ଖାଁଙ୍କୁ ମିଳିଛି ହତ୍ୟା ଧମକ। ଏନେଇ ମୁମ୍ବାଇର ବାନ୍ଦ୍ରା ପୋଲିସ ନିକଟରେ ଅଭିଯୋଗ ହୋଇଥିଲା । ପୋଲିସ ସୂଚନା ମୁତାବକ ଛତିଶଗଡର ରାୟପୁରରୁ ଫୈଜାନ୍ ନାମକ ଜଣେ ବ୍ୟକ୍ତିଙ୍କ ନାମରେ ପଞ୍ଜୀକୃତ ହୋଇଥିବା ନମ୍ବରରୁ ଏହି ଧମକ ମିଳିଥିଲା। ଶାହରୁଖ ଖାନଙ୍କ ଟିମ୍ ବାନ୍ଦ୍ରା ପୋଲିସ ନିକଟରେ ଏହି ଅଭିଯୋଗ କରିଥିଲେ । ଯାହାକୁ କିଛି ସମୟ ବ୍ୟବଧାନ ମଧ୍ୟରେ ମହାରଷ୍ଟ୍ର ପୋଲିସ ଗିରଫ କରିଛନ୍ତି | ତେବେ ଏହି ହତ୍ୟା ଧମକ ଘଟଣାରେ ନୂଆ ଟ୍ଵିଷ୍ଟ ଆସିଛି |
ଗୋଟିଏ ଗଣମାଧ୍ୟମକୁ ଫୈଜନ କହିଛନ୍ତି, “ମୋ ଫୋନ ଚୋରି ହୋଇଯାଇଛି। ମୁଁ ଏ ସମ୍ପର୍କରେ ଅଭିଯୋଗ ମଧ୍ୟ କରି ସାରିଛି। ଆଜି ମୁମ୍ବାଇ ପୁଲିସ୍ ମୋ ଘରକୁ ଆସିବା ସହ ଧମକପୂର୍ଣ୍ଣ କଲ ସମ୍ପର୍କରେ ପଚାରିଥିଲା। ମୁଁ ଜଣେ ଆଇନଜୀବୀ ବୋଲି ସେମାନଙ୍କୁ କହିଥିଲି। ମୋ ଫୋନ ଚୋରି ହୋଇଯାଇଛି ଓ କିଏ କଲ କରିଛି ବୋଲି ମୁଁ ଜାଣିନାହିଁ।”
ଫୈଜନ କହିଛନ୍ତି ଯେ ତାଙ୍କ ଫୋନ ନମ୍ବର ସହ ଲିଙ୍କ ହୋଇଥିବା ହ୍ୱାଟସଆପ ଆଉ ଗୋଟିଏ ଫୋନରେ ଲିଙ୍କ ରହିଛି। ତେବେ ଚୋରି ହୋଇଥିବା ମୋବାଇଲର ସିମ କାର୍ଡରୁ ଧମକପୂର୍ଣ୍ଣ କଲ କରାଯାଇଛି। ହ୍ୱାଟସଆପ୍ରୁ କୌଣସି କଲ ହୋଇନି।
ମୁମ୍ବାଇ ପୁଲିସ୍ ତାଙ୍କୁ ଜେରା କରିଥିଲେ ହେଁ ସେ ନିଜକୁ ନିର୍ଦ୍ଦୋଷ ବୋଲି କହିଛନ୍ତି। ଧମକପୂର୍ଣ୍ଣ କଲ ସହ ତାଙ୍କର କୌଣସି ସମ୍ପର୍କ ନାହିଁ ଓ କେହି ତାଙ୍କୁ ଫସାଇବାକୁ ଚେଷ୍ଟା କରୁଥିବା ଫୈଜନ କହିଛନ୍ତି।
ସେ ପୂର୍ବରୁ ଅଭିନେତା ଶାହରୁଖଙ୍କ ନାଁରେ କରିଥିବା ଅଭିଯୋଗର ମଧ୍ୟ ଖୁଲାସା କରିଛନ୍ତି। ଫୈଜନ ଅଭିଯୋଗ କରିଛନ୍ତି ଯେ ଶାହରୁଖ ଦୁଇ ଧାର୍ମିକ ସଂପ୍ରଦାୟ ମଧ୍ୟରେ ବିଦ୍ୱେଷ ସୃଷ୍ଟି କରିବାକୁ ଚେଷ୍ଟା କରିଥିଲେ। ଏପରି ଅଭିଯୋଗ ବାନ୍ଦ୍ରା ପୁଲିସ୍ ଷ୍ଟେସନରେ ଦାଖଲ କରାଯାଇଛି। ୧୯୯୪ ମସିହା ଅଞ୍ଜାମ ଫିଲ୍ମର ଗୋଟିଏ ଦୃଶ୍ୟରେ ଶାହାରୁଖ ତାଙ୍କ ଘରୋଇ ସହାୟକଙ୍କୁ ଗାଡ଼ିରେ ହରିଣର ମୃତଦେହ ରହିଥିବା କଥା କହିଥିଲେ। ଫୈଜନ କହିଛନ୍ତି, “ବିଷ୍ଣୋଇ ସଂପ୍ରଦାୟରୁ ଅନେକ ଲୋକ ମୋର ବନ୍ଧୁ। ସେମାନଙ୍କର ୨୯ଟି ନୀତି ରହିଛି। ଏହା ମଧ୍ୟରେ ହରିଣ ହତ୍ୟାକୁ ବାରଣ କରାଯାଇଛି | ମୁଁ ଅଭିଯୋଗ ଦାଖଲ କରିବାର କିଛି ଦିନ ପରେ ହିଁ ମୋ ଫୋନ ଚୋରି ହୋଇଛି। ତେଣୁ ମୋତେ କେହି ଫସାଇବାକୁ ଚେଷ୍ଟା କରୁଛି।”
ଅଭିଯୁକ୍ତ କହିଛନ୍ତି, ଆଇନଜୀବୀ ଫୈଜନଙ୍କ ଘର ଛତିଶଗଡ଼ର ରାୟପୁରରେ। ସେ ଦାବି କରିଛନ୍ତି ଯେ ନଭେମ୍ବର ୨ରୁ ତାଙ୍କ ଫୋନ ଚୋରି ହୋଇଯାଇଛି। ଚୋରି ସମ୍ପର୍କରେ ସେ ଅଭିଯୋଗ ମଧ୍ୟ ଦାଖଲ କରିସାରିଛନ୍ତି। ଏବେ ଚୋରି ମୋବାଇଲରୁ ଫୋନ କରି କେହି ଶାହରୁଖଙ୍କ ଉଦ୍ଦେଶ୍ୟରେ ହତ୍ୟା ଧମକ ଦେଇଥିବା ସେ କହିଛନ୍ତି।
ବାନ୍ଦ୍ରାସ୍ଥିତ ଶାହରୁଖ ଖାନଙ୍କ ପ୍ରଡକ୍ସନ୍ କମ୍ପାନୀ ରେଡ୍ ଚିଲିସ୍ ଏଣ୍ଟରଟେନମେଣ୍ଟ ଅଫିସକୁ ଏହି କଲ୍ କରାଯାଇଥିଲା। ବାନ୍ଦ୍ରା ପୋଲିସ୍ କ୍ରାଇମ ବ୍ରାଞ୍ଚର ଏକ ଟିମ୍ ବର୍ତ୍ତମାନ ରାୟପୁର ଅଭିମୁଖେ ବାହାରିଛନ୍ତି, ଯେଉଁଠାରୁ ଧମକ ଆସିଥିଲା । ଫୋନ୍ କରି କୁହାଯାଇଥିଲା ଯେ, ଯଦି ଶାହରୁଖଙ୍କ ଜୀବନ ବଞ୍ଚାଇବାକୁ ଚାହୁଁଛ, ତେବେ ୫0 ଲକ୍ଷ ଟଙ୍କା ଦିଅ, ନଚେତ ପରିଣାମ ଭୋଗିବାକୁ ପ୍ରସ୍ତୁତ ରୁହ।
ସଲମାନଙ୍କ ପରେ ଶାହରୁଖଙ୍କୁ ଏପରି ଧମକପୂର୍ଣ୍ଣ କଲ୍ ଆସିବା ପରେ ତାଙ୍କର ସୁରକ୍ଷା ବଢ଼ାଇ ଦିଆଯାଇଛି । ଏବେ ଶାହରୁଖଙ୍କ ଘର ମନ୍ନତ ନିକଟରେ ସୁରକ୍ଷା ବଢ଼ାଇ ଦିଆଯାଇଛି। କିଛିଦିନ ତଳେ ଶାହରୁଖଙ୍କ ଘର ବାହାରେ ପୋଲିସ ବ୍ୟରିକେଡ ଲଗାଇଥିଲା। ତେବେ କୁହାଯାଉଛି କି ଶାହରୁଖଙ୍କ ତରଫରୁ ଏବେ ଅଧିକ ସୁରକ୍ଷା ମଗାଯାଇନାହିଁ। ଶହରୁଖ ଯୁଆଡେ ବି ଯାଆନ୍ତି ତାଙ୍କ ସହିତ ନିଜର ସୁରକ୍ଷାକର୍ମୀଙ୍କୁ ନେଇଯାଇନ୍ତି।