ବିଜେପିର ହାତ ଛାଡିବେ କି ନୀତିଶ: ବିଧାୟକଙ୍କୁ ୭୨ ଘଣ୍ଟା ଯାଏଁ ରାଜ୍ୟ ନ ଛାଡିବାକୁ ନୋଟିସ୍
1 min readନୂଆଦିଲ୍ଲୀ: ଜାତୀୟ ରାଜନୀତିରେ ପୁଣି ନୀତିଶ କୁମାରଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ବିଜେପି ଦୟାରେ ବିହାର ମୁଖ୍ୟମନ୍ତ୍ରୀ ହୋଇଥିବା ନୀତିଶ କୁମାର ଖୁବଶୀଘ୍ର ଏକ ବଡ଼ ନିଷ୍ପତି ନେବାକୁ ଯାଉଛନ୍ତି । ବିଜେପିର ହାତ ଛାଡ଼ି ସେ ପୁଣି ଲାଲୁଙ୍କ ହାତ ଧରିବେ ବୋଲି ବିହାର ରାଜନୀତିରେ ଚର୍ଚ୍ଚା ହେଉଛି । ଦୁଇ ତିନି ଦିନ ଭିତରେ ସେ ଏକ ବଡ଼ ଘୋଷଣା କରିବାକୁ ଯାଉଛନ୍ତି ବୋଲି କୁହାଯାଉଛି । ଆସନ୍ତା ୭୨ ଘଣ୍ଟା ପର୍ଯ୍ୟନ୍ତ ପାଟନା ନଛାଡ଼ିବା ପାଇଁ ସେ ବିଧାୟକ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଦଳୀୟ ନେତା ଓ ବିଧାୟକ ମାନଙ୍କ ସହ ରୁଦ୍ଧଦ୍ୱାର ବୈଠକ ମଧ୍ୟ କରୁଛନ୍ତି । କିନ୍ତୁ ସେ ନେତାଙ୍କ ସହ କ’ଣ ଆଲୋଚନା କରୁଛନ୍ତି ତାହାର କେହି ଟେର ପାଉନାହାନ୍ତି । ସମ୍ଭବତଃ ବିଜେପିକୁ ଝଟକା ଦେବା ପାଇଁ ନୀତିଶ ରଣନୀତି କରୁଛନ୍ତି । ନିକଟରେ ସେ ଲାଲୁ ଯାଦବଙ୍କ ଇଫତାର ପାର୍ଟିରେ ସାମିଲ ହୋଇଥିଲେ । ଯାହାକୁ ନେଇ ବିଜେପି ମଧ୍ୟ ପ୍ରଶ୍ନ ଉଠାଇଥିଲା । ତେବେ ବିଜେପି ସବୁବେଳେ ନୀତିଶଙ୍କ କାମରେ ହସ୍ତକ୍ଷେପ କରୁଥିବାରୁ ସେ ତାହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ।
ଅପରପକ୍ଷରେ ବିଜେପି କେନ୍ଦ୍ରମନ୍ତ୍ରୀ ଆରପି ସିଂହଙ୍କ ସହଯୋଗରେ ଜେଡ଼ିୟୂରେ ବିଭାଜନ କରିବାକୁ ଉଦ୍ୟମ କରୁଥିବା କୁହାଯାଉଛି । ବିହାର ରାଜନୀତିରେ ନୀତିଶ ସବୁବେଳେ ଚକିତ କରିବା ଭଳି ନିଷ୍ପତି ନେଇଆସିଛନ୍ତି । ତେବେ ସେ ବିଜେପି ସହଯୋଗରେ ମୁଖ୍ୟମନ୍ତ୍ରୀ ରହିବେ ନା ନିଜର ପୁରୁଣା ଯୋଡ଼ି ଲାଲୁଙ୍କ ସହ ରହିବେ ତାହାର ଉତର ଖୁବଶୀଘ୍ର ମିଳିଯିବ ।