Pratidin TV

Odisha's Digital News Platform

ନୂଆ ପଡାରେ ମାତିଛନ୍ତି ବାଘ : ଭୟରେ ଥରହର ଅଞ୍ଚଳବାସୀ , ୧୩ ଟା କ୍ୟାମେରା ସତ୍ତ୍ୱେବି ଟେର୍ ପାଉନି ବନ ବିଭାଗ ..

1 min read

ନୂଆପଡା : ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ ଅଞ୍ଚଳବାସୀ ଏବେ ବାଘ ଆତଙ୍କରେ ଥରହର ହେଉଛନ୍ତି । ଅଭୟାରଣ୍ୟର ଭିନ୍ନଭିନ୍ନ ଅଞ୍ଚଳରେ ଗୋଟିଏ ବାଘ ଏବଂ ଏକ ବାଘୁଣୀ କ୍ରମାଗତ ଭାବେ ଜନବସତି ଉପରେ ଆକ୍ରମଣ କରୁଛନ୍ତି। ଅଭୟାରଣ୍ୟ ସଂଲଗ୍ନ ଉତ୍ତର ପଟେ ନୂଆପଡ଼ା ବନାଞ୍ଚଳରେ ଏକ ବାଘୁଣୀ ନିଜ ଶାବକ ସହିତ ବୁଲୁଥିବା ବେଳେ ଅଭୟାରଣ୍ୟର ମଧ୍ୟ ପଶ୍ଚିମ ଭାଗରେ କୋମନା ବ୍ଲକ୍ ଅନ୍ତର୍ଗତ ସୋସେଙ୍ଗ ପଞ୍ଚାୟତରେ ଏକ କଲରାପତରିଆ ବାଘ ମାତିଛି । ଉଭୟପଟୁ ବାଘ ଆକ୍ରମଣରେ ଧନଜୀବନ ନଷ୍ଟ ଯୋଗୁ ଲୋକେ ବିତତ୍ରସ୍ତ ହୋଇରହିଛନ୍ତି । ସୁନାବେଡ଼ା ଅଭୟାରଣ୍ୟର ଗ୍ରାମାଞ୍ଚଳରେ ଏବେ ଦିନବେଳା ବି ତାଟିକବାଟ ପଡ଼ି ରହିବା ଭଳି ସ୍ଥିତି ଉପୁଜିଛି ।

ଗତ ୧୯ତାରିଖ ରାତିରେ ଅଭୟାରଣ୍ୟର କୋମନା ବ୍ଲକ ଅନ୍ତର୍ଗତ ଜଳମଡ଼ାଇ ଗାଁରେ ଜଣେ ବୃଦ୍ଧାଙ୍କୁ ବାଘ ଘର ପଛପଟୁ ଟାଣିନେଇ ଖାଇଯାଇଥିଲା । ଏହି ଭୟ ଲୋକଙ୍କ ମନରୁ ଲିଭି ନାହିଁ । ନୂଆପଡ଼ା ବ୍ଲକ ତରିଆମହୁଆଭଟା ଗାଁରେ ମୁଷରଙ୍ଗୀ ଜଙ୍ଗଲରୁ ଚାଲିଆସିଥିବା ବାଘୁଣୀ ଆତଙ୍କ ଖେଳାଇ ରଖିଛି। ବାଘୁଣୀ ତରିଆମହୁଆଭଟା ଗାଁରୁ ଏକ ବାଛୁରୀକୁ ଟାଣି ନେଇଛି । ଜଳମଡ଼ାଇ ଏବଂ ଏହାର ଆଖପାଖ ଗାଁରେ ଦିନରାତି ବାଘ ପଇଁତରା ମାରି ହେଣ୍ଟାଳ ଛାଡୁଥିବା ବେଳେ ତରିଆମହୁଆଭଟା ସମେତ ଏହା ନିକଟରେ ବାଘୁଣୀର ଅନୁରୂପ ଗତିବିଧି ଲାଗିରହିଛି । ଫଳରେ ଉକ୍ତ ଅଞ୍ଚଳବାସୀ ମଧ୍ୟ ଆତଙ୍କରେ କାଳାତିପାତ କରୁଛନ୍ତି । ଏଣେ ବନବିଭାଗ ଉଭୟ ଅଞ୍ଚଳରେ ଉପସ୍ଥିତ ରହି କ୍ୟାମେରା ଉପରେ କ୍ୟାମେରା ଲଗାଇ ଚାଲିଛି । ହେଲେ ବାଘକୁ ନା ଟ୍ରାକ୍ କରିପାରୁଛି ନା ଲୋକଙ୍କୁ ସୁରକ୍ଷା ଦେଇପାରୁଛି ? ଯଦ୍ୱାରା ପ୍ରତିଦିନ ଜନବସତି ଭିତରକୁ ବାଘ-ବାଘୁଣୀ ପଶି ଶିକାର କରୁଛନ୍ତି । ଏଣେ ବନବିଭାଗର ବିଫଳତା ଯୋଗୁଁ ଜନଅସନ୍ତୋଷ ବଢ଼ିବାରେ ଲାଗିଛି ।

ପ୍ରକାଶଯୋଗ୍ୟ ଯେ, ୧୭ ଦିନ ହେବ ସୁନାବେଡ଼ା ପ୍ରସ୍ତାବିତ ବ୍ୟାଘ୍ର ପ୍ରକଳ୍ପରୁ ଏକ ବାଘୁଣୀ ଛୁଆ ସହ ଖାଦ୍ୟ ଅନ୍ୱେଷଣରେ ମୂଷରଙ୍ଗୀ ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲକୁ ଚାଲିଆସି ଆଡ୍ଡା ଜମାଇ ବସିଛି । ମଙ୍ଗଳବାର ରାତିରେ ବାଘୁଣୀ ଗାଁ ଦାଣ୍ଡରୁ ଏକ ବାଛୁରୀକୁ ଟାଣି ନେଇଥିବା ଲୋକେ କହିଛନ୍ତି । ତେବେ ଏହା କାହାର ବାଛୁରୀ ଚିହ୍ନଟ ହୋଇ ନ ଥିବାବେଳେ ତାର ଦେହାବଶେଷ ମଧ୍ୟ ବନବିଭାଗ ଠାବ କରି ନ ଥିବା କହିଛି ।

ଗାଁ ଲୋକଙ୍କ କହିବା ଅନୁଯାୟୀ, ଗତରାତିରେ ତରିଆ ମହୁଆଭଟା ଗାଁ ଦାଣ୍ଡରେ ବାଘୁଣୀ ଘୂରି ବୁଲିଥିଲା । ବୁଲିବୁଲି ରଡ଼ି ଛାଡ଼ୁଥିଲା । ଫଳରେ ଗାଁଲୋକେ ରାତିସାରା ଘର ଭିତରେ ଜଗି ରହିଥିଲେ । ଏହି ୧୭ ଦିନ ଭିତରେ ବାଘୁଣୀ ପ୍ରତି ଦିନେ ଦୁଇ ଦିନ ଭିତରେ ଗାଁକୁ ଆସି ଏଭଳି ହେଣ୍ଟାଳ ମାରିଥାଏ ଏବଂ ଶିକାର କରିଥାଏ । ଏହି ୧୭ ଦିନ ଭିତରେ ବାଘୁଣୀ ଦୁଇଟି ଗାଈ, ଦୁଇଟି ବାଛୁରୀକୁ ମାରି ଖାଇଥିବାବେଳେ ମଇଁଷି ଓ ବାଛୁରୀକୁ ଘାଇଲା କରିସାରିଛି । ସେବେଠାରୁ ବନ କର୍ମଚାରୀ ଗାଁରେ ୨୪ ଘଣ୍ଟିଆ ପାଟ୍ରୋଲିଂ କରୁଛନ୍ତି ।

ସେହିପରି ୧୫ ଦିନ ହେଲା ଜଳମଡ଼ାଇ ଗାଁରେ ବାଘ ପଇଁତରା ମାରି ଆତଙ୍କ ଖେଳାଉଛି । ଇତିମଧ୍ୟରେ ଗାଁରେ ଜଣେ ବୃଦ୍ଧାଙ୍କ ସମେତ ଗୋଟିଏ ବାଛୁରୀ, ଗୋଟିଏ କୁକୁରକୁ ବାଘ ଶିକାର କରି ସାରିଲାଣି । ୩ ଦିନ ହେବ ଲଗାତାର ବାଘ ଗାଁ ଚାରି ପାଖରେ ଘୂରି ବୁଲୁଛି । ବନକର୍ମଚାରୀ ବାଘର ପାଦଚିହ୍ନ ମଧ୍ୟ ଠାବ କରିଛନ୍ତି । ବାଘକୁ ଟ୍ରାକ୍ କରିବା ପାଇଁ ବନବିଭାଗ ପକ୍ଷରୁ ପୂର୍ବରୁ ୧୦ଟି କ୍ୟାମେରା ଲଗାଯାଇଥିଲା । ପୁଣି ୩ଟି କ୍ୟାମେରା ଲଗାଯାଇଛି । ହେଲେ ଏଯାଏ ବନବିଭାଗ ବାଘର ଫଟୋ ପାଇନଥିବା କହୁଛି । ଏଠାରେ ଲୋକେ ଆତଙ୍କରେ ଜୀବନ କାଟୁଥିବା ବେଳେ ତୁରନ୍ତ ବାଘକୁ ଘଉଡ଼ାଇ ସୁରକ୍ଷା ଦେବାକୁ ଦାବି କରିଛନ୍ତି ।ଏନେଇ ସୁନାବେଡ଼ା ବନ୍ୟପ୍ରାଣୀ ରେଞ୍ଜର ଶିବପ୍ରସାଦ ଖମାରୀଙ୍କୁ ପଚାରିବାରୁ କହିଛନ୍ତି, ଏବେ ଜଳମଡ଼େଇ ଗାଁରେ ବନ କର୍ମଚାରୀ ୨୪ ଘଣ୍ଟିଆ ପାଟ୍ରୋଲିଂ କରୁଛନ୍ତି । ଏଥିରେ ଫରେଷ୍ଟର, ଗାର୍ଡ, ପାରାସ୍କ୍ୱାଡ୍, ୧୦ ଜଣ ଆଣ୍ଟିପୋଚିଂ ସ୍କ୍ୱାଡ୍, ୫ ଜଣ ଫାୟାର ଫାଇଟିଂ ସ୍କ୍ୱାଡ୍ ନିୟୋଜିତ ଅଛନ୍ତି । ଏଭଳି ଦୁଇଟି ଟିମ୍ରେ ପ୍ରାୟ ୨୫ ଜଣ କର୍ମଚାରୀ ବାଘର ଗତିବିଧି ଉପରେ ନଜର ରଖିଛନ୍ତି । ପ୍ରଥମଦିନ ୧୦ଟି ଓ ଆଜି ୩ଟି ଟ୍ରାକିଂ କ୍ୟାମେରା ଲଗାଇଛି । ପ୍ରତିଦିନ ପାଦ ଚିହ୍ନ ଠାବ ହେଉଛି । ଲୋକଙ୍କୁ ବାଘଠାରୁ ସୁରକ୍ଷା ଦେବା ଲାଗି ଉଦ୍ୟମ ଚାଲିଛି ବୋଲି ରେଞ୍ଜର କହିଛନ୍ତି ।

Leave a Reply

Your email address will not be published. Required fields are marked *