Pratidin TV

Odisha's Digital News Platform

ସାଉଥ୍ ଇଣ୍ଡଷ୍ଟ୍ରିରେ ଓଡିଆ ପୁଅ ମିଲନଙ୍କ କମାଲ୍ , ସୁପରହିଟ୍ ‘ହନୁମାନ’ଫିଲ୍ମରେ ଦେଖାଇଲେ ଜଲୱା …

ରାୟଗଡା ; ପୁରା ଦେଶରେ ଏବେ ଓଡିଆ ପୁଅଙ୍କ ଚର୍ଚ୍ଚା । ସାଉଥ ସୁପରହିଟ ଫିଲ୍ମ ‘ହନୁମାନ’ରେ ନିଜ କମାଲ ଦେଖାଇଛନ୍ତି ରାୟଗଡା ପୁଅ ମିଲନ କୁମାର ନାୟକ । ହନୁମାନ ଫିଲ୍ମରେ ସହ ନିର୍ଦ୍ଦେଶନା ଦେଇ ଏବେ ଚର୍ଚ୍ଚା ସାଉଁଟୁଛନ୍ତି ମିଲନ୍ । ଭବିଷ୍ୟତକୁ ଜଣେ ବଡ ନିର୍ଦ୍ଦେଶକ ହେବା ସହ ସେ ଓଡିଆ ଫିଲ୍ମକୁ ଏକ ନୂଆ ଦିଶା ଦେବାର ଲକ୍ଷ ମଧ୍ୟ ରଖିଛନ୍ତି । ରାୟଗଡ଼ା ସହର ବାସିନ୍ଦା ମିଲନ୍ ପୂର୍ବରୁ ଚାରିଟି ସିନେମାରେ ସହାୟକ ନିର୍ଦ୍ଦେଶନା ଦେଇଥିଲେ ମଧ୍ୟ ‘ହନୁମାନ’ ସିନେମା ଟିକିଏ ଅଲଗା ରହିଛି। ଯାହାକି ସିନେମା ଜଗତରେ ଚହଳ ସୃଷ୍ଟି କରିଛି।ସୁଦୁର ରାୟଗଡ଼ା ଠାରୁ ହାଇଦ୍ରାବାଦ ଭାୟା ମୁମ୍ବାଇ ପହଞ୍ଚି ସିନେମା ଜଗତରେ ଚହଳ ସୃଷ୍ଟି କରିଛନ୍ତି ଓଡିଆ ପୁଅ ମିଲନ୍। ଚଳିତ ମାସରେ ମୁକ୍ତିଲାଭ କରିଥିଲା ‘ହନୁମାନ’ ସିନେମା। ଏହି ସିନେମାର ସହକାରୀ ନିର୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି ରାୟଗଡ଼ା ସହରର ମିଲନ୍ କୁମାର ନାୟକ। ଏହି ସିନେମା ସମଗ୍ର ସିନେମା ଜଗତରେ ଚହଳ ସୃଷ୍ଟି କରିଛି। ଆଜି ସୁଦ୍ଧା ୨୭୫ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ କରିଲାଣି। ଆଗକୁ ଆହୁରି ଅଧିକ କରିବ ବୋଲି ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି ମିଲନ୍।

ରାୟଗଡ଼ା ଜିଲ୍ଲା ଜେକେପୁର ଠାରେ ଜନ୍ମଗ୍ରହଣ କରିଥିବା ମିଲନ୍ ନିଜର ଶିକ୍ଷାଲାଭ କରିଥିଲେ ଜେକେପୁର ଠାରେ। ଏହାପରେ ପାରଳାଖେମୁଣ୍ଡି ଠାରେ ବିଟେକ ଅଧ୍ୟୟନ କରିବା ପରେ ଚାକିରୀ ପାଇଁ ଯାଇଥିଲେ ମୁମ୍ବାଇ। ସେଠାରେ ଏକ ମଲ୍ଟି ନେସନାଲ କମ୍ପାନୀରେ ତିନି ବର୍ଷ ଚାକିରି କରିଥିଲେ। ହେଲେ ପିଲା ବେଳୁ ସିନେମାରେ ନିର୍ଦ୍ଦେଶନା ଦେବା ପାଇଁ ତାଙ୍କର ରହିଥିବା ଦୁର୍ବଳତା ଟାଣି ନେଇଥିଲା ସିନେମା ଜଗତକୁ। ଦୁଇଟି ହିନ୍ଦୀ ସିନେମା ଲୁପ୍ତ ଓ ମୋଦି ଜି କି ବେଟି ସହକାରୀ ନିର୍ଦେଶକ ଭାବେ ସଫଳତାର ସହ ଦାୟିତ୍ୱ ତୁଲାଇଥିଲେ। ଏହାପରେ ୨୦୧୯ ମସିହାରେ ହାଇଦ୍ରାବାଦ ଆସିଥିଲେ ମିଲନ୍। ସେଠାରେ ଦୁଇଟି ତେଲୁଗୁ ସିନେମାରେ ନିର୍ଦ୍ଦେଶନା ଦେଇଥିଲେ। ହେଲେ ଚଳିତ ମାସରେ ମୁକ୍ତିଲାଭ କରିଥିବା ତେଲୁଗୁ ସିନେମା ‘ହନୁମାନ’ ରେ ତାଙ୍କର ଭୂମିକା ସର୍ବାଧିକ ରହିଛି। ଏଥିରେ ସେ ସେଟ୍ ହ୍ୟାଣ୍ଡେଲ, ପୋଷ୍ଟ ପ୍ରଡକ୍ସନ ଓ ଷ୍ଟୋରି ଡେଭଲପମେଣ୍ଟ ଦାୟିତ୍ଵ ତୁଲାଇଛନ୍ତି। ଏଥିସହ ବିଭିନ୍ନ ମୂହୁର୍ତ୍ତରେ ତାଙ୍କ ନିର୍ଦେଶନାରେ ଆଗକୁ ବଢିଥିଲା ସିନେମା। ଯାହାକି ଆଜି ଉକ୍ତ ସିନେମାକୁ ସଫଳତାର ଶୀର୍ଷରେ ପହଞ୍ଚାଇଛି। ଆଜି ସୁଦ୍ଧା ଏହି ସିନେମା ୨୭୫ କୋଟି ଟଙ୍କା ଆୟ କରିଥିବା ବେଳେ ସୁପରହିଟ ରହିଛି। ତେବେ ଆଗକୁ ନିର୍ଦ୍ଦେଶନା ଦେଇ ଜଣେ ନିର୍ଦେଶକ ହେବା ପାଇଁ ଲକ୍ଷ ରଖିଛନ୍ତି ମିଲନ୍। ସୁଯୋଗ ମିଳିଲେ ଓଡିଆ ସିନେ ଜଗତରେ ମଧ୍ୟ ପାଦ ଥାପିବେ ବୋଲି ସୂଚନା ଦେଇଛନ୍ତି।

ଏଣେ ପୁଅର ସଫଳତା ପାଇଁ ବେଶ୍ ଖୁସି ପ୍ରକଟ କରିଛନ୍ତି ପରିବାର ଲୋକ। ମିଲନଙ୍କ ବାପ ରାମଚନ୍ଦ୍ର ଜେକେ କାଗଜକଳର ଜଣେ କର୍ମଚାରୀ ହୋଇଥିବା ବେଳେ ମା ଜ୍ୟୋତ୍ସ୍ନା ଜଣେ ଗୃହିଣୀ। ପିଲାଟି ବେଳରୁ ସିନେମା ଜଗତରେ କାମ କରିବା ପାଇଁ ବେଶ୍ ଇଛୁକ ଥିଲେ ମିଲନ୍। ତାଙ୍କ ବାପା ବିଭିନ୍ନ ଡ୍ରାମା କରିଥିଲେ। ଏହା ଦେଖି ସେ ନିଜର ଆଗ୍ରହ ବଢାଇବା ସହିତ ଶେଷରେ ସଫଳ ମଧ୍ୟ ହୋଇଛନ୍ତି। ଏହା ଦେଖି ବାପା ଓ ମା କହିଛନ୍ତି ଆମର ପ୍ରୋତ୍ସାହନ ତା ପ୍ରତି ରହିଥିଲା। ତାହା ମିଲନ୍ ସଫଳତାର ସହ ଅନୁକରଣ କରିଛନ୍ତି। ଆଗକୁ ମଧ୍ୟ ନିର୍ଦ୍ଦେଶକ ହେବେ ବୋଲି ବେଶ୍ ଆଶାବାଦୀ ରହିଛି ବୋଲି କହିଛନ୍ତି। ପିଲାଟି ବେଳରୁ ଲକ୍ଷ କ୍ଷେତ୍ରରେ ଦୃଢ ନିଶ୍ଚିତ ଥିଲେ ସଫଳତା ନିଶ୍ଚିତ ମିଳିବ ଯାହାକି ମିଲନଙ୍କ କ୍ଷେତ୍ରରେ ପରିଲକ୍ଷିତ ହୋଇଛି।

Leave a Reply

Your email address will not be published. Required fields are marked *