ଓଡିଶାର ହାଇପ୍ରୋଫାଇଲ ମର୍ଡର ମିଷ୍ଟ୍ରି ଉପରୁ ଉଠିବ ପରଦା : କ୍ୱାଟରରୁ ମିଳିଲା ଅଭିଯୁକ୍ତ ଏଏସଆଇ ଗୋପାଳ ଦାସଙ୍କ ଡାଏରୀ ..
1 min readଝାରସୁଗୁଡା : ଓଡିଶାର ହାଇପ୍ରୋଫାଇଲ ମର୍ଡର ମିଷ୍ଟ୍ରି ଉପରୁ ଫିଟିବ ଗୁମର ! କାହିଁକି ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରିଥିଲେ ଏଏସଆଇ ଗୋପାଳ ଦାସ ।
ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କୁ ଜନ ସମ୍ମୁଖରେ ପୋଲିସ ଏଏସଆଇ ଗୁଳିମାରିବା ଘଟଣାଟି ସାରା ଦେଶ ବ୍ୟାପି ଚାଞ୍ଚଲ୍ୟ ସୃଷ୍ଟି କରୁଥିବା ବେଳେ ଏବେ କ୍ରାଇମବ୍ରାଞ୍ଚ ହାତରେ ବାଜିଛି ବଡ ସୂତ୍ର । ଆଜି ଘଟଣାଟୁ ୭ ଦିନ ପୁରୁଥିବା ବେଳେ , ଗତକାଲି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ୍ ବ୍ରଜରାଜ ନଗରରେ ଥିବା ଗୋପାଳର ସରକାରୀ କ୍ୱାର୍ଟର୍ସ ଯାଞ୍ଚ କରିଥିଲା। ଏହି ସମୟରେ ବହୁ କାଗଜପତ୍ର ସହ ଗୋପାଳର ଡାଏରୀ ମଧ୍ୟ ପାଇଥିଲା କ୍ରାଇମବ୍ରାଞ୍ଚ । ତେବେ ବର୍ତ୍ତମାନ ସେହିସବୁ କାଗଜପତ୍ର ଓ ଡାଏରୀକୁ କ୍ରାଇମବ୍ରାଞ୍ଚ ଅଧିକାରୀ ତଦନ୍ତ କରୁଛନ୍ତି । ଏହି ଡାଏରୀରୁ ଅନେକ ରହସ୍ୟ ସାମ୍ନାକୁ ଆସିପାରେ ବୋଲି ଜଣାପଡୁଛି । ତେବେ ଗୋପାଳ କାହିଁକି ଜଣେ ମନ୍ତ୍ରୀକୁ ସର୍ବସମ୍ମୁଖରେ ହତ୍ୟା କଲେ ତାହା ସେ ନିଜ ଡାଏରୀରେ ଲେଖିଥାଇ ପାରନ୍ତି । ନଚେତ୍ ତାଙ୍କ ମଧ୍ୟରେ ପୂର୍ବରୁ କିଛି ଶତ୍ରୁତା ଥିଲା କି ? କିମ୍ବା ଗୋପାଳଙ୍କୁ ଏଭଳି କରିବାକୁ କିଏ ପ୍ରବର୍ତ୍ତାଉ ଥିଲା କି ? ମନ୍ତ୍ରୀ ନବ ଦାସ ଆଉ ଏଏସଆଇ ଗୋପାଳଙ୍କର ଆଗରୁ କି ସର୍ମ୍ପକ ଥିଲା ? ଏସବୁ ପ୍ରଶ୍ନର ଉତ୍ତର ସେହି ଡାଏରୀରୁ ମିଳିପାରେ ବୋଲି ଆଶା ବାନ୍ଧିଛି କ୍ରାଇମବ୍ରାଞ୍ଚ । ତେବେ ଦେଖିବା ବାକି ରହିଲା ଯେ ଗୋପାଳଙ୍କ ଡାଏରୀରୁ କେଉଁ ସବୁ ରହସ୍ୟ ଫିଟୁଛି ନା ପୁଣି ଥରେ ପୋଲିସକୁ ନିରାଶ ହେବାକୁ ପଡିବ ।
ଅନ୍ୟପକ୍ଷେ, ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଶିଳ୍ପାଞ୍ଚଳ ସ୍ଥିତ ଗୋପାଳ ଘରେ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଗୋପାଳର ପତ୍ନୀ ଓ ପୁତୁରାଙ୍କୁ କ୍ରାଇମବ୍ରାଞ୍ଚ ଟିମ୍ ପଚରାଉଚରା କରିଛନ୍ତି।