Pratidin TV

Odisha's Digital News Platform

ଓଡ଼ିଶାର ପ୍ରଥମ ସୁନା ବିମାନ ଭାବେ ଚଳିତବର୍ଷ ଶୋଭାପାଇବ କାଠଗଡା ସାହିର ଦୋଳ ବିମାନ ।

ଦୁର୍ଗାପୂଜାରେ ସୁନାଚାନ୍ଦି ମେଢ଼ ପରେ ଏବେ ଦୋଳ ବିମାନରେ ଦେଖିବାକୁ ମିଳିବ ସୁନା କାରିଗରୀର ଝଲକ । କଟକ ତଥା ଓଡ଼ିଶାର ପ୍ରଥମ ସୁନାରେ ତିଆରି ଦୋଳ ବିମାନ ନିର୍ମାଣ କରୁଛି କଟକ କାଠଗଡା ସାହି ମଦନ ମୋହନ ଜିଉ ପୂଜା କମିଟି । ବିମାନରେ ପାଖାପାଖି ଅଢ଼େଇ କେଜିର ସୁନା ଖଞ୍ଜା ଯାଇଥିବା ବେଳେ ଏଥିପାଇଁ ୨ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ବୋଲି ସୂଚନା ଦେଇଛନ୍ତି କମିଟିର କର୍ମକର୍ତ୍ତା ।

ଖଞ୍ଜା ଚାଲିଛି ସୁନାର ଖିଲଣ । କଟକ ଅଲିଶା ବଜାରର ତାରକସୀ କାରିଗର ପ୍ରଦୀପ କୁମାର ପୃଷ୍ଟି ଗତ ଡ଼ିସେମ୍ବର ମାସରୁ ଲାଗିପଡ଼ିଛନ୍ତି ସୁନାର ଦୋଳବିମାନ ନିର୍ମାଣ କାର୍ଯ୍ୟରେ । ଅଢ଼େଇ କେଜି ସୁନାରେ ନିର୍ମାଣ ହେଉଥିବା ଏହି ବିମାନରେ ଖଞ୍ଜା ଯାଉଛି ସୁନା । ଅତି ସୂକ୍ଷ୍ମ ଭାବେ ଏହାର ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ପ୍ରଦୀପଙ୍କ ସହ ଲାଗି ପଡ଼ିଛନ୍ତି ଆଉ ଚାରି ରୁ ପାଞ୍ଚଜଣ କାରିଗର । ତେବେ ବର୍ତ୍ତମାନ ବିମାନର ତଳ ପାର୍ଶ୍ଵବର୍ତ୍ତୀ କାମ ସରିଥିବା ବେଳେ ଆସନ୍ତା ବର୍ଷକୁ ଆହୁରି ଅଧିକ ସୁନାରେ ବିମାନର ଉପର ଅଂଶ ସମ୍ପୂର୍ଣ୍ଣ ହେବ ବୋଲି କହିଛନ୍ତି ପ୍ରଦୀପ ।

ରୌପ୍ୟ ନଗରୀ କଟକ ସହର ସବୁବେଳେ ତାରକଷି କାମ ପାଇଁ ଭାରତ ତଥା ବିଶ୍ଵ ଦରବାରରେ ବେଶ୍ ପରିଚିତ । ଏପରିକି ନିକଟରେ କଟକର ତାରକସୀ କାମକୁ ଜିଆଇ ଟ୍ୟାଗ ମାନ୍ୟତା ମଧ୍ୟ ମିଳିସାରିଛି । ପୂର୍ବରୁ ଚାନ୍ଦି ମେଢ଼, ଚାନ୍ଦି ଦୋଳ ବିମାନ କରି ସବୁ ଆଡ଼େ ଚର୍ଚ୍ଚିତ ଥିବା କଟକ ସହରରେ ଏଥର ଏକ ନୂତନ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି । କଟକ କାଠଗଡା ସାହି ମଦନ ମୋହନ ଜିଉ ପୂଜା କମିଟି ପକ୍ଷରୁ ଓଡିଶାରେ ପ୍ରଥମ ଥର ପାଇଁ ନିର୍ମାଣ କରାଯାଉଛି ସୁନାର ଦୋଳ ବିମାନ । ଆସନ୍ତା ୨୫ ତାରିଖରେ ଦୋଳ ପୂର୍ଣ୍ଣିମା ଥିବା ବେଳେ ଏହା ପୂର୍ବରୁ ବିମାନ ସମ୍ପୂର୍ଣ କରି ଠାକୁରଙ୍କ ଭୋଗ ଖୁଆଇବା ପର୍ବ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି କମିଟି । ବର୍ତ୍ତମାନ ମୋଟ ଅଢ଼େଇ କିଲୋ ସୁନା ବିମାନରେ ବ୍ୟବହାର କରାଯାଇଛି । ଯାହାର ମୂଲ୍ୟ ପାଖାପାଖି ୨ କୋଟି ଟଙ୍କା ରହିଛି । ସାହିର ପ୍ରତ୍ୟେକଟି କର୍ମକର୍ତ୍ତା ମାନଙ୍କର ନିଜସ୍ୱ ସହଯୋଗ ଫଳରେ ଏହାର ନିର୍ମାଣ କରାଯାଇଛି । ସାହି କମିଟି ସହ ଯୁବକ ସଂଘ ପକ୍ଷରୁ ମଧ୍ୟ ସମସ୍ତ ସହଯୋଗ କରାଯାଇଥିବା କଥା କହିଛନ୍ତି ଯୁବକ ସଂଘର ସମ୍ପାଦକ ଗଗନ ଓଝା ।

ତେବେ ଚଳିତ ଦୋଳ ଯାତ୍ରାରେ କାଠଗଡା ସାହି ମଦନ ମୋହନ ଜିଉଙ୍କ ସୁନାର ଦୋଳ ବିମାନ ଓଡ଼ିଶା ବାସୀଙ୍କ ଦୃଷ୍ଟି ଆକର୍ଷଣ କରିବ ବୋଲି ଆଶା ରହିଛି ।

Leave a Reply

Your email address will not be published. Required fields are marked *