ଶ୍ରାବଣ ମାସ ଶେଷ ସୋମବାରରେ ଅଘଟଣ; ଶିବ ମନ୍ଦିରରେ ଦଳାଚକଟା, ୭ ଭକ୍ତଙ୍କ ଚାଲିଗଲା ଜୀବନ
1 min readବିହାର ଜହାନାବାଦରେ ବାବା ସିଦ୍ଧେଶ୍ବରନାଥ ମନ୍ଦିରରେ ଅଘଟଣ । ଶ୍ରାବଣ ମାସରେ ବାବାଙ୍କ ଦର୍ଶନ ପାଇଁ ପ୍ରବଳ ଭକ୍ତ ଆସିଥିବା ବେଳେ ଏଭଳି ଅଘଟଣ ଘଟିଛି । ମନ୍ଦିରରେ ଦଳାଚକଟାରେ ୭ ଜଣଙ୍କ ମୃତ୍ଯୁ ହୋଇଛି । ମୃତକଙ୍କ ମଧ୍ୟରେ ୩ ମହିଳା ଥିବାବେଳେ ୧୨ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତଙ୍କୁ ନିକଟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁଯାୟୀ, ସୋମବାର ସକାଳେ ସୂର୍ଯ୍ୟୋଦୟ ସମୟରେ ଏହି ଦୁର୍ଘଟଣା ଘଟିଛି। ଶ୍ରାବଣ ମାସ ସୋମବାର ନିମନ୍ତେ ଆଜି ସକାଳେ ସିଦ୍ଧେଶ୍ୱର ମନ୍ଦିରରେ ପ୍ରବଳ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ମହାଦେବଙ୍କୁ ଜଳଲାଗି କରିବା ନିମନ୍ତେ ଭକ୍ତଙ୍କ ଲମ୍ବା ଲାଇନ୍ ଲାଗିଥିବା ବେଳେ ସ୍ଥିତି ନିୟନ୍ତ୍ରଣ ନିମନ୍ତେ ପୁଲିସ୍ ଫୋର୍ସ ବି ଉପସ୍ଥିତ ଥିଲେ। ହଠାତ୍ ମନ୍ଦିରକୁ ସଂଯୋଗ କରୁଥିବା ରାସ୍ତାରେ ଧାଁଦୌଡ଼ ହେବାକୁ ଲାଗିଲା। ଫଳରେ କିଛି ଭକ୍ତ ତଳେ ପଡ଼ି ଯାଇଥିଲେ ଓ ଘଟଣାସ୍ଥଳରେ ୭ ଜଣଙ୍କ ମୃତ୍ୟୁ ହୋଇଥିଲା।ମନ୍ଦିର ପରିସରରେ ନିୟୋଜିତ ପୋଲିସ ଓ ସ୍ବେଚ୍ଛାସେବୀମାନଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଚାଲିଛି। ଆହତମାନଙ୍କୁ ଡାକ୍ତରଖାନା ନିଆଯାଉଛି।
ଦଳାଚକଟା ଖବର ସାମ୍ନାକୁ ଆସିବା ମାତ୍ରେ ଜିଲ୍ଲା ମାଜିଷ୍ଟ୍ରେଟ ଏବଂ ପୋଲିସ ଅଧୀକ୍ଷକ ଘଟଣାସ୍ଥଳକୁ ଯାଇଥିଲେ। ଏହି ଦଳାଚକଟାରେ ମୃତ୍ୟୁବରଣ କରିଥିବା ଲୋକଙ୍କୁ ଚିହ୍ନଟ କରିବାକୁ ପୋଲିସ ବର୍ତ୍ତମାନ ଚେଷ୍ଟା କରୁଛି। ଷ୍ଟେସନ ହାଉସ ଅଧିକାରୀ ଦୀପକ କୁମାର ବିଶ୍ୱକର୍ମା କହିଛନ୍ତି ଯେ ଡିଏମ ଏବଂ ଏସପି ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ଏବଂ ସେମାନେ ପରିସ୍ଥିତିର ତଦାରଖ କରୁଛନ୍ତି।