Pratidin TV

Odisha's Digital News Platform

ଏବେ ବି ବଞ୍ଚିଛି ଲାଡେନ ର ପୁଅ ହମ୍‌ଜା , ଆଫଗାନିସ୍ତାନରେ ସମ୍ଭାଳୁଛି ଆତଙ୍କବାଦୀ ସଂଗଠନ …

1 min read

କୁଖ୍ୟାତ ଆତଙ୍କବାଦୀ ଓସାମା ବିନ୍‍ ଲାଡେନ କଥା କିଏ ନଜାଣିଛି। ବହୁ ହତ୍ୟା, ଅପହରଣ, ବିସ୍ଫୋରଣ ଘଟଣାର ମୁଖ୍ୟ ନାୟକ ଓସାମା। ସେ ନିଜେ କେତେ ହତ୍ୟା କରିଛି ଏବଂ ତା’ର ଇଙ୍ଗିତରେ କେତେ ଜଣଙ୍କୁ ମାରିଦିଆଯାଇଛି ତାହାର କିଛି ହିସାବ ନାହିଁ। ଶେଷରେ ତାହାର ମଧ୍ୟ ଅନ୍ତ ଘଟିଲା, ତା’ର ଅଜାଣତାରେ।

ଏବେ ପୁଣିଥରେ ଓସାମା ବିନ୍‍ ଲାଡେନକୁ ନେଇ ଆସିଛି ବଡ଼ ଖବର । ଏବେ ବି ଜୀବିତ ଅଛି  ଓସାମା ବିନ୍‌ ଲାଡେନର ପୁଅ ହମ୍‌ଜା ବିନ୍‌ ଲାଡେନ।ସେ ଅଲ୍ କାଏଦା ସଂଗଠନର ନେତୃତ୍ୱ ନେଉଛି। ଗୁଇନ୍ଦା ରିପୋର୍ଟ ଅନୁସାରେ, ହମ୍‌ଜା ଏବେ ନିଜ ବାପା ଓସାମା ଭଳି ଅତ୍ୟନ୍ତ ସୁରକ୍ଷିତ ସ୍ଥାନରେ ଗୁପ୍ତ ଭାବେ ରହିଛି। ହମ୍‌ଜା ନିଜ ସହ ଅନ୍ୟ ଏକ ଭାଇ ଅବଦୁଲ୍ଲା ବିନ୍ ଲାଡେନ (ଲାଡେନ୍‌ର ଅନ୍ୟତମ ପୁଅ)କୁ ସାଥୀ କରି ଆଫଗାନିସ୍ତାନରେ ଅଲ କାଏଦାର ନେଟୱର୍କ ବିସ୍ତାର କରିବାରେ ଲାଗିଛି। ତାଲିବାନ ବିରୋଧୀ ମିଲିଟାରୀ ସଂଗଠନ ନ୍ୟାଶନାଲ ମୋବିଲାଇଜେସନ ଫ୍ରଣ୍ଟ (ଏନ୍‌ଏମ୍‌ଏଫ୍‌) ବିସ୍ତୃତ ଭାବେ ହମଜା ଓ ତା’ର ସହଯୋଗୀଙ୍କ ଅପରେସନ ସମ୍ପର୍କରେ ରିପୋର୍ଟ ପ୍ରକାଶ କରିଛି।

Advertisement

ଆତଙ୍କର କ୍ରାଉନ ପ୍ରିନ୍ସ ଭାବେ ପରିଚୟ ହାସଲ କରିଥିବା ହମ୍‌ଜା ଏବେ ଉତ୍ତର ଆଫଗାନିସ୍ତାନରେ ରହିଛି। ତା’କୁ ସୁରକ୍ଷା ଦେବା ପାଇଁ ତା’ ଆଖପାଖରେ ସବୁବେଳେ ୪୫୦ ଜଣ ସ୍ନାଇପର ରହୁଛନ୍ତି ବୋଲି ଏନ୍‌ଏମ୍‌ଏଫ୍ ଦର୍ଶାଇଛି।୨୦୧୯ରେ ଆମେରିକା ସେନା ପକ୍ଷରୁ କରାଯାଇଥିବା ଏକ ଏୟାର ଷ୍ଟ୍ରାଇକ୍‌ରେ ହମ୍‌ଜା ପ୍ରାଣ ହରାଇଥିବା ନେଇ ଆମେରିକା ସେନା ଦାବି କରିଥିଲା। ସେବେଠାରୁ ହମ୍‌ଜାର ଗତିବିଧି ସମ୍ପର୍କରେ ମଧ୍ୟ କୌଣସି ସୂଚନା ସାମ୍ନାକୁ ଆସୁନଥିଲା।

ଫଳରେ ହମ୍‌ଜା ବାସ୍ତବରେ ମୃତ୍ୟୁବରଣ କରିଥିବା ନେଇ ଧରିନିଆଯାଇଥିଲା। କିନ୍ତୁ ଏବେ ଆମେରିକା ସେନାର ଏହି ଦାବିକୁ ଏନଏମଏଫ ରିପୋର୍ଟ ଖଣ୍ଡନ କରିଛି। ଏଥିରେ କୁହାଯାଇଛି ଯେ ଲାଡେନ ନିହତ ହେବା ପରେ ଅୟମାନ ଅଲ ଜୱାହିରି ଅଲ୍‌କାଏଦା କଥା ବୁଝିବା ଆରମ୍ଭ କରିଥିଲା। ତା’ ପାଖରେ ହମ୍‌ଜା ରହିଥିଲା। ଜୱାହିରି ସହ ସେ ମିଳିତ ଭାବେ କାମ କରୁଥିଲା। ତେଣୁ ହମ୍‌ଜାର ମୃତ୍ୟୁଜନିତ ଖବରରେ କୌଣସି ସତ୍ୟତା ନାହିଁ। ପ୍ରକାଶ, ହମ୍‌ଜାକୁ ଆମେରିକା ବିଶ୍ୱସ୍ତରୀୟ ଆତଙ୍କବାଦୀ ଭାବେ ଘୋଷଣା କରିଥିଲା। ଏପରିକି ତା’ର ମୃତ୍ୟୁ ପୂର୍ବରୁ ସେ ଇରାନରେ ଗୃହବନ୍ଦୀ ହୋଇ ରହିଥିବା ମଧ୍ୟ କୁହାଯାଉଥିଲା। ହେଲେ ସେ ଏବେ ଆଫଗାନିସ୍ତାନରେ ସକ୍ରିୟ ରହିଥିବା ରିପୋର୍ଟ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *