Pratidin TV

Odisha's Digital News Platform

ପାକିସ୍ତାନୀ ଡଙ୍ଗାରୁ ମିଳିଲା ୪୮୦ କୋଟିର ଡ୍ରଗ୍ସ , ୬ ପାକିସ୍ତାନୀ ଗିରଫ ..

1 min read

ମଝି ସମୁଦ୍ର ଭିତରେ ବୁଲୁଥିଲା ସନ୍ଦିଗ୍ଧ ବୋଟ୍ । ରାତି ଅନ୍ଧାର ଭିତରେ ଉପକୂଳ ଠାରୁ ୩୫୦ କିଲୋମିଟର ଏହି ବୋଟ୍‌ଟି ରହିଥିଲା । ଆଉ ଯେତେବେଳେ ସୁରକ୍ଷା କର୍ମୀଙ୍କୁ ଦେଖିଥିଲା ସେତେବେଳେ ଚମ୍ପଟ ମାରିବାକୁ ଚେଷ୍ଟା କରିଥିଲା ଏହି ସନ୍ଦିଗ୍ଧ ବୋଟ୍ । ହେଲେ ଭାରତୀୟ ସୁରକ୍ଷା କର୍ମୀଙ୍କ ନଜରରୁ ଖସି ପାରିନଥିଲା ଏହି ଜାହାଜ । ଆଉ ଏହା ପରେ ସେହି ଜାହାଜକୁ କାବୁ କରିଥିଲେ ଭାରତୀୟ ସୁରକ୍ଷାକର୍ମୀ । ତାହାପରେ ସେହି ବୋଟ୍ ଭିତରୁ ବାହାରି ଥିଲା ପୁଳା ପୁଳା ଡ୍ରଗ୍ସ । ଯାହାର ଆନୁମାନିକ ମୂଲ୍ୟ ୪୮୦ କୋଟି ଟଙ୍କା ହେବ ବୋଲି ଜଣା ପଡିଛି ।

ସୂଚନାନୂଯାୟୀ ଭାରତୀୟ ତଟରକ୍ଷୀ ବାହିନୀ, ଏନସିବି ଏବଂ ଏଟିଏସ ଏକ ମିଳିତ ଅପରେସନ କରି ମାର୍ଚ୍ଚ ୧୧-୧୨ ମଧ୍ୟରାତ୍ରିରେ ଏକ ପାକିସ୍ତାନୀ ଡଙ୍ଗାକୁ ଜବତ କରିଥିଲେ । ସେଥିରେ ୬ ଜଣ ପାକିସ୍ତାନୀ କର୍ମଚାରୀଙ୍କୁ ମଧ୍ୟ ଗିରଫ କରାଯାଇଛି । ସେମାନଙ୍କ ଠାରୁ ପାଖାପାଖି ୪୮୦ କୋଟି ଟଙ୍କାର ନିଶା ଦ୍ରବ୍ୟ ଜବତ କରାଯାଇଛି । କୋଷ୍ଟଗାର୍ଡ ଜାହାଜ ଦ୍ୱାରା ଅଟକିବାକୁ ନିର୍ଦ୍ଦେଶ ଦିଆଯିବାପରେ ଡଙ୍ଗାଟି ପଳାଇଯିବାକୁ ଉଦ୍ୟମ କରିଥିଲା । ତା’ପରେ କୋଷ୍ଟଗାର୍ଡ ପକ୍ଷରୁ ଉକ୍ତ ଡଙ୍ଗାକୁ ପିଛା କରି ତାହାକୁ କବଜାକୁ ଅଣାଯାଇଥିଲା । ବୋର୍ଡିଂ ଟିମ୍ ତୁରନ୍ତ ପ୍ରାଥମିକ ଯାଞ୍ଚ ପାଇଁ ଜାହାଜରେ ଚଢ଼ିଥିଲେ । ମିଳିତ ବୋର୍ଡିଂ ଟିମ୍ ଦ୍ୱାରା ଯାଞ୍ଚବେଳେ ୪୮୦ କୋଟି ଟଙ୍କା ମୂଲ୍ୟର ପ୍ରାୟ ୮୦ କିଲୋଗ୍ରାମ ଓଜନର ନିଶା ଦ୍ରବ୍ୟ ଜବତ ହୋଇଥିଲା । ତଟରକ୍ଷୀ ବାହିନୀ, ଏଟିଏସ୍ ଓ ଏନସିବି ମିଳିତ ଭାବେ ଏପର୍ଯ୍ୟନ୍ତ ଗୁଜରାଟ ଉପକୂଳରୁ ୩୧୩୫ କୋଟି ଟଙ୍କାର ଡ୍ରଗ୍ସ ଜବତ କରିଛନ୍ତି । ଦୁଇବର୍ଷ ତଳେ ଗୁଜରାଟର ମୁନ୍ଦ୍ରା ବନ୍ଦରରୁ ପ୍ରାୟ ୪ ହଜାର କୋଟି ଟଙ୍କା ମୂଲ୍ୟର ଡ୍ରଗ୍ସ ଜବତ ହୋଇଥିଲା ।

Advertisement

Leave a Reply

Your email address will not be published. Required fields are marked *