Pratidin TV

Odisha's Digital News Platform

ମଝି ଦରିଆରେ ପାକିସ୍ତାନୀ ଦେଲେ ‘ଇଣ୍ଡିଆ ଜିନ୍ଦାବାଦ’ ନାରା..

1 min read

ମଝି ସମୁଦ୍ର ଭିତରେ ପାକିସ୍ତାନୀ ନାଗରିକଙ୍କ ମୁହଁରେ ଭାରତର ପ୍ରଶଂସା । ମଝି ଦରିଆରେ ଦେଲେ ‘ଇଣ୍ଡିଆ ଜିନ୍ଦାବାଦ’ର ନାରା । ଅଥଳ ସମୁଦ୍ରରେ ପୁଣିଥରେ ନିଜର ଶୌର୍ଯ୍ୟ ଦେଖାଇଛି ଭାରତୀୟ ନୌସେନା । ଆଜି ଭାରତୀୟ ନୌସେନାଙ୍କ ପାଇଁ ବଞ୍ଚି ଯାଇଛି ୨୩ ପାକିସ୍ତାନୀଙ୍କ ଜୀବନ । ଆରବ ସାଗର ଭିତରେ ଲୁଟେରା ମାନଙ୍କ ପାଖରୁ ମୁକ୍ତ ହେବା ପରେ ଭାରତୀୟ ନୌସେନାଙ୍କୁ କୃତଜ୍ଞତା ଜଣାଇଛନ୍ତି ଅପହରଣ ହୋଇଥିବା ପାକିସ୍ତାନୀ କ୍ରୁ । ସୋମାଲିଆ ଲୁଟେରାଙ୍କ ଠାରୁ ଉଦ୍ଧାର ହେବା ପରେ ସେମାନେ ‘ଇଣ୍ଡିଆ ଜିନ୍ଦାବାଦ’ର ନାରା ଦେଇଛନ୍ତି ।

ଦୀର୍ଘ ୧୨ ଘଣ୍ଟାର ବଡ଼ ଅପରେସନ ପରେ ସାମୁଦ୍ରିକ ଲୁଟେରାଙ୍କୁ ମାତ୍ ଦେଇ ଜାହାଜ ସମେତ ସମସ୍ତ କ୍ରୁ ମେମ୍ବରକୁ ମୁକ୍ତ କରିଥିଲା ଭାରତୀୟ ନୌସେନା । ଜାହାଜରେ ୨୩ ଜଣ ପାକିସ୍ତାନୀ କ୍ରୁ ମେମ୍ବର ଥିବାବେଳେ ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।ସୂଚନାନୁଯାୟୀ ଗତ ୨୮ ତାରିଖ ବିଳମ୍ବିତ ରାତିରେ ସାକ୍ରୋଟା ଠାରୁ ୯୦ ସାମୁଦ୍ରିକ ମାଇଲ ଦୂର ଦକ୍ଷିଣ ପଶ୍ଚିମରେ ଇରାନର ଅଲ୍‌-କମ୍ବର ନାମକ ଏକ ମାଛଧରା ଜାହଜକୁ ୯ ଜଣ ସଶସ୍ତ୍ର ସାମୁଦ୍ରିକ ଲୁଟେରା ବା ଜଳଦସ୍ୟୁମାନେ ହାଇଜାକ କରିନେଇଥିଲେ । ଏହି ଅପହୃତ ଜାହାଜକୁ ଉଦ୍ଧାର କରିବାକୁ ଇରାନର ସୂଚନା କ୍ରମେ ଶୁକ୍ରବାର ଭୋରୁ ଭାରତୀୟ ନୌସେନା ବଡ଼ ଅପରେସନ ଆରମ୍ଭ କରିଥିଲା । ଜାହାଜକୁ ଜଳଦସ୍ୟୁଙ୍କ କବଳରୁ ମୁକ୍ତ କରିବାକୁ ଆରବ ସାଗରରେ ସାମୁଦ୍ରିକ ସୁରକ୍ଷା ପାଇଁ ମୁତୟନ ଥିବା ଦୁଇଟି ଭାରତୀୟ ନୌସେନା ଜାହାଜକୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଥିଲା ।

Advertisement

ଭାରତୀୟ ନୌସେନା ଜାହାଜ ଆଇଏନଏସ ସୁମେଧା ଅପହୃତ ଜାହାଜକୁ ଅଟକାଇଥିଲା ଏବଂ ପରେ ଏହି ଅପରେସନରେ ଗାଇଡ୍ ମିସାଇଲ ଫ୍ରିଗେଟ ଆଇଏନଏସ ତ୍ରିଶୂଳ ସାମିଲ ହୋଇଥିଲା । ଦୀର୍ଘ ୧୨ ଘଣ୍ଟାରୁ ଅଧିକ ସମୟ ଅପରେସନ ପରେ ଶେଷରେ ଅପହୃତ ଜାହାଜରେ ଥିବା ଜଳଦସ୍ୟୁମାନେ ଭାରତୀୟ ନୌସେନା ନିକଟରେ ଆତ୍ମସମର୍ପଣ କରିବାକୁ ବାଧ୍ୟ ହୋଇଥିଲେ । ନୌସେନା ଅପହୃତ ଇରାନୀୟ ଜାହାଜକୁ ମୁକ୍ତ କରିବା ସହ ଏଥିରେ ଥିବା ୨୩ ଜଣ ପାକିସ୍ତାନୀ ଚାଳକ ଦଳ ବା କ୍ରୁ ମେମ୍ବରଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲା ।

Leave a Reply

Your email address will not be published. Required fields are marked *