Pratidin TV

Odisha's Digital News Platform

ଆଜିଠୁ ପ୍ଯାରିସ ପାରାଅଲିମ୍ପିକ୍ସ; ଭାରତରୁ ଯାଇଛନ୍ତି ୮୪ ଜଣିଆ ଟିମ୍

କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍‌ସର ସଫଳ ଆୟୋଜନ ପରେ ଆଜି (ବୁଧବାର)ଠାରୁ ପ୍ୟାରିସରେ ଆରମ୍ଭ ହେବାକୁ ଯାଉଛି ପାରାଲିମ୍ପିକ୍‌ସ କ୍ରୀଡ଼ାର ୧୭ତମ ସଂସ୍କରଣ। ଅନ୍ତର୍ଜାତୀୟ ପାରାଲିମ୍ପିକ୍‌ସ କମିଟି ଆନୁକୂଲ୍ୟରେ ହେବାକୁ ଯାଉଥିବା ଏହି ପ୍ରତିଯୋଗିତା ସେପ୍ଟେମ୍ବର ୮ ପର୍ଯ୍ୟନ୍ତ ଚାଲିବ।

ପ୍ୟାରିସ୍‌ରେ ୧୧ଦିନ ବ୍ୟାପୀ ହେବାକୁ ଥିବା ଏହି ଇଭେଣ୍ଟରେ ୨୨ଟି କ୍ରୀଡ଼ା ବର୍ଗର ସମୁଦାୟ ୫୪୯ ପଦକ ପାଇଁ ୪୪୦୦ ଆଥଲେଟ ପ୍ରତିଦ୍ୱନ୍ଦ୍ୱିତା କରିବେ। ପ୍ୟାରିସ୍‌ରେ ଥିବା ଐତିହାସିକ ପ୍ଲେସ୍‌ ଡି ଲା କନ୍‌କର୍ଡ ଯେଉଁଠାରେ ସ୍କେଟ୍‌ ବୋର୍ଡିଂ, ବ୍ରେକିଙ୍ଗ ଓ ୩ ଏ ସାଇଡ ବାସ୍କେଟବଲ ଭଳି ଇଭେଣ୍ଟ ଆୟୋଜିତ ହୋଇଥିଲା, ସେଠାରେ ପାରାଲିମ୍ପିକ୍ସର ଉଦ୍‌ଘାଟନୀ ସମାରୋହ ଆୟୋଜନ ହେବ।

ଭାରତୀୟ ଭିନ୍ନକ୍ଷମ କ୍ରୀଡ଼ା ଇତିହାସର ସର୍ବବୃହତ୍ ୮୪ ଜଣିଆ ଦଳ ଏଥିରେ ଅଂଶଗ୍ରହଣ କରିଛନ୍ତି। ଏଥର ଭାରତୀୟ ପ୍ରତିଯୋଗୀମାନେ ୩ଟି ଅଧିକ ଅର୍ଥାତ୍ ୧୨ଟି କ୍ରୀଡ଼ାରେ ଭାଗନେବେ। ସୁଟର ମନୀଷ ନରୱାଲ୍, ସଟଲର୍ କ୍ରୀଷ୍ଣା ନାଗର, ଧାବିକା ଦୀପ୍ତି ଜୀବନଜୀ, ବ୍ୟାଡମିଣ୍ଟନ୍ ତାରକା ସୁହାସ ୟତିରାଜ, ତୀରନ୍ଦାଜ ଶୀତଲ ଓ ହରବିନ୍ଦର ସିଂହ ପ୍ରମୁଖ ସ୍ୱର୍ଣ୍ଣ ଦୌଡ଼ରେ ରହିବେ। ଏଥରର ପାରାଲିମ୍ପିକ୍ସରେ ଜଣେ ହେଲେ ବି ଓଡ଼ିଆ ଖେଳାଳିଙ୍କୁ ଦେଖିବାକୁ ମିଳିବ ନାହିଁ। ଗତ ସଂସ୍କରଣରେ ଭାରତ ୫ ସ୍ୱର୍ଣ୍ଣ ସହ ରେକର୍ଡ ୧୯ ପଦକ ଜିତି ୨୪ ତମ ସ୍ଥାନରେ ରହିଥିଲା। ଏଥର ଭାରତ ଅଧିକ ପଦକ ଜିତିବାର ଆଶା ରହିଛି।

ପ୍ୟାରିସ୍‌ ପାରାଲିମ୍ପିକ୍ସ ୨୦୨୪ର ମଶାଲ ଯାତ୍ରା ଶନିବାର ଆରମ୍ଭ ହୋଇଥିଲା। ପାରାଲିମ୍ପିକ୍ସ ଗେମ୍ସର ଜନ୍ମସ୍ଥଳୀ କୁହାଯାଉଥିବା ଷ୍ଟୋକ୍‌ ମାଣ୍ଡେଭିଲେରେ ମଶାଲରେ ଅଗ୍ନି ସଂଯୋଗ କରାଯାଇଥିଲା। ମଶାଲଟି ଇଂଲିଶ ଚ୍ୟାନେଲ ଅତିକ୍ରମ କରି ୪ ଦିନ ପରେ ପ୍ୟାରିସ୍‌ରେ ପହଞ୍ଚିବ। ମଶାଲ ରୁଟ୍‌ରେ ଆଟ୍‌ଲାଣ୍ଟିକ୍‌ ସାଗର, ଭୂମଧ୍ୟସାଗର ସହିତ ପାଇରିନିସ୍‌ ଓ ଆଲ୍‌ପସ ପର୍ବତମାଳା ଭଳି ସ୍ଥାନ ରହିବ। ଏହାସହିତ ପାରାଲିମ୍ପିକ୍ସର ୧୧ ଦିନ ଯାକ ଅଲିମ୍ପିକ୍ସ ମଶାଲ ପ୍ୟାରିସ୍‌ ସହର ଉପରେ ଏକ ଉତ୍ତପ୍ତ ବେଲୁନ୍‌ ସାହାଯ୍ୟରେ ଉଡ଼ିବ। ବୁଧବାର ମଶାଲ ପହଞ୍ଚିବା ପରେ ପ୍ୟାରିସ୍‌ ପାରାଲିମ୍ପିକ୍ସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

Leave a Reply

Your email address will not be published. Required fields are marked *