Pratidin TV

Odisha's Digital News Platform

ବାହାର ରାଜ୍ୟକୁ କରୁଥିଲେ କାଠଚାଲାଣ , ମାଡି ବସିଲା ପୋଲିସ ..

1 min read

ଓଡ଼ିଶା ଜଙ୍ଗଲରୁ ବାହାର ରାଜ୍ୟକୁ ହେଉଛି କାଠ ଚାଲାଣ । କାଠ ମାଫିଆ ଟନ୍ ଟନ୍ ମୂଲ୍ୟବାନ କାଠ ଅନ୍ୟ ରାଜ୍ୟକୁ ଚୋରା ଚାଲାଣ କରୁଛନ୍ତି । ଏହିପରି ଭାବେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବନାଞ୍ଚଳ ଅଞ୍ଚଳରୁ ହରିଆଣା ରାଜ୍ୟକୁ ବିପୁଳ ପରିମାଣର ମୂଲ୍ୟବାନ କାଠ ଚାଲାଣ ହେଉଥିବା ବେଳେ ପାଟଣାଗଡ଼ ଠାରେ ମାଡିବସିଛି ସ୍ଥାନୀୟ ପୋଲିସ । ସୂଚନା ଅନୁସାରେ ଗତକାଲି ପାଟଣାଗଡ଼ ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ବର୍ଥଲା ଛକ ନିକଟରେ ଖଇର ବୋଝେଇ ଏକ ଟ୍ରକକୁ ଅଟକାଇଥିଲା । ତଦନ୍ତରୁ ଜଣାପଡିଥିଲା ସେଥିରେ ବିପୁଳ ପରିମାଣରେ ଖଇର କାଠ ବୋଝେଇ ହୋଇ ପାଟଣାଗଡ ବ୍ଲକ ତୁର୍ଲାମାଲ ଜଙ୍ଗଳରୁ ବାହାର ରାଜ୍ୟ ହରିଆଣା ସ୍ଥିତ ନିଳଗିରୀକୁ ଚାଲାଣ ହେଉଥିବା ପୋଲିସ ଜାଣିବାକୁ ପାଇଥିଲା ।

ଏନେଇ ପୋଲିସ ଟ୍ରକ ସହ ଡ୍ରାଇଭର ଏବଂ ହେଲ୍ପରକୁ ଥାନାକୁ ଆଣି ଅଟକ ରଖି ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡିଛି । ଏନେଇ ଫରେଷ୍ଟ ଆକ୍ଟ ଆନୁସାରେ ପାଟଣାଗଡ ପୋଲିସ ଏକ ମାମଲା ରୁଜୁ କରି ଡ୍ରାଇଭର ଏବଂ ହେଲ୍ପରକୁ କୋର୍ଟ ଚାଲାଣ କରିଛି । ଏହି ମାମଲାରେ ଆଉ କାହାର ସମ୍ପୃକ୍ତି ଅଛି ସେନେଇ ଅଧିକ ଛାନଭିନ୍ କରୁଛି ପୋଲିସ୍ । ଜବତ ହୋଇଥିବା କାଠର ଆନୁମାନିକ ମୁଲ୍ୟ ୪ ଲକ୍ଷରୁ ଅଧିକ ହେବ ବୋଲି ଜଣାପଡିଛି । ଓଡ଼ିଶାର କୋଣ ଅନୁକୋଣରୁ ଅନ୍ୟ ରାଜ୍ୟକୁ ମୂଲ୍ୟବାନ କାଠ ଚୋରା ଚାଲାଣ ହେଉଥିବା କାରଣରୁ ଧୀରେ ଧୀରେ ଓଡ଼ିଶାରେ ଜଙ୍ଗଲ ନଷ୍ଟ ହେବାରେ ଲାଗିଛି । ବନ ବିଭାଗର କିଛି ଅସାଧୁ କର୍ମଚାରୀ ନିଜ ପକେଟ ଗରମ କରିବାକୁ ଯାଇ କାଠ ମାଫିଆଙ୍କ ସହିତ ସାଲିସ୍ କରି ଜଙ୍ଗଲ ନଷ୍ଟ କରିବାରେ ସହାୟତା କରୁଛନ୍ତି ।

Advertisement

ଏପରି ଅସାଧୁ କର୍ମଚାରୀଙ୍କ ପାଇଁ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ରହିଥିବା ଓଡ଼ିଶା ଉପରେ ବାହାର ରାଜ୍ୟର କାଠ ମାଫିଆମାନେ ଲୋଲୁପ ଦୃଷ୍ଟି ରଖିଛନ୍ତି ଏବଂ ଲଗାତାର ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଅନ୍ୟ ରାଜ୍ୟକୁ ବେଆଇନ ଭାବେ ମୂଲ୍ୟବାନ କାଠ ଚୋରାଚାଲାଣ କରାଯାଉଛି । ବର୍ତ୍ତମାନ ପରିସ୍ଥିତିରେ ବନ ବିଭାଗର ଧରପଗଡ ଯୋଗୁଁ ପାଟଣାଗଡ଼ ସହର ଦେଇ ବେଆଇନ ଭାବେ ଜଙ୍ଗଲଜାତ ଦ୍ରବ୍ୟ ଚାଲାଣ କରାଯିବା ପୂର୍ବପରି ସେତେଟା ସହଜ ନଥିବା ବେଳେ କାଠ ମାଫିଆଙ୍କ ନିଦ ହଜିଯାଇଛି । ଏପରିକି ବାହାର ରାଜ୍ୟରୁ ଆସୁଥିବା ଚୋରା କାଠ ଗାଡିକୁ ମଧ୍ୟ ପାଟଣାଗଡ଼ ବନ ବିଭାଗ କାବୁ କରିବାରେ ସଫଳ ହେଉଛି ।

Leave a Reply

Your email address will not be published. Required fields are marked *