୧୦୮ଟି ସ୍ଥାନରେ ସୂର୍ଯ୍ୟ ନମସ୍କାର ଗିନିଜ ୱାର୍ଲଡ ରେକର୍ଡ କଲେ ଗୁଜୁରାଟ ବାସୀ…
1 min readଗୁଜୁରାଟ: ଆଜି ନୂତନବର୍ଷକୁ କିଛି ଅଲଗା ଢଙ୍ଗରେ ପାଳିଛନ୍ତି ଗୁଜୁରାଟବାସୀ । ଯାହା ଏବେ ଗିନିଜ ୱାର୍ଲଡ ରେକଡରେ ସ୍ଥାନ ପାଇଛି । ନୂଆବର୍ଷ ଉପଲକ୍ଷେ ଗୁଜୁରାଟର ଲୋକମାନେ ସୂର୍ଯ୍ୟ ନମସ୍କାର କରି ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି । ସେପଟେ ଏହାକୁ ନଜରରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଏକ ବିଶେଷ ବାର୍ତ୍ତା ଦେବା ସହ ଏକ ଅନୁରୋଧ ମଧ୍ୟ କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପିଏମ ମୋଦୀ ଲେଖିଛନ୍ତି ଯେ ‘ଗୁଜୁରାଟ ଏକ ଉଲ୍ଲେଖନୀୟ ସଫଳତାର ସହିତ ୨୦୨୪ କୁ ସ୍ୱାଗତ କରିଛି । ୧୦୮ଟି ସ୍ଥାନରେ ସବୁ ଲୋକମାନେ ମିଶି ସୂର୍ଯ୍ୟ ନମସ୍କାର କରି ବର୍ତ୍ତମାନ ଗିନିଜ ୱାର୍ଲଡ ରେକର୍ଡରେ ସ୍ଥାନ ପାଇଛି । ଆମେ ସମସ୍ତେ ଜାଣୁ ଯେ ଆମ ସଂସ୍କୃତିରେ ୧୦୮ ନମ୍ବର ଏକ ବିଶେଷ ମହତ୍ତ୍ୱ ବହନ କରିଥାଏ ।’
ସେ ଆହୁରି ମଧ୍ୟ କହିଛନ୍ତି ଯେ ‘ସୂର୍ଯ୍ୟ ନମସ୍କାର ପାଇଁ ଆୟୋଜନ କରାଯାଇଥିବା ସମସ୍ତ ସ୍ଥାନ ଭିତରେ ମୋଢେରାର ସୂର୍ଯ୍ୟ ମନ୍ଦିର ମଧ୍ୟ ଅନ୍ତର୍ଭୁକ୍ତ, ଯେଉଁଠାରେ ଅନେକ ଲୋକ ଅଂଶଗ୍ରହଣ କରିଥିଲେ । ଯୋଗ ଏବଂ ଆମର ସାଂସ୍କୃତିକ ଐତିହ୍ୟ ପ୍ରତି ଆମର ପ୍ରତିବଦ୍ଧତାର ଏହା ଏକ ଜ୍ୱଳନ୍ତ ଉଦାହରଣ । ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ସୂର୍ଯ୍ୟ ନମସ୍କାରକୁ ଆପଣ ମାନଙ୍କ ଦୈନନ୍ଦିନ ଜୀବନର ଏକ ଅଂଶ ଭାବରେ ଗ୍ରହଣ କରନ୍ତୁ । ଏଥିରୁ ଆପଣ ଅନେକ ଲାଭ ମଧ୍ୟ ପାଇପାରିବେ ।’
ତେବେ ମୋଢେରା ସୂର୍ଯ୍ୟ ମନ୍ଦିର ଗୁଜୁରାଟର ପାଟନଠାରୁ ୩୦କିଲୋମିଟର ଦକ୍ଷିଣରେ ଥିବା ମୋଢେରା ଗ୍ରାମରେ ଅବସ୍ଥିତ । ନୂଆ ବର୍ଷ ସକାଳେ ଏହି ମନ୍ଦିରରେ ସୂର୍ଯ୍ୟ ନମସ୍କାର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ଯେଉଁଥିରେ ଗିନିଜ ୱାର୍ଲ୍ଡ ରେକର୍ଡର ନିରିକ୍ଷକ ସ୍ୱପନିଲ୍ ଡାଙ୍ଗରିକାର ମଧ୍ୟ ମୋଡେରାରେ ପହଞ୍ଚିଥିଲେ । ଯିଏ ସୂର୍ଯ୍ୟ ନମସ୍କାର କରୁଥିବା ସର୍ବାଧିକ ସଂଖ୍ୟକ ଲୋକଙ୍କୁ ଯାଞ୍ଚ କରିବାକୁ ଆସିଥିଲେ । ସେ କହିଛନ୍ତି ଯେ ଏହା ଏକ ନୂଆ ରେକର୍ଡ, ଏହା ପୂର୍ବରୁ କେହି ଏହି ରେକର୍ଡ ଭାଙ୍ଗିବାକୁ ଚେଷ୍ଟା କରିନାହାଁନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରମାଣ ଯାଞ୍ଚ କରିବା ପରେ ଏହା ସ୍ପଷ୍ଟ ହୋଇଛି ଯେ ଏକାସାଙ୍ଗରେ ଏତେସଂଖ୍ୟକ ଲୋକ ସୂର୍ଯ୍ୟ ନମସ୍କାର କରିବା ଏହି ଦୃଶ୍ୟ ଏକ ନୂତନ ଗିନିଜ ୱାର୍ଲ୍ଡ ରେକର୍ଡ ସୃଷ୍ଟି କରିଛି ।