Pratidin TV

Odisha's Digital News Platform

ଦେବଗଡରେ ପ୍ରଣବଙ୍କ ରଣହୁଙ୍କାର ; ଜନତାଙ୍କୁ ପଚାରିଲେ କେନ୍ଦ୍ରମନ୍ତ୍ରୀ ଥାଇ ଦେବଗଡ ପାଇଁ କଣ କରିଛନ୍ତି ଧର୍ମେନ୍ଦ୍ର ?

ସମ୍ବଲପୁର ; ପ୍ରଚାର ଅଭିଯାନ କାର୍ଯ୍ୟକ୍ରମ ଅନୁକ୍ରମେ ବିଭିନ୍ନ ନିର୍ବାଚନମଣ୍ଡଳୀ, ବିଭିନ୍ନ ବ୍ଲକକୁ ବୁଲି ସଭାମାନଙ୍କରେ ଯୋଗ ଦେଉଛନ୍ତି ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ଏହି ସମୟରେ ସେ କର୍ମୀମାନଙ୍କୁ ଉପଦେଶ ଦେଇ ଉତ୍ସାହିତ କରୁଛନ୍ତି । ଜନସାଧରଣଙ୍କୁ ଭେଟି ଆଶୀର୍ବାଦ ଲୋଡିବା ସହିତ ବିରୋଧୀଙ୍କୁ ଶାଣିତ ସ୍ୱରରେ ଆକ୍ରମଣ କରୁଛନ୍ତି । ସେହିଭଳି ରିଆମାଲରେ ସଭାକାର୍ଯ୍ୟ ଚାଲିଥିବା ସମୟରେ ମା ମାନେ ତଳେ ବସିଥବା ଦେଖି ପ୍ରଣବ ପ୍ରକାଶ ନିଜେ ମଞ୍ଚରୁ ଓହ୍ଲାଇ ଆସି ତଳେ ବସିବା ଘଟଣା ସମସ୍ତଙ୍କ ହୃଦୟ ଜିତିନେଇଛି ।

ପୂର୍ବାହ୍ନରେ ତିଳେଇବଣି ଠାରେ ଅନୁଷ୍ଠିତ ପ୍ରଥମ କାର୍ଯ୍ୟକ୍ରମ ପରେ ତିଳେଇବଣି ବ୍ଲକ ଗଜୁରିବଣି ଠାରେ ଖଡିଆ ସମାଜ ପକ୍ଷରୁ ପ୍ରଣବଙ୍କୁ ସମ୍ୱର୍ଦ୍ଧନା ଦିଆଯାଇଥିଲା । ଖଡିଆ ସମାଜର କର୍ମକର୍ତ୍ତାମାନେ ବିଜୁ ଜନତା ଦଳ ପ୍ରତି ସମର୍ଥନ ରହିଥିବା ଜଣାଇଥିଲେ । ପ୍ରଣବ ପ୍ରକାଶ ସେମାନଙ୍କୁ କୃତଜ୍ଞତା ଜଣାଇବା ସହିତ ସମସ୍ତ ସମସ୍ୟାର ସମାଧାନ କରିବାକୁ ପ୍ରତିଶୃତି ଦେଇଥିଲେ । ଏହାପରେ ବାରକୋଟ ବ୍ଲକ ଗୁଣ୍ଡୁରୀପୋଷି ଠାରେ ଆୟୋଜିତ କର୍ମୀ ସମ୍ମିଳନୀ ଓ ନିର୍ବାଚନୀ ପ୍ରଚାର ରେ ସାମିଲ ହୋଇଥିଲେ । କର୍ମୀ ସମ୍ମିଳନୀରେ ସେ କହିଥିଲେ ଯେ ପ୍ରତିପକ୍ଷ କଥାରେ ବିଶ୍ୱାସ କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦଳ କାମରେ ବିଶ୍ୱାସ କରିଥାଏ । ବିଗତ ଦିନରେ ନିର୍ବାଚିତ ହୋଇଥିବା ବିରୋଧୀ ମାନେ ଏ ଅଞ୍ଚଳର ଉନ୍ନତି ପାଇଁ କିଛିବି କଲେନି । ସେହିପରି କେନ୍ଦ୍ରମନ୍ତ୍ରୀ ଥାଇ ଧର୍ମେନ୍ଦ୍ର ପ୍ରଧାନ ଦେବଗଡ଼ ପାଇଁ କଣ କରିଛନ୍ତି ବୋଲି ପ୍ରଶ୍ନ କରିଥିଲେ ।

ତେଣୁକରି ଏଥର ବିଜୁ ଜନତା ଦଳ ପ୍ରତି ଭରସା ରଖି ଦୁଇଥର ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ନିବେଦନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଣବ ପ୍ରକାଶଙ୍କ ସାଥିରେ ଦେବଗଡ ବିଧାୟକ ପ୍ରାର୍ଥୀ ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କ ସମେତ ବହୁ ଦଳୀୟ ପଦାଧିକାରୀ ପ୍ରଚାରରେ ସାମିଲ ଥିଲେ । ଦେବଗଡରେ କାର୍ଯ୍ୟକ୍ରମ ସାରିବା ସେ ରିଆମାଳରେ ପହଞ୍ଚଥିଲେ । ରିଆମାଲରେ ବୁଥସ୍ତରୀୟ ପ୍ରଶିକ୍ଷଣ ଶିବିର ଚାଲିଥିବାବେଳେ ପ୍ରବଳ ଭିଡ଼ ହେବାରୁ କିଛି ମହିଳା ତଳେ ବସିଥିଲେ । ଏହାଦେଖି ମଞ୍ଚରୁ ଉଠିଆସି ତଳେ ବସିପଡ଼ିଥିଲେ ପ୍ରଣବ ପ୍ରକାଶ । ମା ମାନଙ୍କ ପ୍ରତି ଏଭଳି ସମ୍ମାନ ଦେଖି ସମସ୍ତେ କହିଥିଲେ ନେତା ହେବ ତ ଏମିତି । ମହିଳାଙ୍କ ସହିତ ତଳେ ବସି କଥାବାର୍ତ୍ତା କରିବା ଘଟଣାରେ ସାରା ଦେବଗଡରେ ଏବେ ଚର୍ଚ୍ଚାର ବିଷୟ ହୋଇଛି । ପ୍ରଣବ ପ୍ରକାଶଙ୍କ ମାନବିକତାକୁ ସମସ୍ତେ ପ୍ରଶଂସା କରୁଛନ୍ତି ।

Leave a Reply

Your email address will not be published. Required fields are marked *