Pratidin TV

Odisha's Digital News Platform

କାହିଁକି ପାଳନ ହୁଏ ପ୍ରଥମାଷ୍ଟମୀ, ଜାଣନ୍ତୁ କ’ଣ ରହିଛି ଏହାର ମହତ୍ୱ?

1 min read

ଓଡିଶାର ଅନେକ ପର୍ବ ମଧ୍ୟରୁ ପ୍ରଥମାଷ୍ଟମୀ ହେଉଛି ଏକ ପାରମ୍ପରିକ ପର୍ବ । ପ୍ରଥାମାଷ୍ଟାମୀ ବା ପୋଢୁଆଁଷ୍ଟମୀ ପର୍ବ ପ୍ରତିବର୍ଷ ଶୀତଦିନ ଆରମ୍ଭରେ ମାର୍ଗଶୀର ମାସରେ ପଡେ । ଯାହାକି ପ୍ରତ୍ୟେକଙ୍କ ଘରେ ପାଳନ କରାଯାଏ । ଘରର ପ୍ରଥମ ଜାତ ବା ଜ୍ୟେଷ୍ଠ ସନ୍ତାନର ଦୀର୍ଘଜୀବନ ଓ ମଙ୍ଗଳ କାମନା ପାଇଁ ଏହି ଦିନ ଷଷ୍ଠୀଦେବୀଙ୍କୁ ପୂଜା କରାଯାଏ । ସକାଳୁ ସକାଳୁ ଘରର ବଡ ପୁଅ ହେଉ କିମ୍ବା ଝିଅ ସେମାନେ ଗାଧୋଇସାରି ନୁଆ ପୋଷାକ ପରିଧାନ କରନ୍ତି । ଆଉ ମା’ ମାନେ ସେମାନଙ୍କୁ ପିଢାରେ ବସାଇ ଫୁଲ ଚନ୍ଦନ ଲଗାଇ ପୂଜା କରିଥାନ୍ତି । ତେବେ ଏହି ପର୍ବରେ ଘରର ବଡ ପିଲାମାନଙ୍କ ପାଇଁ ମାମୁଁଙ୍କ ଘରୁ ନୂଆ ପୋଷାକ ଆସେ । ମାମୁଁମାନେ ନୂତନ ପୋଷାକ, ନଡିଆ, ଗୁଡ, ନୂତନ ଅମଳ ହୋଇଥିବା ଚାଉଳ, କଦଳୀ ପତ୍ର, ହଳଦୀ ପତ୍ର ଇତ୍ୟାଦି ଆବଶୂକ ସାମଗ୍ରୀ ପଠାନ୍ତି । ସେଥିପାଇଁ ମାମୁଙ୍କୁ ଅଷ୍ଟମୀ ବନ୍ଧୁ ବୋଲି କୁହାଯାଏ । ଏହି ଅବସରରେ ଏକ ସ୍ୱତନ୍ତ୍ର ପ୍ରକାରର ପିଠା ପ୍ରସ୍ତୁତ କରାଯାଏ ଯାହାକୁ ‘ଏଣ୍ଡୁରି’ କୁହାଯାଏ । କେତେକ ସ୍ଥାନରେ ଏହାକୁ ହଳଦୀ ପତ୍ର ପିଠା ମଧ୍ୟ କୁହାଯାଏ। ଏହି ପିଠା ପ୍ରଥମେ ଷଷ୍ଠୀ ଦେବୀଙ୍କୁ ଅର୍ପଣ କରାଯାଇ ପରେ ସମସ୍ତେ ଖାଇଥାନ୍ତି ।

ପ୍ରଥମାଷ୍ଟମୀର ଅନ୍ୟ ନାମ ହେଉଛି ‘ସୌଭାଗିନୀ ଅଷ୍ଟମୀ’ । କାରଣ ଏହି ସମୟ ମଧ୍ୟରେ ଭଲ ଫସଲର ଅମଳ ଲକ୍ଷ୍ୟ କରାଯାଏ । ଭଲ ଅମଳର ଫଳ ସ୍ୱରୂପ, କୃଷକମାନେ ନିଜକୁ ଭାଗ୍ୟବାନ ମନେ କରନ୍ତି ଏବଂ ଏହାକୁ ବର୍ଷର ସର୍ବୋତ୍ତମ ସମୟ ବୋଲି ଭାବନ୍ତି । ଏହାବ୍ୟତୀତ ଏହିଦିନକୁ ‘କାଳ ଭୈରବାଷ୍ଟମୀ’ ମଧ୍ୟ କୁହାଯାଏ । ଏହିଦିନ କାଳ ଭୈରବଙ୍କର ବ୍ରତ ଓ ପୂଜାର ପ୍ରଚଳନ ଥିଲା । ଏବେ ଏହିପୂଜା ଲୁପ୍ତାତନ୍ତ୍ର ପରମ୍ପରା ଅନୁସାରେ ଏହି ପ୍ରଥମାଷ୍ଟମୀର ରାତ୍ରି ବିଶେଷ ଉଲ୍ଲେଖନୀୟ । ତାନ୍ତ୍ରିକ ଭାଷାରେ ଏହାର ନାମ ‘ଘୋରରାତ୍ର’ ଓ ନବଦୁର୍ଗାଙ୍କ ମଧ୍ୟରୁ କାଳରାତ୍ରି ଅନ୍ୟତମ । ଆଦ୍ୟାଶକ୍ତି କାଳରାତ୍ରି ରୂପେ ଏହିଦିନ ଅବତୀର୍ଣ୍ଣା ହୋଇଥିଲେ ବୋଲି ବିଶ୍ୱାସ ରହିଛି ।

Advertisement

Leave a Reply

Your email address will not be published. Required fields are marked *