Pratidin TV

Odisha's Digital News Platform

ପ୍ରଥମଥର ଓଡ଼ିଶାରେ ଜନ୍ମଦିନ ପାଳିବେ ପ୍ରଧାନମନ୍ତ୍ରୀ ମୋଦି; କରିବେ ‘ସୁଭଦ୍ରା’ର ଶୁଭାରମ୍ଭ

1 min read

ରାଜ୍ୟ ସରକାରଙ୍କ ବହୁ ପ୍ରତୀକ୍ଷିତ ‘ସୁଭଦ୍ରା’ ଯୋଜନା ଆଜି (ମଙ୍ଗଳବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଶୁଭାରମ୍ଭ ହେବ। ପ୍ରଧାନମନ୍ତ୍ରୀ ନିଜ ଜନ୍ମଦିନରେ ଏହି ଯୋଜନାର ଶୁଭାରମ୍ଭ କରି ପ୍ରାୟ ୧୦ଲକ୍ଷ ମହିଳା ହିତାଧିକାରୀଙ୍କୁ ୫ହଜାର ଲେଖାଏଁ ଟଙ୍କା ପ୍ରଦାନ କରିବେ। ପ୍ରତ୍ୟେକ ଯୋଗ୍ୟ ସୁଭଦ୍ରା ହିତାଧିକାରୀ ପ୍ରଥମ କିସ୍ତିରେ ୫ ହଜାର ଟଙ୍କା ପାଇବେ।

ନିର୍ବାଚନ ବେଳେ ଯେଉଁ ପ୍ରତିଶୃତି ଦେଇଥିଲେ ତାହାକୁ ପୂରଣ କରିବା‌କୁ ବିଜେପି ସରକାର ଜୋରଦାର୍ ପ୍ରସ୍ତୁତି କରିଛି। ଏନେଇ ଜନତା ମଇଦାନରେ ବିରାଟ ଜନସଭାର ଆୟୋଜନ କରାଯାଇଛି। ଏଥିରେ ପ୍ରାୟ ୭୦ହଜାର ଲୋକ ସାମିଲ୍ ହେବାକୁ ଥିବାବେଳେ ପ୍ରତି ଗାଁ, ପଞ୍ଚାୟତ, ସହରାଞ୍ଚଳର ପ୍ରାୟ ୫୦ହଜାର ମହିଳା ଏଥିରେ ସାମିଲ୍ ହେବେ। ‘ସୁଭଦ୍ରା’ ଯୋଜନା ଆରମ୍ଭ କରି ମୋଦୀ ସୁଇଚ୍ ଟିପି ପ୍ରାୟ ୧୦ଲକ୍ଷ ମହିଳା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୫ହଜାର ଟଙ୍କା ଲେଖାଏ ପଠାଇବେ। ହିତାଧିକାରୀଙ୍କ ଆଧାର ସକ୍ଷମ ଏବଂ ଡିବିଟି ସକ୍ଷମ ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ଟଙ୍କା ଜମା ହେବ।

ଆଜି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜନ୍ମଦିନରେ ଓଡ଼ିଶା ଆସି ହିତାଧିକାରୀଙ୍କ ଖାତାକୁ ଡ଼ିବିଟି ମାଧ୍ୟମରେ ସହାୟତା ରାଶି ବଣ୍ଟନ ଆରମ୍ଭ କରିବେ । ପୂର୍ବାହ୍ନ ୧୧ଟାରେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ଓହ୍ଲାଇବା ପରେ ବିଶାଳ କାରକେଡ଼ରେ ସିଧା ଗାଡ଼କଣ ଅଭିମୁଖେ ଯାତ୍ରା କରିବେ। ସେଠାରେ ଆବାସ ଯୋଜନାର ୨୦ ହିତାଧିକାରୀଙ୍କ ସହ ସିଧାସଳଖ ଆଲୋଚନା କରିବେ । ଗାଡ଼କଣରୁ ଜନତା ମଇଦାନ ଅଭିମୁଖେ ବାହାରି ପ୍ରଧାନମନ୍ତ୍ରୀ ମୁଖ୍ୟ କାର୍ଯ୍ୟକ୍ରମରେ ଯୋଗଦେବେ। ସୁଭଦ୍ରା ଯୋଜନାର ଶୁଭାରମ୍ଭ ସହିତ ହିତାଧିକାରୀଙ୍କ ଖାତାକୁ ଡ଼ିବିଟି ମାଧ୍ୟମରେ ସହାୟତା ରାଶି ବଣ୍ଟନ ଆରମ୍ଭ କରିବେ ।

ସୁଭଦ୍ରା ଯୋଜନାରେ ସରକାର ବର୍ଷକୁ ଦୁଇଟି କିସ୍ତିରେ ୫ ହଜାର ଟଙ୍କା ଲେଖାଏ ମୋଟ ୫ ବର୍ଷରେ ୫୦ ହଜାର ଟଙ୍କା ପ୍ରଦାନ କରିବେ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପାଇଁ ସଜେଇ ହୋଇଛି ଜନତା ମଇଦାନ । ପ୍ରାୟ ୪୦ହଜାର ଲୋକଙ୍କ ପାଇଁ ବସିବାର ବ୍ୟବସ୍ଥା କରାଯାଇଛି । ଏହା ସହିତ କଳିଙ୍ଗ ଷ୍ଟାଡ଼ିୟମରେ ନବ ନିର୍ମିତ ବ୍ୟାଡ଼ମିଣ୍ଟନ ହାଇ ପରଫର୍ମାନ୍ସ ସେଣ୍ଟର ମଧ୍ୟ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନଜରରେ ରଖି ସହରରେ ୮୦ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ରହିବେ। ବିମାନବନ୍ଦର, ଜନତା ମଇଦାନ ଓ ଗାଡ଼କଣ କାର୍ଯ୍ୟକ୍ରମ ପାଇଁ ୩ ଆଇଜିଙ୍କୁ ଦାୟିତ୍ବ ଦିଆଯାଇଛି । ଟ୍ରାଫିକ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବାକୁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି ।

ଏହାପରେ ପ୍ରଧାନମନ୍ତ୍ରୀ ପିଏମ୍ଏୱାଇ-ଜି (ଗ୍ରାମୀଣ) ପାଇଁ ଅତିରିକ୍ତ ପରିବାରର ସର୍ଭେ ପାଇଁ ଆବାସ+୨୦୨୪ ଆପ୍ ମଧ୍ୟ ଉନ୍ମୋଚନ କରିବେ। ପିଏମ୍‌ଏୱାଇ- ୟୁ୨.୦ (ସହରାଞ୍ଚଳ ବାସହୀନଙ୍କ ପାଇଁ) ର କାର୍ଯ୍ୟକାରୀ ମାର୍ଗଦର୍ଶିକା ଶୁଭାରମ୍ଭ କରିବେ। ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ, ଜୁଏଲ ଓରାମ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା ପ୍ରମୁଖ ମଞ୍ଚରେ ଉପସ୍ଥିତ ରହିବେ।

Leave a Reply

Your email address will not be published. Required fields are marked *