ସିନେମାରେ ଯେମିତି ହିଟ୍ ରାଜନୀତି ମୈଦାନରେ ଠିକ୍ ସେପରି ଫିଟ୍ …
1 min readସିଦ୍ଧାନ୍ତ ରଚନା ସିନେମାରୁ ଯେମିତି ସୁପର ହିଟ । ସିନେ ପରଦାର ସମସ୍ତଙ୍କ ପ୍ରିୟ ଯୋଡି ସିଦ୍ଧାନ୍ତ ମହାପାତ୍ର ଏବଂ ରଚନା ବାନାର୍ଜୀ ଏବେ ନିର୍ବାଚନରେ ଜିତିବାରେ ସଫଳ ହୋଇଛନ୍ତି । ଓଲିଉଡ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର ବିଜେପିରେ ସାମିଲ ହେବା ପରେ ଦଳ ତାଙ୍କୁ ଦିଗପହଣ୍ଡି ବିଧାନସଭା ଆସନରୁ ପ୍ରାର୍ଥୀ କରିଥିଲା । ତେବେ ସେ ଦଳର ବିଶ୍ୱାସ ଜିତିବାରେ ସଫଳ ହୋଇଛନ୍ତି ।
ଦିବଂଗତ ନେତା ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପୁଅ ବିପ୍ଳବ ପାତ୍ରଙ୍କୁ ବିଜେଡି ଟିକଟରେ ନିର୍ବାଚନ ଲଢି ସିଦ୍ଧାନ୍ତଙ୍କୁ ଟକ୍କର ଦେବାରେ ସଫଳ ହୋଇପାରିନାହାନ୍ତି । ୧୬ ହଜାରରୁ ଅଧିକ ଭୋଟରେ ବଡ଼ ବିଜୟ ଲାଭ କରିଛନ୍ତି ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର । ଠିକ ସେହିପରି ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ଟିକେଟରେ ହୁଗୁଳିରୁ ଲୋକସଭା ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିଲେ ଅଭିନେତ୍ରୀ ରଚନା ବାନାର୍ଜୀ । ସେ ସଫଳତାର ସହ ୭୫ ହଜାରରୁ ଅଧିକ ଭୋଟର ବ୍ୟବଧାନରେ ବିଜୟ ମୁକୁଟ ପିନ୍ଧିଛନ୍ତି । ବିଜେପି ପ୍ରାର୍ଥୀନୀ ଲକେଟ୍ ଚାଟାର୍ଜୀଙ୍କୁ ହରାଇ ବାଜି ମାରିନେଇଛନ୍ତି ରଚନା । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିଶ୍ୱାସ ଭାଜନ ହେବା ସହ ଜନସାଧାରଣମାନେ ରଚନାଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି ।
ସିଦ୍ଧାନ୍ତ ମହାପାତ୍ର ଏବଂ ରଚନା ବାନାର୍ଜୀଙ୍କ ଯୋଡିକୁ ଦୀର୍ଘ ବର୍ଷ ଧରି ଓଡ଼ିଶାବାସୀ ସିନେ ପରଦାରେ ଭଲ ପାଇବା ଦେଇଛନ୍ତି । ଏହି ଯୋଡିଙ୍କ ପ୍ରତିଟି ସିନେମା ଦର୍ଶକଙ୍କର ପ୍ରିୟ ହେବା ସହ ବକ୍ସ ଅଫିସରେ ସୁପରହିଟ୍ ହୋଇଥାଏ । ବର୍ତ୍ତମାନ ଉଭୟେ ଭିନ୍ନ ଭିନ୍ନ ସ୍ଥାନରେ ଭିନ୍ନ ଦଳରୁ ପ୍ରାର୍ଥୀ ଭାବେ ବିଜୟ ଲାଭ କରିବା ପରେ ଦର୍ଶକଙ୍କ ମହଲରେ ବିଭିନ୍ନ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଛି । ଉଭୟେ ସିନେମାରେ ଯେମିତି ହିଟ୍ ରାଜନୀତି ମୈଦାନରେ ଠିକ୍ ସେପରି ଫିଟ୍ ବୋଲି ମତ ପ୍ରକାଶ ପାଇଛି ।