Pratidin TV

Odisha's Digital News Platform

ରହସ୍ୟ ଖୋଲିଲେ ଦ୍ରାବିଡ, କହିଲେ କାହାପାଇଁ ଭାରତ ହାରିଲା ବିଶ୍ୱକପ…

ଦିନିକିଆ ବିଶ୍ୱକପ ୨୦୨୩ରେ ଭାରତର ପରାଜୟକୁ ଆଜିଯାଏଁ ଭୁଲି ପାରିନାହାଁନ୍ତି କ୍ରିକେଟ୍ ପ୍ରେମୀ । ପୂରା ଟୁର୍ଣ୍ଣାମେଣ୍ଟରେ ଭାରତ ପ୍ରଦର୍ଶନ ଖୁବ୍ ଭଲ ରହିଥିବା ବେଳେ ଫାଇନାଲରେ ହାର ମାନିଯାଇଥିଲା ଟିମ୍ ଇଣ୍ଡିଆ । ନିକଟରେ କ୍ୟାପଟେନ୍ ରୋହିତ ଶର୍ମାଙ୍କ ସହ ଟିମ୍ ଇଣ୍ଡିଆ ମ୍ୟାନେଜମେଣ୍ଟ ବିଶ୍ୱକପର ରିଭ୍ୟୁ ମିଟିଂ କରିଥିଲା । ଯେଉଁଥିରେ ଫାଇନାଲରେ ପରାଜୟର କାରଣ ଖୋଜାଯାଇଥିଲା । ରିପୋର୍ଟ ଅନୁଯାୟୀ, ଫାଇନାଲରେ ପରାଜୟ ପାଇଁ ପିଚ୍ କୁ ଦାୟୀ କରିଛନ୍ତି କୋଚ୍ ରାହୁଲ ଦ୍ରାଭିଡ । ରାହୁଲ କହିଛନ୍ତି ଯେ ଫାଇନାଲରେ ସେ ଯେତିକି ଆଶା କରିଥିଲେ ସେ ଅନୁସାରେ ପିଚ୍ ତାଙ୍କୁ ସପୋର୍ଟ କରିନଥିଲା । ପିଚ୍ ସ୍ପିନରଙ୍କୁ ସୁହାଇ ଥିଲେ ଆଜି ପରିଣତି କିଛି ଅଲଗା ହୋଇଥାନ୍ତା ।

ସୂଚନାଯୋଗ୍ୟ, ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଅହମ୍ମଦାବାଦ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା । ତେବେ ଏହି ସମାନ ପିଚରେ ଭାରତ ଓ ପାକିସ୍ତାନ ମୁକାବିଲା ମଧ୍ୟ ହୋଇଥିଲା । ଯଦିଓ ଫାଇନାଲ୍ ପରି ବଡ ଇଭେଣ୍ଟ ପାଇଁ ନୂଆ ପିଚର ବ୍ୟବହାର ହୋଇଥାଏ, କିନ୍ତୁ ଏଠାରେ ପୁରୁଣା ପିଚ୍ ର ବ୍ୟବହାର କରାଯାଇଥିଲା । ବୋଧହୁଏ ଏଥିପାଇଁ ଟିମ୍ ଇଣ୍ଡିଆ ଭଲ ପ୍ରଦର୍ଶନ କରିପାରିନଥିଲା । ତେବେ ଏହି ବୈଠକରେ ବିସିସିଆଇ ସଚିବ ଜୟ ଶାହା, ଉପାଧ୍ୟକ୍ଷ ରାଜୀବ ଶୁକ୍ଲାଙ୍କ ସମେତ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ । ଆସନ୍ତା ଜୁନରେ ଅନୁଷ୍ଠିତ ହେବାକୁ ଥିବା ଞ୨୦ ବିଶ୍ୱକପ ପର୍ଯ୍ୟନ୍ତ ରାହୁଲ ଦ୍ରାଭିଡ କୋଚ୍ ରହିବେ ଏବଂ ରୋହିତ ଶର୍ମା ଅଧିନାୟକ ଭାବେ ରହିବେ ବୋଲି ଏହି ବୈଠକରେ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *