Pratidin TV

Odisha's Digital News Platform

ସିଂହଦ୍ୱାର ସମ୍ମୁଖରେ ୩ ରଥ, ଆଜି ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ଘୋଷଯାତ୍ରାରେ ଯିବେ ମହାପ୍ରଭୁ

1 min read

ରଥ ପ୍ରସ୍ତୁତି, ପାଠ ମଧ୍ୟ ପ୍ରସ୍ତୁତି | ଶ୍ରୀମନ୍ଦିର ସିଂହଦ୍ୱାର ଆଗରେ ଦଣ୍ଡାୟମାନ ହୋଇଛି ସୁସଜ୍ଜିତ ତିନି ରଥ। ରଥ ଉପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ ସହ ଦଉଡ଼ି ଟାଣି ଜୀବନକୁ କୃତାର୍ଥ କରିବାକୁ ଭକ୍ତପ୍ରାଣ ଉଚ୍ଛନ୍ନ। ବିରଳ ସଂଯୋଗକ୍ରମେ ୫୩ ବର୍ଷ ପରେ ଏଥର ୨ ଦିନ ଧରି ଚାଲିବ ରଥଟଣା।

ଆଜି ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ଘୋଷଯାତ୍ରାରେ ଯିବେ ମହାପ୍ରଭୁ । ଏକାକାର ହେବେ ଭକ୍ତ ଓ ଭଗବାନ । ଏଥିପାଇଁ ପୂର୍ବରୁ ସିଂହଦ୍ବାର ଆଗରେ ପ୍ରସ୍ତୁତ ହୋଇ ରହିଛନ୍ତି ୩ ରଥ । ୧୩ ଦିନ ଅନବସର ପରେ ରଥ ଉପରେ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ ।

Advertisement

୫୩ ବର୍ଷ ପରେ ମହାପ୍ରଭୁଙ୍କ ଏହି ଦୁର୍ଲ୍ଲଭ ଯୋଗ ପଡ଼ିଛି । ଗୋଟିଏ ଦିନରେ ନେତ୍ର ଉତ୍ସବ, ନବଯୌବନ ଓ ଶ୍ରୀଗୁଣ୍ଡିଚା । ଏଥିପାଇଁ ସ୍ବତନ୍ତ୍ର ନୀତିକାନ୍ତି କରାଯାଇଛି । ରାତ୍ର ୨ ଟାରୁ ଦ୍ୱାର ଫିଟାଯାଇ ୨ ଟା ୪୦ ରେ ଦଶବତାର ଠାକୁର ବାହୁଡା଼ ବିଜେ, ୩ ଟାରେ ତାଟି ପିଠାଯାଇଥିଲା, ପ୍ରତ୍ୟୁଷ ୪ଟା ରେ ନେତ୍ରଉତ୍ସବ ବନ୍ଦାପନା, ୪ଟା ୪୫ରେ ଯାତ୍ରାଙ୍ଗୀ ମହାସ୍ନାନ କରାଯାଇଛି ।

କାଳିଆ ସାଆନ୍ତଙ୍କ ଘୋଷଯାତ୍ରାରେ ସାମିଲ ହେବା ପାଇଁ କାହିଁ କେତେଦୂରରୁ ଧାଇଁ ଆସୁଛନ୍ତି ଭକ୍ତ। କଣ୍ଠରେ ମହାପ୍ରଭୁଙ୍କ ଭଜନ। ହାତରେ ମୃଦଙ୍ଗ ସହ ଝାଞ୍ଜ। ରଥାରୂଢ ଚତୁର୍ଦ୍ଧା ମୂରତିଙ୍କୁ ଦର୍ଶନ ସହ ରଥ ଦଉଡ଼ି ଟାଣି ଜୀବନକୁ ଧନ୍ୟ ମଣିବା ପାଇଁ ମାଇଲ ମାଇଲ ବାଟ ଅତିକ୍ରମ କରି ଶ୍ରୀକ୍ଷେତ୍ର ମୁହାଁ ଶ୍ରଦ୍ଧାଳୁ। ଏଥର ବିରଳ ସଂଯୋଗ କ୍ରମେ ୧୯୭୧ ମସିହା ଭଳି ଗୋଟିଏ ଦିନରେ ନବଯୌବନ, ନେତ୍ରୋତ୍ସବ ସହ ଘୋଷଯାତ୍ରା ପଡୁଛି। ତେଣୁ ଏଥର ସଅଳ ନୀତିକାନ୍ତିକୁ ଗୁରୁତ୍ୱ ଦିଆଯାଇଛି।

ଶୃଙ୍ଖଳିତ ରଥଯାତ୍ରା ପାଇଁ ପୁରୀରେ ପୁଲିସ ପ୍ରଶାସନର ଅସମ୍ଭବ ସୁରକ୍ଷା ବ୍ୟବସ୍ଥା। କାରଣ ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି ବହୁ ହେଭିୱେଟ ସାମିଲ ହେବେ ଘୋଷଯାତ୍ରାରେ। ସୁରକ୍ଷାକର୍ମୀଙ୍କ ସହ ସିସିଟିଭି ବଳୟରେ ସାରା ଶ୍ରୀକ୍ଷେତ୍ର। ରଥଯାତ୍ରା ପାଇଁ ୧୮୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ଭିଡ଼ ନିୟନ୍ତ୍ରଣ ପାଇଁ ବଡ଼ଦାଣ୍ଡକୁ ୬ଟି ଜୋନରେ ବିଭକ୍ତ କରାଯାଇଛି। ତା’ସହ ଅତ୍ୟାଧୁନିକ ଜ୍ଞାନ କୌଶଳ, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ସହାୟତା ନିଆଯାଇଛି। ୩ ଠାକୁରଙ୍କ ୩ କର୍ଡନ ଦାୟିତ୍ୱରେ ରହିବେ ୩ କମ୍ପାନୀ ରାପିଡ଼ ଆକ୍ସନ ଫୋର୍ସ, ୨ କମ୍ପାନୀ ସିଆରପିଏଫ ଓ ୮ କମ୍ପାନୀ ଏସଓଜି।

Leave a Reply

Your email address will not be published. Required fields are marked *