Pratidin TV

Odisha's Digital News Platform

କେବେ ମିଳିବ ସ୍ୱାଭିମାନୀ ଦିବ୍ୟାଙ୍ଗଙ୍କୁ ସରକାରଙ୍କ ସହାୟତା ? ହାତ ନଥାଇବି ପେଟ ପାଇଁ କରୁଛନ୍ତି ଅଗାଢ ପରିଶ୍ରମ…

ରାୟଗଡା : ହାତ ନଥାଇବି କାହା ଆଗରେ ମୁଣ୍ଡ ନୁଆଁଇ ନାହାନ୍ତି ସେ । ନିଜ ପେଟ ପାଇଁ କଷ୍ଟକରି ଟଙ୍କା ରୋଜଗାର କରୁଛନ୍ତି ଏହି ଦିବ୍ୟାଙ୍ଗ । ହାତ ନଥାଇବି ଦିନରେ ୨ ଜାଗା କଠିନ ପରିଶ୍ରମ କରି ଯାହା ରୋଜଗାର କରନ୍ତି ସେଥିରେ ସୁଖଃ ଦୁଖେ ଜୀବନ କାଟିଦିଅନ୍ତି । କିନ୍ତୁ ଆଜି ଯାଏଁ କାହା ଆଗରେ ଟଙ୍କାଟିଏ ପାଇଁ ହାତ ପାତି ନାହାନ୍ତି । ହେଲେ ସବୁ ଦିବ୍ୟାଙ୍ଗଙ୍କ ଭଳି ଆଜିଯାଏଁ କାହିଁକି ମିଳୁନି ତାଙ୍କୁ କୌଣସି ସରକାରୀ ସହାୟତା ।

କଥାଟା ଶୁଣିବାକୁ ସତ ନଲାଗିଲେବି ଘଟଣାଟି ହେଉଛି ସତ । ଏଭଳି ଏକ ଦିବ୍ୟାଙ୍ଗଙ୍କ କଥା କହୁଛୁ ଆମେ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ତଳଝିରି ଗ୍ରାମର ମିଞ୍ଚୁ ମାଝୀ । ଗ୍ରାମବାସୀଙ୍କ କହିବା ଅନୁସାରେ ୧୮ରୁ ୨୦ବର୍ଷ ତଳେ ଅଜାଣତରେ ହଠାତ ବିଦ୍ୟୁତ ତାର ଲାଗି ମିଞ୍ଚୁ ମାଝୀଙ୍କ ବାମହାତ କଟି ଯାଇଥିଲା । ହେଲେ ଦିବ୍ୟାଙ୍ଗ ହୋଇ ମଧ୍ୟ ସେ ଅଧର୍ଯ୍ୟ ନହୋଇ ସମୟର ତାଳରେ ତାଳଦେଇ ଆଜିବି ଚାଲୁଛନ୍ତି । ସକାଳ ହେଲେ କାନ୍ଧରେ ଶାବଳ ହାମାରବହି ନିଜଗାଁ ମୁଣ୍ଡରେ ଥିବା ପାହାଡ଼କୁ ଯାଇ ବଡ଼ ବଡ଼ ପଥରକୁ ଖାତିରି ନକରି ଗୋଟିଏ ହାତରେ ବଲଡର ମେଟାଲ ଭାଙ୍ଗି ଗୋଟିଏ ଜାଗାରେ ଜମାକରି ବିକ୍ରିକରୁଛନ୍ତି । ଏବଂ ନିଜ ଗ୍ରାମରୁ ଦୀର୍ଘ ତିନି କିଲୋମିଟର ଦୁର ଚାଲି ଚାଲି କାଶୀପୁରର ଏକ ହୋଟେଲକୁ ଯାଇ ତିନିରୁ ଚାରିଘଣ୍ଟା କାମ କରୁଛନ୍ତି ।

ମିଞ୍ଚୁମାଝୀଙ୍କୁ ସରକାରୀ ଯୋଜନାର ସୁବିଧା କହିଲେ ପାଞ୍ଚଶହ ଭତ୍ତା ଟଙ୍କା ଛଡା ଅନ୍ୟ କିଛି ଶୁବିଧା ନାହିଁ । ମୁଣ୍ଡ ଗୁଞ୍ଜିବା ପାଇଁ ଘରଟିଏ ପାଇଁ ଆଜିବି ବଞ୍ଚିତ ହୋଇଛନ୍ତି ଭିନ୍ନକ୍ଷମ ମିଞ୍ଚୁ । ଆବାସ ଯୋଜନା କହିଲେ ନିଜ ଗ୍ରାମର ଜଣଙ୍କ କୁଡ଼ିଆ ଘରେ ନିଜର କର୍ମ ଓ ଭାଗ୍ୟକୁ ଆଦରି ଜୀବନ ବିତାଉଛନ୍ତି ସ୍ୱାଭିମାନୀ ମିଞ୍ଚୂ । ଗ୍ରାମବାସୀ ସରକାରଙ୍କୁ ନିବେଦନ କରିଛନ୍ତି ଏପରି ଦିବ୍ୟାଙ୍ଗ ମାନଙ୍କୁ ସରକାରଙ୍କ ଆବାସ ଯୋଜନାରେ ସାମିଲ କରି ତୁରନ୍ତ ଆବାସ ଖଣ୍ଡିଏ ଯୋଗାଇ ଦେଲେ ମିଞ୍ଚୁ ବାକିତକ ଜୀବନ ଟିକେ ଶାନ୍ତିରେ କାଟିପାରନ୍ତେ । ତେବେ ଏହି ଖବର ପ୍ରସାରଣ ପରେ ପ୍ରଶାସନ ଦିବ୍ୟାଙ୍ଗ ମିଞ୍ଚୁମାଝିଙ୍କୁ କେଉଁ ପ୍ରକାର ସହାୟତା ପ୍ରଦାନ କରିବେ ତାହା ଦେଖିବା ବାକି ରହିଲା ।

Leave a Reply

Your email address will not be published. Required fields are marked *