Pratidin TV

Odisha's Digital News Platform

ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ ରେପୋ ରେଟ୍ ୫୦ ବେସିସି ପଏଣ୍ଟ ବଢିଲା: ମହଙ୍ଗା ହେବ ବ୍ୟାଙ୍କ ଓ ଇଏମ୍‌ଆଇ

1 min read

ନୂଆଦିଲ୍ଲୀ: ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତି ରୋକିବା ଲାଗି ବୁଧବାର ଭାରତର ରିଜର୍ଭ ବ୍ୟାଙ୍କ୍‌ ରେପୋ ରେଟ୍‌ ୫୦ ବେସିସ୍‌ ପଏଣ୍ଟ୍‌ ବୃଦ୍ଧି କରି ୪.୯୦%କୁ ବଢ଼ାଇଥିବା କଥା ଗଭର୍ଣ୍ଣର୍‌ ଶକ୍ତିକାନ୍ତ ଦାସ ଘୋଷଣା କରିଛନ୍ତି। ‘ମନିଟାରି ପଲିସି କମିଟି’ର ୩ ଦିନିଆ ବୈଠକ ପରେ ଗଭର୍ଣ୍ଣର୍‌ ଦାସ ଏହି ନିଷ୍ପତ୍ତି ଘୋଷଣା କରିଛନ୍ତି।
ସୂଚନାଯୋଗ୍ୟ, ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିବା ଲାଗି ଗତମାସରେ ମଧ୍ୟ ନିୟମିତ ବୈଠକ ବାହାରେ ରିଜର୍ଭ ବ୍ୟାଙ୍କ୍‌ର ‘ମନିଟାରି ପଲିସି କମିଟି’ ରେପୋ ରେଟ୍‌ ୪୦ ବେସିସ୍‌ ପଏଣ୍ଟ୍‌ ବଢ଼ାଇ ୪.୪%କୁ ବୃଦ୍ଧି କରିଥିଲା। କୋଭିଡ୍‌-୧୯ ଜନିତ ଲକ୍‌ଡାଉନ୍‌ ପ୍ରଭାବକୁ ଏଡ଼ାଇବା ଲକ୍ଷ୍ୟରେ ୨୦୨୦ ମାର୍ଚ ମାସରେ ‘ଭାରତର ରିଜର୍ଭ ବ୍ୟାଙ୍କ୍‌’ ରେପୋ ରେଟ୍‌ ହ୍ରାସ କରିବା ସହ ପ୍ରାୟ ୨ ବର୍ଷ ଧରି ବେଞ୍ଚ୍‌ମାର୍କ ସୁଧହାରରେ ସ୍ଥିତାବସ୍ଥା ଜାରି ରଖିଥିଲା। ପରେ ୨୦୨୨ ମେ ୪ ତାରିଖରେ ଉକ୍ତ ସୁଧହାର ବୃଦ୍ଧି କରାଯାଇଥିଲା।
ଉଲ୍ଲେଖଯୋଗ୍ୟ, ରେପୋ ରେଟ୍‌ ଅଥବା ‘ରିପର୍ଚେଜିଙ୍ଗ୍‌ ଅପ୍‌ସନ୍‌ ରେଟ୍‌’ରେ ରିଜର୍ଭ ବ୍ୟାଙ୍କ୍‌ ବାଣିଜ୍ୟିକ ବ୍ୟାଙ୍କ ଗୁଡ଼ିକୁ ଟଙ୍କା ଋଣ ଦେଇଥାଏ। ରେପୋ ରେଟ୍‌ ୫୦ ବେସିସ୍‌ ପଏଣ୍ଟ୍‌ ବଢ଼ାଇ ୪.୯୦%କୁ ବୃଦ୍ଧି କରାଇବା ପାଇଁ ମନିଟାରି ପଲିସି କମିଟି ସର୍ବସମ୍ମତ ହୋଇ ଭୋଟ୍‌ ଦେଇଥିବା କଥା ଗଭର୍ଣ୍ଣର ଦାସ କହିଛନ୍ତି।

ମୁଦ୍ରାସ୍ଫୀତିର ରିସ୍କ ଏବେ ବି ଜାରି ରହିଛି। ଟମାଟୋ ଓ ଅଶୋଧିତ ତୈଳର ହଠାତ୍ ମୂଲ୍ୟବୃଦ୍ଧି ଯୋଗୁ ମୁଦ୍ରାସ୍ଫୀତି ବଢ଼ିଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ୩ କ୍ୱାର୍ଟରରେ ମୁଦ୍ରାସ୍ଫୀତି ୬% ଉପରେ ରହିବ। ତେବେ ଆରବିଆଇ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ ମଧ୍ୟକୁ ଆଣିବା ପାଇଁ ସବୁ ପ୍ରକାରର ପଦକ୍ଷେପ ଗ୍ରହଣ କରିବ ବୋଲି ସେ କହିଛନ୍ତି। ଦେଶର ଅଭିବୃଦ୍ଧି ହାର ପୂର୍ବଭଳି ୭.୨% ରହିବ ବୋଲି ଆରବିଆଇ ଆକଳନ କରିଛି।
ସୂଚନାଯୋଗ୍ୟ, ଭାରତରେ ବ୍ୟାଙ୍କଗୁଡ଼ିକୁ ୨ ଭାଗରେ ବିଭକ୍ତ କରାଯାଇଛି। ପ୍ରଥମଟି ହେଲା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଓ ଆଉ ବାକି ଯେତେ ସବୁ ବ୍ୟାଙ୍କ ରହିଲେ ତାହା ବାଣିଜ୍ୟିକ ବ୍ୟାଙ୍କ ବା କମର୍ସିଆଲ୍ ବ୍ୟାଙ୍କ। ସାଧାରଣ ଲୋକଙ୍କର ଆରବିଆଇ ସହିତ କୌଣସି ସିଧାସଳଖ ସମ୍ପର୍କ ନାହିଁ କହିଲେ ଚଳେ।

Leave a Reply

Your email address will not be published. Required fields are marked *