Pratidin TV

Odisha's Digital News Platform

ସବୁଠୁ ବଡ ପରିବାର , ଅଛନ୍ତି ୧୨୦୦ ଲୋକ ଭୋଟ ଦେବେ ୩୫୦ …

1 min read

ଲୋକସଭା ନିର୍ବାଚନ ଆରମ୍ଭ ହେବାକୁ ଆଉ ମାତ୍ର ୩ ଦିନ ବାକି ରହିଛି । ସାରା ଦେଶରେ ପ୍ରଥମ ପର୍ଯ୍ୟାୟରେ ୧୦୨ ଲୋକସଭା ଆସନ ପାଇଁ ଏପ୍ରିଲ ୧୯ ତାରିଖରେ ଭୋଟ ଗ୍ରହଣ ହେବ । ଏବେ ଗୋଟିଏ ଭୋଟ ପାଇଁ କସରତ କରୁଛନ୍ତି ନେତା । ଘରକୁ ଘର ବୁଲି ପରିବାର ଲୋକଙ୍କୁ ପ୍ରଲୋଭନ ଦେଖାଇ ଭୋଟ ମାଗୁଛନ୍ତି ନେତା । ହେଲେ ଏମିତି ଏକ ପରିବାର ରହିଛି ଯେଉଁ ପରିବାରରେ ରହିଛନ୍ତି ୩୫୦ ଭୋଟର । ଯେଉଁ ପରିବାରକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ଏହି ପରିବାର ଆସାମର ସୋନିତପୁର ଜିଲ୍ଲାର ନେପାଳୀ ପାମ ଗ୍ରାମରେ ବାସ କରିଥାଏ । ଏଠାକାର ବାସିନ୍ଦା ରୋନ୍ ବାହାଦୂର ଥାପାଙ୍କ ପରିବାର ହେଉଛି ସବୁଠାରୁ ବଡ଼ ପରିବାର । ରୋନ୍ ବାହାଦୂର ଥାପା ଆଉ ଏବେ ଜୀବିତ ନାହାଁନ୍ତି । ହେଲେ ତାଙ୍କ ଅନ୍ତେ ତାଙ୍କ ପରିବାର ହେଉଛି ବହୁତ ବଡ ।ଏହି ପରିବାରରେ ମୋଟ ୧୨୦୦ ସଦସ୍ୟ ଅଛନ୍ତି । ସେମାନଙ୍କ ମଧ୍ୟରୁ ୩୫୦ ଜଣ ହେଉଛନ୍ତି ଭୋଟର ।

ଆସାମର ସୋନିତପୁର ଜିଲ୍ଲାର ନେପାଳୀ ପାମ ଗ୍ରାମରେ ବସବାସ କରିଥାନ୍ତି ରୋନ୍ ବାହାଦୂର ଥାପାଙ୍କ ପରିବାର । ଯିଏ ୧୯୬୪ ମସିହାରେ ନେପାଳରୁ ଆସାମର ସୋନିତପୁର ଜିଲ୍ଲାର ନେପାଳୀ ପାମ ଗ୍ରାମକୁ ଚାଲି ଆସିଥିଲେ । ସେ ପାଞ୍ଚ ଥର ବିବାହ କରିଥିଲେ । ତାଙ୍କର ୫ ପତ୍ନୀଙ୍କ ଠାରୁ ତାଙ୍କର ୧୨ ପୁଅ ଏବଂ ୯ ଝିଅ ହୋଇଥିଲେ । ଏହା ପରେ ତାଙ୍କ ପରିବାର ବଡ଼ ହେବାରେ ଲାଗିଲା । ତାଙ୍କ ପୁଅ ଏବଂ ଝିଅଙ୍କ ମୋଟ ୧୫୦ ଜଣରୁ ଅଧିକ ସନ୍ତାନ ଥିଲେ । ଯଦି ଏହି ପରିବାରର ସମସ୍ତ ସଦସ୍ୟଙ୍କ ବିଷୟରେ କୁହାଯାଏ, ତାହେଲେ ଏହି ପରିବାରରେ ୧୨ ଶହରୁ ଅଧିକ ଲୋକ ଅଛନ୍ତି । ସ୍ୱର୍ଗତ ରୋନ୍ ବାହାଦୂରଙ୍କ ପୁଅ ତିଲ ବାହାଦୂର ଥାପା ତାଙ୍କ ପରିବାର ବିଷୟରେ କହିଛନ୍ତି । ଏନେଇ ସେ କହିଛନ୍ତି ଯେ ତାଙ୍କ ପରିବାରରେ ପ୍ରାୟ ୩୫୦ ଲୋକ ଅଛନ୍ତି । ଯେଉଁମାନେ ଭୋଟ୍ ଦେବାକୁ ଯୋଗ୍ୟ । ଏହା ସହିତ ସେ କହିଛନ୍ତି ଯେ ତାଙ୍କର ୧୨ ଭାଇ ଏବଂ ୯ ଭଉଣୀ ଅଛନ୍ତି ।

Advertisement

ତାଙ୍କ ଭାଇଙ୍କ ମୋଟ ୫୬ ସନ୍ତାନ ଅଛନ୍ତି । ହେଲେ ଏଥର ତାଙ୍କ ଉଭଣୀଙ୍କ କେତେ ପିଲା ଏଥର ଭୋଟ୍ ଦେବେ ତାହା ସେ ଜାଣି ନାହାଁନ୍ତି । ଗତ ୧୯୯୭ ମସିହାରେ ରୋନ୍ ବାହାଦୂର ଥାପାଙ୍କ ଦେହାନ୍ତ ହୋଇଥିଲା । ମୃତ୍ୟୁ ପରେ ସେ ଏକ ବଡ ପରିବାର ଛାଡି ଚାଲି ଯାଇଥିଲେ । ସ୍ୱର୍ଗତ ରୋନ୍ ବାହାଦୂର ଥାପାଙ୍କ ପୁଅ ତିଲ ବାହାଦୂର ଥାପା ୧୯୮୯ ମସିହାରୁ ଗାଁ ମୁଖିଆ ଅଛନ୍ତି । ତାଙ୍କର ୮ ପୁଅଙ୍କ ବ୍ୟତୀତ ୩ ଝିଅ ଅଛନ୍ତି । ସେହିପରି ତାଙ୍କ ଭାଇ ସରକି ବାହାଦୂର ଥାପା (୬୪ ବର୍ଷ) ସେ ୩ ଥର ବିବାହ କରିଛନ୍ତି । ତାଙ୍କର ୧୨ ସନ୍ତାନ ଅଛନ୍ତି । ତିଲ ବାହାଦୂର ଥାପା କହିଛନ୍ତି ଯେ ତାଙ୍କ ପରିବାର ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ କଲ୍ୟାଣକାରୀ ଯୋଜନାର ଲାଭ ପାଉନାହିଁ । ଯାହାକୁ ନେଇ ସେ ଦୁଖିତ ଅଛନ୍ତି । ତାଙ୍କ ଘରର ପିଲା ଉଚ୍ଚଶିକ୍ଷା ଗ୍ରହଣ କରିଛନ୍ତି । ହେଲେ ସେମାନଙ୍କ ମଧ୍ୟରୁ କାହାକୁ କୌଣସି ସରକାରୀ ଚାକିରି ମିଳିନାହିଁ । ରାଜ୍ୟରେ ରୋଜଗାରର ସୁବିଧା ନ ମିଳିବା କାରଣରୁ ପରିବାରର କିଛି ସଦସ୍ୟ ବେଙ୍ଗାଲୁରୁ ଯାଇ ସେଠାରେ ଘରୋଇ ସଂସ୍ଥାରେ ଚାକିରି କରିଛନ୍ତି ।

Leave a Reply

Your email address will not be published. Required fields are marked *